ଯୁବକଙ୍କୁ ହତ୍ୟା କରି ପୋଡ଼ିଲା କିଏ? ଭିଡିଓ ଭାଇରାଲ କରିବାରୁ ହତ୍ୟା ! 

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ଭାଇରାଲ ଭିଡିଓ ଘଟଣା ବଢ଼ି ବଢ଼ି ଚାଲିଥିବାବେଳେ ଏହାକୁ ନେଇ ସାଂଘାତିକ ଓ ଜଘନ୍ୟ ଅପରାଧ ମଧ୍ୟ ଘଟି ଚାଲିଛି। ଗତକାଲି ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା କୁଆଖାଇ ନଦୀପଠାରୁ ଅଧାପୋଡ଼ା ମୃତଦେହ ଜବତ ହେବା ପରେ ଏହା ପଛରେ ଥିବା ରହସ୍ୟ କ୍ରମଶଃ ପଦାକୁ ଆସିବାରେ ଲାଗିଛି। ଏହି ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଆଜି ପୁଲିସ ମୃତ ଯୁବକଙ୍କ ପରିଚୟ ପାଇଛି। ତାଙ୍କ ନାଁ ଉନ୍ମୟ ପାଢ଼ୀ(୪୭)। ଘର ବଡ଼ଗଡ଼ ଥାନା ଅଧୀନ ବିଜେବିନଗର ପ୍ଲଟ୍‌ ନମ୍ବର ୪୭୭୬ରେ। ସନ୍ଦେହ କରାଯାଉଛି କି ମୃତ ଯୁବକ ଜଣକ ଜଣେ ଯୁବତୀଙ୍କ ସହିତ ବିତାଇଥିବା ଏକାଧିକ ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ( ଭଦ୍ରକ ଚାନ୍ଦବାଲିର ଜଣେ ବଙ୍ଗୀୟ ଯୁବତୀଙ୍କ ସହିତ) କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ଭିଡିଓ ଭାଇରାଲର ପ୍ରତିଶୋଧ ନେବାକୁ ଯୁବତୀ ଓ ତାଙ୍କର କେତେକ ସହଯୋଗୀ ଉନ୍ମୟଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ତେଣୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଭିଡିଓ ଭାଇରାଲ କରି ବର୍ଷକ ତଳେ ଗିରଫ ହୋଇଥିଲେ ଉନ୍ମୟ
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଉନ୍ମୟଙ୍କୁ ଗତବର୍ଷ ମାର୍ଚ ମାସ ୧୦ ତାରିଖରେ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା। ଅଭିଯୋଗ ଥିଲା ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବତୀ ଯୁନିଟ-୩ ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିଲେ। ସେ ଏଭଳି ଅଭିଯୋଗ କରିବା ସହିତ ପୁଲିସକୁ ଏକ ଭିଡିଓ ଦେଖାଇଥିଲେ। କହିଥିଲେ, ଉନ୍ମୟ ତାଙ୍କ ସହିତ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଯାହା ଫଳରେ ତାଙ୍କ ମାନସମ୍ମାନରେ ଆଞ୍ଚ ଆସିଛି, ଜୀବନ ପ୍ରତି ବିପଦ ବି ଅଛି। ପୁଲିସ ଏଭଳି ଅଭିଯୋଗ ପାଇବା ପରେ ଉନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଶିକ୍ଷାନୁଷ୍ଠାନ ଭିତରେ ହୋଇଥିଲା ସୁଟିଂ

ଉନ୍ମୟ ନୂଆପଲ୍ଲୀ ଅଞ୍ଚଳରେ ଥିବା ଆଇସିଏ ନାମକ ଏକ ଶିକ୍ଷାନୁଷ୍ଠାନର ଓଡ଼ିଶା ମୁଖ୍ୟ ଥିଲେ। ଖାରବେଳନଗର ଥାନା ଅଧୀନ କେଶରୀ ସିନେମା ହଲ୍‌ ନିକଟରେ ଆଇସିଏର ଏକ ଶାଖା କାର୍ଯ୍ୟାଳୟ ଥିଲା। ବଙ୍ଗୀୟ ଯୁବତୀ ଜଣକ ସେଠାରେ ପହଞ୍ଚି ଉନ୍ମୟଙ୍କୁ ସାକ୍ଷାତ କରି ଆକାଉଣ୍ଟାଣ୍ଟ ଚାକିରି ପାଇଥିଲେ। ଚାକିରି ପାଇବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏପରିକି ସମ୍ପର୍କ ଶାରୀରିକ ସମ୍ପର୍କରେ ବଦଳି ଯାଇଥିଲା। ସେମାନଙ୍କ ମଧ୍ୟରେ ଏଭଳି ଅନେକ ଅନ୍ତରଙ୍ଗ ମୁହୂର୍ତର ଏକାଧିକ ଦୃଶ୍ୟକୁ ଉନ୍ମୟ କ୍ୟାମେରାରେ ସୁଟିଂ କରି ନେଇଥିଲେ। ପରବର୍ତୀ ସମୟରେ ଯୁବତୀ ଜଣକ ଅଭିଯୋଗ କରିଥିଲେ କି, ଉନ୍ମୟ ଭିଡିଓ ଭାଇରାଲ କରିବାକୁ ତାଙ୍କୁ ଧମକ ଚମକ ଦେଉଛନ୍ତି।

୩ ଦିନ ତଳେ ଭାଇରାଲ ହୋଇଥିଲା ଚାନ୍ଦବାଲି ଭିଡିଓ
ସଂପୃକ୍ତ ଯୁବତୀଙ୍କ ସହିତ ଉନ୍ମୟଙ୍କର ଆଉ ଏକ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ୩ ଦିନ ତଳେ ସୋସିିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ଚାନ୍ଦବାଲି ଅଞ୍ଚଳରେ ଜୋରଦାର ଚର୍ଚାର ବିଷୟ ପାଲଟିଲା। ଏ ନେଇ ଯୁବତୀ ଜଣକ ୨୦ ତାରିଖ ସକାଳେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ସମ୍ପର୍କରେ ଜଣାଇଥିଲେ। ତେବେ ସେହି ଦିନ ରାତିରେ ଉନ୍ମୟ କେଉଁ ଆଡ଼େ ନିଖୋଜ ହୋଇ ଯାଇଥିଲେ। ଏ ନେଇ ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମିସିଂ ରିପୋର୍ଟ କରିଥିଲା।

ହତ୍ୟାକାଣ୍ଡ ସହିତ ଭାଇରାଲ ଭିଡିଓ ଲିଙ୍କ୍‌!
ବୁଧବାର ସକାଳୁ ସକାଳୁ ନହରକଣ୍ଟା ନଦୀପଠାରେ ଏକ ଅଧାପୋଡ଼ା ମୃତଦେହ ପଡ଼ିଥିବା ନେଇ କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଏକ ଲାପଟପ୍‌, ଅଧା ପୋଡ଼ି ଯାଇଥିବା ପେନ୍‌ ଡ୍ରାଇଭ, ଏକ ବାଇକ୍‌, ଯୁବତୀଙ୍କ ଚପଲ, ଛୁରି ଆଦି ଜବତ କରିଥିଲା। ଲେଡିଜ୍‌ ଚପଲ ଜବତ ହେବା ଓ ଲାପଟପ୍‌ ମିଳିବା ପରେ ଏହି ହତ୍ୟାକାଣ୍ଡ ସହିତ ପୁଲିସ ଭାଇରାଲ ଭିଡିଓର ଲିଙ୍କ୍‌ ଥିବା ନେଇ ସନ୍ଦେହ କରୁଛି।

ବାଇକ୍‌ ନମ୍ବରରୁ ମିଳିଲା ପରିଚୟ

ଦୁର୍ବୃତ୍ତମାନେ ଉନ୍ମୟଙ୍କୁ ହତ୍ୟା କରି ପୋଡ଼ି ଦେଇଥିବାରୁ ତାଙ୍କ ପରିଚୟ ମିଳିବା କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ ଦୁର୍ବୃତ୍ତମାନେ ଉନ୍ମୟଙ୍କ ବାଇକ୍‌କୁ ଘଟଣାସ୍ଥଳରେ ଛାଡ଼ି ପଳାଇଥିଲେ। ବାଇକ୍‌ ନମ୍ବରରୁ ପୁଲିସ ଉନ୍ମୟଙ୍କ ଠିକଣା ପାଇଥିଲା। ଏହା ପରେ ପୁଲିସ ଉନ୍ମୟଙ୍କ ବିଜେବିନଗର ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଉନ୍ମୟଙ୍କ ବାପାମା’ଙ୍କ ମୃତ୍ୟୁ ଘଟିଥିବାବେଳେ ଘରେ କେବଳ ଦୁଇ ଭାଇ ଉନ୍ମୟ ଓ ଚିନ୍ମୟ ରହୁଥିଲେ। ବଡ଼ ଭାଇ ଚିନ୍ମୟ ମଧ୍ୟ ଅବିବାହିତ ବୋଲି ଜଣାପଡ଼ିଛି।

                     ଚାନ୍ଦବାଲି ଭାଇରାଲ ଭିଡିଓ ସହିତ ଲିଙ୍କ୍‌ ନେଇ ଖୋଳତାଡ଼
                ବର୍ଷକ ତଳେ ଗିରଫ ହୋଇଥିଲେ ଉନ୍ମୟ ଯୁବତୀଙ୍କ ସହ ୨ ଅଟକ

ଚାନ୍ଦବାଲି ଯୁବତୀ ହିଁ ହତ୍ୟାକାଣ୍ଡ ଭିଆଇଛନ୍ତି: ଚିନ୍ମୟ
ମୃତ ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ ଆଜି ଅଭିଯୋଗ କରିଛନ୍ତି କି, ଯେଉଁ ସବୁ ଅଶ୍ଳୀଳ ଭିଡିଓ ସୁଟିଂ ହୋଇଛି ସେହି ସବୁ ଭିଡିଓ ସେହି ବଙ୍ଗୀୟ ଯୁବତୀ ହିଁ ସୁଟିଂ କରାଇଛନ୍ତି। ସେହି ଭିଡିଓକୁ ଦେଖାଇ ଯୁବତୀ ଜଣକ ତାଙ୍କ ପ୍ରେମିକ ସହିତ ମିଶି ସାନ ଭାଇ ଉନ୍ମୟଙ୍କୁ ବ୍ଲାକମେଲ୍‌ କରୁଥିଲେ। ଏପରିକି ସଂପୃକ୍ତ ଯୁବତୀ ଜଣକ ଉନ୍ମୟଙ୍କଠାରୁ ୩ ଲକ୍ଷ ଟଙ୍କା, ଦାମୀ ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌ ମଧ୍ୟ ନେଇଛନ୍ତି। ଏହାର ପ୍ରମାଣ ଗତବର୍ଷ ଖାରବେଳନଗର ଥାନା ପୁଲିସକୁ ମଧ୍ୟ ଦେଇଥିଲୁ। କିନ୍ତୁ ପୁଲିସ ଆମ ଅଭିଯୋଗକୁ ନ ଶୁଣି ଓଲଟି ସାନ ଭାଇ ଉନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଦେଇଥିଲା। ସେହିପରି ଗତ ୬ ମାସ ହେବ ଯୁବତୀ ଓ ତାଙ୍କ ପ୍ରେମିକ ସାନ ଭାଇଙ୍କୁ ଧମକ ଚମକ ମଧ୍ୟ ଦେଇ ଆସୁଥିଲେ ବୋଲି ଚିନ୍ମୟ କହିଛନ୍ତି।

ଯୁବତୀ କହିଲେ ତାଙ୍କ ସଂପୃକ୍ତି ନାହିଁ
ଦିନ ତମାମ ଭାଇରାଲ ଭିଡିଓକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବାବେଳେ ଆଜି ସଂଧ୍ୟାରେ ହଠାତ୍‌ ଯୁବତୀ ଜଣକ ନିର୍ଦିଷ୍ଟ ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି ଏହି ହତ୍ୟାକାଣ୍ଡ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଯଦି ସେ ହତ୍ୟାକାଣ୍ଡ ଭିଆଇଥାନ୍ତେ କାହିଁକି ଡିସିପିଙ୍କୁ ସେ ଆଗୁଆ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥାନ୍ତେ କି ବୋଲି ସେ ଓଲଟି ପ୍ରଶ୍ନ କରିଛନ୍ତି।

ଉନ୍ମୟଙ୍କ ପାଦରେ ଅଳତା, ମୃତଦେହର ହେବ ଡିଏନ୍‌ଏ ଟେଷ୍ଟ
ଆଜି ଶବ ବ୍ୟବଚ୍ଛେଦବେଳେ ପୁଲିସ ଦେଖିବାକୁ ପାଇଥିଲା ଉନ୍ମୟଙ୍କ ପାଦରେ ଅଳତା ଲାଗିଛି। ତେଣୁ ପୁଲିସ ସନ୍ଦେହ କରୁଛି ଉନ୍ମୟଙ୍କୁ କେଉଁଠି ଜବରଦସ୍ତ ବିବାହ କରାଯାଇଛି। ଆଉ ତା’ ପରେ ତାଙ୍କୁ ନଦୀପଠାକୁ ନିଆ ଯାଇ ହତ୍ୟା କରାଯାଇଛି। ଏପଟେ ଉନ୍ମୟଙ୍କ ଭାଇ କହିଛନ୍ତି, ଘରୁ ଜୋତା ପିନ୍ଧି ଆସିଥିବାବେଳେ ଘଟଣାସ୍ଥଳରୁ ଚମଡ଼ା ଚପଲ ମିଳିଥିଲା। ତେଣୁ ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି। ମୃତଦେହ ନିକଟରୁ ବାଇକ୍‌ ମିଳିଥିବାରୁ ସେ ତାଙ୍କ ଭାଇ ବୋଲି କହିଛନ୍ତି। ଏହା ଛଡ଼ା ଭାଇର କୌଣସି ଚିହ୍ନ ବର୍ଣ୍ଣ ମଧ୍ୟ ପାଇ ନାହାନ୍ତି। ତେଣୁ ପରିଚୟ ପାଇବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୁଲିସ
ଭାଇରାଲ ଭିଡିଓ ସମେତ ବିଭିନ୍ନ ଦିଗକୁ ନେଇ ପୁଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଚଳାଇଛି। ଉନ୍ମୟଙ୍କ ମୋବାଇଲ୍‌ ନମ୍ବର ଓ ଘଟଣାସ୍ଥଳରୁ ଜବତ ହୋଇଥିବା ଲାପଟପକୁ ନେଇ ଖୋଳତାଡ଼ କରିଛି। ମାତ୍ର କେଉଁ ପରିସ୍ଥିତିରେ ଘଟଣାସ୍ଥଳକୁ ଉନ୍ମୟ ଲାପଟପ୍‌ ଓ ପେନଡ୍ରାଇଭ ଧରି ଆସିଥିଲେ ତାହା ଏବେ ବି ରହସ୍ୟମୟ ହୋଇ ରହିଛି।

ସମ୍ବନ୍ଧିତ ଖବର