ବାବୁଙ୍କ ଐତିହ୍ୟପ୍ରୀତି ଏମିତି, ଉଜାଡ଼ି ଦେଲେ ଜୟଦେବ ପୀଠ

ଭୁବନେଶ୍ବର: ଗୁମୁରି କାନ୍ଦୁଛନ୍ତି ଗଛଲତା। ରୁଦ୍ଧ କୋଠରିରେ ପଡ଼ି ପଡ଼ି ମୁକ୍ତି ଖୋଜୁଛନ୍ତି ବ୍ରୋଞ୍ଜ ମାଧବ। ପଦ୍ମ‌ ପୋଖରୀକୁ ଝୁରି ଝୁରି ମଳିନ ପଡ଼ିଗଲାଣି ‘କାଳୀୟ ଦଳନ’। ଦିନେ ଯୋଉଠି ବିନା ଅକ୍ଷରରେ ଗୀତଗୋବିନ୍ଦର ପୃଷ୍ଠା ପୃଷ୍ଠା ପଢ଼ି ହେଉଥିଲା, ଆଜି ସେଇ ଜୟଦେବ ପୀଠ ନିଜ ଅସ୍ତିତ୍ବ ପାଇଁ ବାହୁନୁଛି। କିଛି ନ କହି ବି ବଞ୍ଚାଅ ବଞ୍ଚାଅ ବୋଲି ନେହୁରା ହେଉଛି। ବିଡ଼ମ୍ବନା ଏହି ଯେ ଖୋଦ୍‌ ଦାୟିତ୍ବରେ ଥିବା ସରକାର ହିଁ ତାକୁ ପ୍ରତିଟି ମୁହୂର୍ତରେ ହତ୍ୟା କରୁଛନ୍ତି। ବନ ବିଭାଗ, ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଭଳି ୩ଟି ବିଭାଗ ଦାୟିତ୍ବରେ ଥିଲେ ହେଁ ଐତିହାସିକ କେନ୍ଦୁଲି ଗ୍ରାମର ଏହି କୀର୍ତିରାଜି ଆସନ୍ନ ମୃତ୍ୟୁକୁ ଅଙ୍ଗେ ନିଭାଉଛି। ଐତିହ୍ୟ ଓ ଇତିହାସର ଡିଣ୍ଡିମ ପିଟୁଥିବା ସଂପୃକ୍ତ ସରକାରୀ ବିଭାଗର ବାସ୍ତବ ଐତିହ୍ୟପ୍ରୀତି କେତେ, ତାହା ପୀଠର ଉଜୁଡ଼ା ସ୍ଥିତି ବୟାନ କରୁଛି। ଏହା ଯେମିତି ଏକ ଅଘୋଷିତ ଜଙ୍ଗଲ ପାଲଟିଛି। କିଛି ବ୍ୟକ୍ତି ମନଇଚ୍ଛା ଏହା ଭିତରେ ପଶି ଗଛ ଡାଳ ଭାଙ୍ଗୁଥିଲେ ବି ଲଗାମ ନାହିଁ। ପରିସରରେ ମ୍ୟୁଜିୟମ୍‌ ଥିଲେ ହେଁ ତାହା ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ପଡ଼ିଛି। ଏକ ସଭା ମଣ୍ଡପ ଗଢ଼ାଯାଇଥିଲେ ହେଁ ଏହା କୌଣସି କାମରେ ଆସୁନାହିଁ। ଫାଉଣ୍ଟେନ୍‌ ଓ ଆଲୁଅ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୪ବର୍ଷ ତଳୁ ଏହି ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ମାତ୍ର ଦୁର୍ଭାଗ୍ୟ ଯେ ଆଖି ସାମ୍ନାରେ ଏତେ ବଡ଼ ଐତିହ୍ୟର ଆସନ୍ନ ମୃତ୍ୟୁକୁ ଦେଖି ବି ବାବୁମାନେ ନିଶ୍ଚିତରେ ବସି ରହିଛନ୍ତି।

ସ୍ବପ୍ନରେ ରହିଗଲା ‘ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର’
ଜୟଦେବ ପୀଠ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ହେବ। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ୫ଟଙ୍କା ଲେଖାଏଁ ଟିକେଟ୍ ଆଦାୟ ହେବ। ଏମିତି କେତେ ଯୋଜନା ହୋଇଥିଲା। ପଦ୍ମ ପୋଖରୀରେ ଭାସମାନ ଅବସ୍ଥାରେ ଶୋଭା ପାଉଥିବା କାଳୀୟ ଦଳନ ଦୃଶ୍ୟକୁ ଆହୁରି ଶୋଭା ବିମଣ୍ଡିତ କରିବା ପାଇଁ ପୋଖରୀରେ ‘ନୀଳ ପଦ୍ମ’ ଫୁଟା ଯାଇଥାନ୍ତା। ଯେବେ ଜୟଦେବ ଟ୍ରଷ୍ଟର ପରାମର୍ଶରେ ଏହା ପରିଚାଳିତ ହେଉଥିଲା, ଏମିତି‌ କେତେ ସ୍ବପ୍ନ ଦେଖାଯାଇଥିଲା। ମାତ୍ର ଉଦାସୀନ ମନୋଭାବ ଆନ୍ତରିକତାର ଅଭାବ ଯୋଗୁଁ କୌଣସି ଗୋଟିଏ ବି ଯୋଜନା ସଫଳ ହେଲା ନାହିଁ।

ସବୁ ଛିନ୍‌ଛତ୍ର
ଅଟକିଲା ସଂପ୍ରସାରଣ
୧୯୬୯ ମସିହାରୁ ଜୟଦେବଙ୍କ ଜନ୍ମ ସ୍ଥାନ କେନ୍ଦୁଲିରେ ପ୍ରତିଷ୍ଠା ହୋଇଥିଲା ଜୟଦେବ ପୀଠ। ୧୭ଏକରରୁ ଅଧିକ ଜମିରେ ରହିଥିଲା। ଏହି ପରିସରରେ ୮୪ ପ୍ରଜାତିର ଗଛ ସହ ଉଦ୍ୟାନ ସଦୃଶ ସଜାଯାଇଥିଲା। ଜୟଦେବଙ୍କ ଗୀତଗୋବିନ୍ଦ ଆଧାରରେ ଗଛଗୁଡ଼ିକ ଏହି ପରିସରରେ ଲଗା ଯାଇଥିଲା। ମାତ୍ର ଏବେ ସେଇ ଗଛ ଉପରେ ଲଟା ଚରି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗଛ ରୁଗ୍‌ଣ ହୋଇଯାଇଥିବା ବେଳେ ଅନାବନା ଘାସ ମାଡ଼ି ଯାଇଛି। ଏହା ବାଦ୍‌ ୮.୭୫ଏକର ବିଶିଷ୍ଟ ଏକ ଔଷଧ ଉଦ୍ୟାନ ଏହି ପରିସରକୁ ସଂଲଗ୍ନ ଥିଲା। ୫୬ କିସମର ଔଷଧୀୟ ବୃକ୍ଷରାଜିରେ ଏହା ଭରପୂର ଥିଲା। ତାହା ବି ସମ୍ପୂର୍ଣ୍ଣ ଉଜୁଡ଼ିଗଲାଣି। ଏହା ମଧ୍ୟରେ ଥିବା ସ୍ପ୍ରିଙ୍କ୍‌ଲର ଓ ପମ୍ପ୍‌ ଭାଙ୍ଗି ଯାଇଥିବାରୁ ପାଣି ବିନା ବୃକ୍ଷରାଜି ନଷ୍ଟ ହୋଇଗଲାଣି। ପରବର୍ତୀ ସମୟରେ ଏହା ଆଉ ୫ ଏକରକୁ ସଂପ୍ରସାରିତ ହେବାର ଯୋଜନା ରହିଥିଲେ ହେଁ ତାହା ବି ହୋଇପାରିଲା ନାହିଁ।

କୁଞ୍ଜ ଅଛି, ମାଧବ ନାହାନ୍ତି
କୁଞ୍ଜ ନିର୍ମାଣ ସରିଛି। ଗୀତଗୋବିନ୍ଦରେ ବର୍ଣ୍ଣିତ ମାଧବଙ୍କ ବ୍ରୋଞ୍ଜ ମୂର୍ତି ବି ବରାଦ ଦେଇ ପ୍ରସ୍ତୁତ ସରିଛି। ହେଲେ ସ୍ଥାପନ ହୋଇ ପାରୁନାହିଁ। କିଛି ବର୍ଷ ତଳେ ଜୟଦେବ ପୀଠକୁ ନିଆରା ରୂପ ଦେବା ପାଇଁ ୧୨ଟି କୁଞ୍ଜରେ ମାଧବଙ୍କୁ ଭିନ୍ନ ଭିନ୍ନ ରୂପରେ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ପ୍ରସ୍ତରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ଗଦାଧର ମହାପାତ୍ର ଏବଂ ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ ହୋଇଥିଲା। ଟେଣ୍ଡର୍‌ ଡକାଯାଇ ୨ ଜଣଙ୍କୁ ବ୍ରୋଞ୍ଜ ମାଧବ ମୂର୍ତି ଗଢ଼ିବାର ଦାୟିତ୍ବ ଦିଆଯାଇଥିଲା। ତେବେ ସରୋଜ ଭଂଜ ନାମକ ବ୍ୟକ୍ତିଜଣକ ୬ଟି ଯାକ ମୂର୍ତି ଦେଇଥିଲେ ହେଁ ଅନ୍ୟ ବ୍ୟକ୍ତିଜଣକ ୫ଟି ମୂର୍ତି ଦେଲେ। ତେଣୁ ଏହାକୁ ନେଇ ବିବାଦ ଦେଖାଦେଲା। ମାମଲା ଭିଜିଲାନ୍ସ ହାତକୁ ଗଲା। ଫଳରେ କୁଞ୍ଜ ସିନା ସ୍ଥାପନ ହେଇଗଲା, କିନ୍ତୁ ମାଧବ ରୁଦ୍ଧ କୋଠରି ଭିତରେ କଏଦ୍‌ ହୋଇ ରହିଲେ।

ସମ୍ବନ୍ଧିତ ଖବର