ସବୁ ତ ମାଡ଼ି ବସିଲ, ଆମେ ଖେଳିବୁ କୋଉଠି ?

0 246

ଭୁବନେଶ୍ୱର: ରାସ୍ତା ଉପରେ ଖେଳିଲେ ବଡ଼ମାନେ ନାଲି ଆଖି ଦେଖାଉଛନ୍ତି। କାହା ଘରେ ବଲ୍‌ ପଡ଼ିଲେ, ଗାଳି ଶୁଣିବାକୁ ପଡ଼ୁଛି। ଯୋଉ ଟିକକ ଜାଗା ଅଛି, ସେଠି ବି ବସ୍ତି ଯାକର ଅଳିଆ ଗଦେଇ ଦେଉଛନ୍ତି। ଗାଡ଼ି, ମେସିନ୍‌ ଥୋଇ ଦେଉଛନ୍ତି। ଆମେ ତା’ ହେଲେ ଖେଳିବୁ କୋଉଠି ? ପ୍ରତିଦିନ ଖେଳିବା ବେଳେ ଏଇ ସବୁ ସମସ୍ୟାର କଥା ବଖାଣିଥିଲା ବିକାଶ। ଖାଲି ବିକାଶ ନୁହେଁ, ସାଲିଆ ସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ଆକାଶ ଓ ରାଜେନ୍ଦ୍ର ବି ସମାନ ଯୁକ୍ତି ବାଢ଼ିଥିଲେ। ଛୋଟ ହୋଇଥିବାରୁ ସେମାନଙ୍କୁ ଦୂର ବାଟ ଯାଇ ଖେଳିବାକୁ ଘରେ ଅନୁମତି ମିଳୁନଥିବା ବେଳେ ଡଷ୍ଟବିନ୍‌ରୁ ଆସୁଥିବା ଦୁର୍ଗନ୍ଧକୁ ହଜମ କରି ଏମାନଙ୍କୁ ଏଇଠି ହିଁ ଖେଳିବାକୁ ପଡ଼େ। ଏ ସବୁ ବି ତାଙ୍କର ଦେହସୁହା ହୋଇଗଲାଣି। ଏଇ କାରଣରୁ ସେମାନେ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଖେଳିବାକୁ ଇଚ୍ଛା ଥାଇ ବି ସୀମିତ ପଡ଼ିଆରେ ବାଟି ଗୁଲି ଖେଳି ମନକୁ ବୁଝେଇ ନେଉଛନ୍ତି। ଅବସ୍ଥା ଏମିତି ଯେ କଂକ୍ରିଟ୍‌ ସହରର ବିସ୍ତତ ସାମ୍ରାଜ୍ୟ ଭିତରେ ଖେଳ ପଡ଼ିଆ ଧୀରେଧୀରେ ଅଦୃଶ୍ୟ ହୋଇଯାଉଛି। କିଛି ବର୍ଷ ତଳେ ଯେଉଁ ଅସ୍ଥାୟୀ ପଡ଼ିଆରେ ଖେଳିବା ପାଇଁ ସୁବିଧା ଥିଲା, ଆଜି ସେଠି ଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି। ତେଣୁ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ପ୍ରତି ରୁଚି ରଖୁଥିବା ପିଲାଏ ଏବେ ଖେଳିବା ପାଇଁ କିଛି ସ୍ଥାନରେ ପାର୍କକୁ ଆପଣେଇବାକୁ ବାଧ୍ୟ ହୋଇଛନ୍ତି। ଖଣ୍ଡଗିରି ପାଦଦେଶରେ ଥିବା ‘ଖାରବେଳ ପାର୍କ’ରେ ସକାଳେ ଫୁଟ୍‌ବଲ୍‌ ଓ ଅପରାହ୍‌ଣରେ କ୍ରିକେଟ୍‌ ଖେଳ ଚାଲୁଛି। ପାର୍କ ମଧ୍ୟରେ କ୍ରିକେଟ୍‌ ଖେଳିବାର ନିୟମ ନଥିଲେ ବି ବିକଳ୍ପ ଖେଳ ପଡ଼ିଆ ଅଭାବରୁ ପିଲାମାନେ ବାଧ୍ୟ ହୋଇ ଏପରି କରୁଛନ୍ତି। ଖାଲି ସେତିକି ନୁହେଁ, କଳିଙ୍ଗ ଷ୍ଟାଡିୟମ୍‌ ସଂଲଗ୍ନ ବସ୍ତିର ପିଲାମାନେ ଏବେ ଷ୍ଟାଡିୟମ୍‌ର ୯ ନଂ ଫାଟକ ସମ୍ମୁଖ ରାସ୍ତାକୁ ଖେଳ ପଡ଼ିଆ ଭାବେ ବାଛି ନେଇଛନ୍ତି। ଯାହା ସେମାନଙ୍କ ପାଇଁବିପଦଜନକ। ସରକାର ପିଲାଙ୍କୁ ପ୍ରାଧାନ୍ୟ ଦେବାକୁ କେତେ କ’ଣ ସ୍ୱପ୍ନ ଦେଖାଇଛନ୍ତି। କିନ୍ତୁ ଏଯାଏଁ ତାହା ବାସ୍ତବ ରୂପ ନେଇପାରିନାହିଁ।

Panda Mobile only

ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଅର୍ବାନ୍‌ ଅଫାୟାର୍ସ, ନୂଆଦିଲ୍ଲୀ ସହଯୋଗରେ ଅର୍ବାନ ୯୫ ଫାଉଣ୍ଡେସନ୍‌ ପକ୍ଷରୁ ବିଡିଏର ସହଭାଗିତାରେ ଭୁବନେଶ୍ୱର ଭାରତର ପ୍ରଥମ ଶିଶୁ ଉପଯୋଗୀ ସ୍ମାର୍ଟ ସିଟି ଭାବେ ପରିଗଣିତ ହେବ ବୋଲି ୨୦୧୬ରୁ ଆଶା ଦେଖାଯାଇଥିଲା। ଅଥଚ ତାହା ହୋଇପାରିଲା ନାହିଁ। ରାଜଧାନୀରେ ଥିବା ସ୍କୁଲ୍‌ ପଡ଼ିଆକୁ ସ୍କୁଲ୍‌ ନିକଟବର୍ତୀ ଅଞ୍ଚଳର ପିଲାମାନଙ୍କର ଖେଳ ସକାଶେ ଉପଯୋଗ କରିବା ପାଇଁ ଅନୁମତି ଦେବାକୁ ୨୦୧୪ ମସିହାରେ ତତ୍କାଳୀନ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଶାଶ୍ୱତ ମିଶ୍ର ସିଟି ମ୍ୟାନେଜ୍‌ମେଣ୍ଟ୍‌ ଗ୍ରୁପ୍‌କୁ ପ୍ରସ୍ତାବ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପାଖାପାଖି ୪୦ଟି ସ୍କୁଲ୍‌ର ଖେଳ ପଡ଼ିଆକୁ ସ୍କୁଲ୍‌ ନିକଟବର୍ତୀ ଅଞ୍ଚଳର ପିଲାମାନେ ଖେଳିବା ପାଇଁ ବ୍ୟବହାର କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ମାତ୍ର ପରବର୍ତୀ ମୁହୂର୍ତରେ ଏହା ବି ପୂର୍ଣ୍ଣାଙ୍ଗ ରୂପ ନେଇପାରିଲା ନାହିଁ। ୨୦୧୫ରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ପ୍ରତି ପଞ୍ଚାୟତରେ ଆବଶ୍ୟକୀୟ ଭିତ୍ତିଭୂମି ସହ ଏକ ଖେଳ ପଡ଼ିଆର ଉନ୍ନତି କରାଯିବ। ‘ରାଜୀବ ଗାନ୍ଧୀ ଖେଳ ଅଭିଯାନ’ ଯୋଜନାରେ ସରକାର ରାଜ୍ୟର ୬୨୩୬ ପଞ୍ଚାୟତରେ ଏହି ଖେଳପଡ଼ିଆ ନିର୍ମାଣ ପାଇଁ ଯୋଜନା କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗର ତତ୍କାଳୀନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତି ପଞ୍ଚାୟତରେ ଏହିଭଳି ଖେଳ ପଡ଼ିଆ ପାଇଁ ୫ କୋଟି ଟଙ୍କା ଖର୍ଚ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ତାହା ବି କେତେଦୂର କାର୍ଯ୍ୟକାରୀ ହୋଇଛି, ପ୍ରତ୍ୟେକ ପଞ୍ଚାୟତବାସୀ ଅବଗତ। ଖାଲି ଘର ପାଖ ନୁହେଁ, ସ୍କୁଲ୍‌ରେ ବି ଖେଳିବାକୁ ପିଲାମାନଙ୍କ ପାଇଁ ସୁଯୋଗ ନାହିଁ। ୨୦୧୬ ମସିହାର ତଥ୍ୟ ମୁତାବକ, ରାଜ୍ୟର ୫୩ ହଜାର ୨୫୨ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍‌ ମଧ୍ୟରୁ ୪୨ ହଜାର ୬୦ଟି ସ୍କୁଲ୍‌ରେ ଖେଳ ପଡ଼ିଆ ନାହିଁ। କେବଳ ଯେ ପିଲାଟିଏ ବଡ଼ ହୋଇ କ୍ରୀଡ଼ାବିତ୍‌ ହେବ ସେକଥା ନୁହେଁ, ଅନେକ ନିଜକୁ ଫିଟ୍‌ ରଖିବା ସହ ମନୋରଂଜନ ପାଇଁ ଖେଳିବାକୁ ପସନ୍ଦ କରନ୍ତି। ଅବଶ୍ୟ ରାଜଧାନୀରେ କଳିଙ୍ଗ ଷ୍ଟାଡିୟମ୍‌ଠୁ ଆରମ୍ଭ କରି କିଛି ଖେଳ ପଡ଼ିଆ ଅଛି ସତ, କିନ୍ତୁ ସେଠିକୁ ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଅପର ପକ୍ଷରେ ଆଜି ବି ପ୍ରତ୍ୟେକ ଦିନ ଅନେକ ଖେଳ ପଡ଼ିଆର ମୃତ୍ୟୁ ହେଉଛି। ସେଠି ଉଚ୍ଚ ଅଟ୍ଟାଳିକା ଛିଡ଼ା ହେଉଛି। ଧୀରେଧୀରେ କଂକ୍ରିଟ୍‌ ଜଙ୍ଗଲର ଚାଦରରେ ସଙ୍କୁଚିତ ହୋଇ ଯାଉଥିବା ବେଳେ ଅନେକ କୋମଳମତିଙ୍କ କଅଁଳ ମନ ଛାଟିପିଟି ହେଉଛି। ସ୍ୱର ଉଠୁଛି। ହେଲେ ସେଇସବୁ କଅଁଳ ସ୍ୱରର କୋହ ସେଇଠି କବର ନେଇ ଯାଉଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.