ପୂର୍ବ ଭାରତର ବିକାଶ ପାଇଁ ‘ପୂର୍ବାଶା’ ୧୬ରୁ ରାଜଧାନୀରେ ତିନିଦିନିଆ କାର୍ଯ୍ୟକ୍ରମ

ଚନ୍ଦ୍ରଶେଖରପୁର: ଭାରତ ଓ ପ୍ରଶାନ୍ତ ମହାସାଗର ସହିତ ଉତ୍ତରପୂର୍ବ ଏବଂ ପୂର୍ବ ଭାରତକୁ ସଂଯୋଗ କରିବାର ଏକ ପ୍ରୟାସ ସ୍ୱରୂପ କଳିଙ୍ଗ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ (କେଆଇଏଫ୍‌) ତରଫରୁ ଚଳିତ ମାସ ୧୬ତାରିଖରୁ ରାଜଧାନୀରେ ତିନିଦିନିଆ କାର୍ଯ୍ୟକ୍ରମ ‘ପୂର୍ବାଶା’ର ଆୟୋଜନ ହେବ। ବାଣିଜ୍ୟ, ଯୋଗାଯୋଗ ଓ ସଂସ୍କୃତି ଭଳି ପ୍ରମୁଖ ତିନିଟି ପ୍ରମୁଖ ବିଷୟକୁ ନେଇ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଅଷ୍ଟ୍ରେଲିଆ, ବାଙ୍ଗ୍‌ଲାଦେଶ, ନେପାଳ, ଭୂଟାନ, ଶ୍ରୀଲଙ୍କା, ଜାପାନ ସମେତ ୧୬ଟି ରାଷ୍ଟ୍ରର ଉଚ୍ଚ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେହିପରି ଭାରତର ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ସମ୍ମିଳନୀରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ରହିବା ନେଇ କଳିଙ୍ଗ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ (କେଆଇଏଫ୍‌)ର ଅଧ୍ୟକ୍ଷ ଆମ୍ବାସେଡର ଲଳିତ୍‌ ମାନସିଂହ ଆଜି ସୂଚନା ଦେଇଛନ୍ତି। ସମ୍ମିଳନୀରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ଖ୍ୟାତନାମା ଶିକ୍ଷାବିତ୍‌ ପ୍ରଫେସର ଭି. ସୂର୍ଯ୍ୟନାରୟଣନଙ୍କ ଦ୍ୱାରା ରଚିତ ‘ଇଣ୍ଡୋନେସିଆ’ ଏବଂ ସୁଦୀପ ସେନଙ୍କୁ ‘ବାର୍ଲି’ ସମ୍ପର୍କିତ ପୁସ୍ତକ ପାଇଁ ‘କଳିଙ୍ଗ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯିବା ନେଇ ଶ୍ରୀ ମାନସିଂ ସୂଚନା ଦେଇଛନ୍ତି। ଅର୍ଥନୈତିକ ସହଭାଗୀତା, ସାମୁଦ୍ରିକ ଯୋଗାଯୋଗ ଏବଂ ଭାରତ-ପ୍ରଶାନ୍ତ ମହାସାଗର ତଟବର୍ତୀ ଅଞ୍ଚଳର ସୁରକ୍ଷା, ଶକ୍ତି କ୍ଷେତ୍ରରେ ସହଭାଗୀତା, ମହିଳା, ଏକତ୍ରିକରଣ ଓ ଆଭ୍ୟନ୍ତରୀଣ ଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ। ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ନିଜର ମତାମତ ରଖିବେ। ଭାରତର ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡିକୁ ଏହାର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ, ଭୂଟାନ, ନେପାଳ, ଶ୍ରୀଲଙ୍କା ଓ ବିସ୍ତୀର୍ଣ୍ଣ ଭାରତ-ପ୍ରଶାନ୍ତ ମହାସାଗର ଅଂଚଳଗୁଡିକ ସହିତ ଯୋଡି ରଖିବା ନିମନ୍ତେ ଏହି ସମ୍ମିଳନୀ ବିଶେଷ ସହାୟକ ହେବ ବୋଲି କେଆଇଏଫ୍‌ ପକ୍ଷରୁ ଆଶା ପୋଷଣ କରାଯାଇଛି। ଏହି ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼ି.ପି ବାଗ୍‌ଚୀ, କେଆଇଏଫ୍‌ର ଟ୍ରଷ୍ଟି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ଶ୍ରୀରୂପା ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର