୨ ମାସ ହେବ ‌ଛୋଟେଇ ଚାଲୁଛି ସମ୍ରାଟ : କାଟୁ କରୁନି ଔଷଧ, ଆଜି କ୍ବାରେଣ୍ଟାଇନ୍‌କୁ ଆସିବ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ ‘କ’ ଖୁଆଡ଼‌ରେ ରହୁଥିବା ଧଳା ମହାବଳ ବାଘ ‘ସମ୍ରାଟ’ ଦୁଇ ମାସ ହେଲା ଶାରୀରିକ ଓ ମାନସିକ ଅସୁସ୍ଥ ଥିବା ଜଣାଯାଇଛି। ସେ ଡାହାଣ ପାଖ ପଛ ଗୋଡ଼ରେ ଛୋଟେଇ ଛୋଟେଇ ଚାଲୁଥିବା ବେଳେ ତା’ ମନ ସବୁବେଳେ ନିରାଶ ରହୁଛି। ବୈଷୟିକ କମିଟିର ପରାମର୍ଶକ୍ରମେ ଯେତେ ଚିକିତ୍ସା କଲେ ମଧ୍ୟ ତା’ର ସ୍ବାସ୍ଥ୍ୟବସ୍ଥା‌ରେ ଉନ୍ନତି ଆସୁନାହିଁ। ପ୍ରଥମେ ପାଦରେ ଗୋଡ଼ି ରଗଡ଼ି ହୋଇଥିବା ଅନୁମାନ କରି ଚିକିତ୍ସା କରାଯାଇଥିଲା। ଭଲ ନ ହେବାରୁ ଆଶଙ୍କା କରାଯାଇଥିଲା, ଶରୀରର ଓଜନ ବୃଦ୍ଧି ହୋଇ ମେଦବହୁଳତା ହେତୁ ଗୋଡ଼ ଓଜନଭାର ସମ୍ଭାଳି ପାରୁନାହିଁ। ସେଥିଲାଗି ତା’ର ଖାଦ୍ୟ ପରିମାଣକୁ ନିୟନ୍ତ୍ରଣ କରାଯିବା ସହ ମେଦବହୁଳତା କମାଇବା ପାଇଁ ଚିକିତ୍ସା କରାଯାଇଥିଲା। ତଥାପି ଅବସ୍ଥାରେ ସୁଧାର ଆସିନଥିଲା। ଏବେ ତା’ର ସ୍ନାୟୁଗତ ସମସ୍ୟା ଥିବା ଅନୁମାନରେ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଛୋଟେଇବାର ପ୍ରକୃତ କାରଣ ଜାଣିବା ପାଇଁ ବୈଷୟିକ କମିଟି ତା’ର ଆଧୁନିକ ପ୍ରଣାଳୀରେ ଯାଞ୍ଚ କରି ଚିକିତ୍ସା କରିବାକୁ ସ୍ଥିର କରିଛି। ଆସନ୍ତାକାଲି (ଗୁରୁବାର) ବୈଷୟିକ କମିଟିର ସଦସ୍ୟମାନେ ସମ୍ରାଟର ସ୍ବାସ୍ଥ୍ୟ ଯାଞ୍ଚ‌ କରିବାକୁ ଆସୁଛନ୍ତି। ସମ୍ରାଟକୁ ଟ୍ରାଙ୍କୁଲାଇଜ୍ କରି ନିଶ୍ଚେତ କରିବା ପରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ବାରେଣ୍ଟାଇନ୍‌କୁ ଯାଞ୍ଚ ଲାଗି ଅଣାଯିବ। ସେଠାରେ ତା’ ଗୋଡ଼ର ଏକ୍ସରେ’ ଓ ଅଲଟ୍ରାସାଉଣ୍ତ କରାଯିବା ପରେ ଖୁଆଡ଼କୁ ଫେରାଇ ନିଆଯିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଏହି ଧଳା ମହାବଳ ବାଘ ସମ୍ରାଟର ବୟସ ଆଠ ବର୍ଷ ତିନି ମାସ।

ସମ୍ବନ୍ଧିତ ଖବର