ଡେଙ୍ଗୁ କେଉଁଠୁ ଆସିଲା ଧରିପାରିଲେନି

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ଗତ ମେ’ ମାସରୁ ଆଜି ପର୍ଯ୍ୟନ୍ତ ଖୋର୍ଧା ଜିଲ୍ଲାରେ କେବଳ ୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ରାଜଧାନୀରେ ଗୋଟିଏ ମାସରେ ୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର କେଉଁ ପରିସ୍ଥିତିରେ ରାଜଧାନୀରେ ଏତେ ସଂଖ୍ୟକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଉଛି ତାହାର ନିର୍ଦ୍ଦିଷ୍ଟ କାରଣ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଦେଇ ପାରୁ ନାହାନ୍ତି। ଏପରିକି ନିକଟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ମୂଳ ଉତ୍ସ ସ୍ପଷ୍ଟ ହୋଇପାରିନାହିଁ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୧ମାସରେ ଖୋର୍ଧାର ଗ୍ରାମଞ୍ଚଳରୁ ୪ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜଧାନୀରେ ଚନ୍ଦ୍ରଶେଖରପୁର ବିଡିଏରୁ ୫୮, ନୂଆପଲ୍ଲୀ, ଆଇଆର୍‌ସି ଭିଲେଜ ଓ ସାଲିଆସାହି ଅଞ୍ଚଳରୁ ୧୧, ୟୁନିଟ୍‌-୩ ଓ ସତ୍ୟନଗରରୁ ଜଣେ ଲେଖାଏଁ, ମଞ୍ଚେଶ୍ୱର ଓ ଓଏସ୍‌ଏପିରୁ ୨ଜଣ ଲେଖାଏଁ ଓ ଅନ୍ୟାନ୍ୟ ଅଞ୍ଚଳକରୁ ୫ଜଣଙ୍କୁ ଚିହ୍ନଟ କରାଯାଇଛି। ଗତବର୍ଷ ଖୋର୍ଧା ଜିଲ୍ଲାରେ ୩୦୮ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଏହି ସମୟରେ ଚିହ୍ନଟ କରାଯାଇଥିଲା।

କେଉଁ ପରିସ୍ଥିତିରେ ୧ମାସ ଭିତରେ ଏତେ ସଂଖ୍ୟକ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯିବାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର ଜଣେ ଏଣ୍ଟୋମୋଲୋଜିଷ୍ଟଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟରେ ଥିବା ଏଣ୍ଟୋମୋଲୋଜିଷ୍ଟଙ୍କୁ ନେଇ ସର୍ବେକ୍ଷଣ କରାଗଲା। ମାତ୍ର ସର୍ବେକ୍ଷଣରେ ସେଭଳି କୌଣସି ଆଖିଦୃଶିଆ ସୂଚନା ଅଧିକାରୀମାନେ ହାସଲ କରିବାରେ ସକ୍ଷମ ହୋଇପାରି ନାହାନ୍ତି। ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିବା ରିପୋର୍ଟରେ ଏଡିସ ମଶାର ଉତ୍ସକୁ ନଷ୍ଟ କରି ଦିଆଯାଇଥିବା କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ସେହି ଅଞ୍ଚଳରେ ବାରମ୍ବାର ଡେଙ୍ଗୁ ଦେଖା ଦେଉଛି ତାହାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ। ତେଣୁ ରାଜଧାନୀକୁ ଡେଙ୍ଗୁ ମଶାର ସେଭଳି କୌଣସି ରିସ୍କ ବା ଭୟ ନାହିଁ। ଗତ ମେ’ମାସରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର୍‌ର ମାଲିକଙ୍କଠାରୁ ଡେଙ୍ଗୁ ଚିହ୍ନଟ କରାଯାଇଥିଲା। ଏପରିକି ସର୍ବେକ୍ଷଣ ସମୟରେ ସେ ବାହାରକୁ ଭ୍ରମଣ କରିବାକୁ ଯାଇଥିବାର କୌଣସି ପ୍ରମାଣ ମିଳି ନ ଥିଲା। ପରେ ପରେ ସେହି ଅଞ୍ଚଳରୁ ଏକାଧି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ କେଉଁ ଉତ୍ସରୁ ପ୍ରଥମେ କୋଚିଂ ସେଣ୍ଟର୍‌ ମାଲିକ ଡେଙ୍ଗୁରେ ଆକ୍ରାନ୍ତ ହେଲେ ତାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସନ୍ଦେହ ଘେରରେ ରହିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ମଶାର ସର୍ବେକ୍ଷଣ କରାଯାଇଥିବା ତାହା ଫଳପ୍ରଦ ହୋଇପାରି ନାହିଁ। ଅପରପକ୍ଷରେ ରାଜଧାନୀରେ ଡେଙ୍ଗୁ ସହିତ ମ୍ୟାଲେରିଆ ମଧ୍ୟ ତାଳ ଦେଇ ବଢ଼ି ଚାଲିଛି। ଖୋର୍ଧା ଜିଲ୍ଲାରେ ଚଳିତବର୍ଷ ମେ’ମାସ ସୁଦ୍ଧା ୧୭୯ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୯ଜଣ ରାଜଧାନୀର ରହିଛନ୍ତି। ଗତବର୍ଷ ଏହି ସମୟରେ ୩୬୫ଜଣ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧିତ ଖବର