କଟକ ରୋଡ୍‌ ଦୁଃଖ ବୁଝିବ କିଏ? ପୂର୍ତ୍ତ ବିଭାଗ, ବିଏମ୍‌ସି ଆଖି ବୁଜି ଦେଇଛନ୍ତି ଟ୍ରାଫିକ୍ ପୁଲିସ୍ ବି ବେଫିକର

0

ଭୁବନେଶ୍ବର: ରସୁଲଗଡ଼ରୁ କଳ୍ପନା। ୫ କିମି ଏହି ରାସ୍ତା କଟକ ରୋଡ୍‌ ଭାବେ ‌ପରିଚିତ। ରାଜଧାନୀର ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କିନ୍ତୁ ସମସ୍ୟାର ସୀମା ନାହିଁ। ଫୁଟ୍‌ପାଥ୍‌ ଆଦୌ ନାହିଁ। ବସ୍‌ ଷ୍ଟପେଜ୍ ନାହିଁ। ମନଇଚ୍ଛା ପାର୍କିଂ ଓ ବେଫିକର ଜବରଦଖଲ। ଭିଡ଼ ନିୟନ୍ତ୍ରଣ ପାଇଁ ନାହାନ୍ତି ଯଥେଷ୍ଟ ଟ୍ରାଫିକ୍ ପୁଲିସ୍। ସୌନ୍ଦର୍ଯ୍ୟକରଣ କଥା ନକହିବା ଭଲ। ଭୁବନେଶ୍ବରର ପ୍ରମୁଖ ରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଥିଲା ବେଳେ କଟକ ରୋଡ୍‌ ପରି ପୁରୁଣା ତଥା ଜନଗହଳିପୂର୍ଣ୍ଣ ରାସ୍ତା କଥା ସମସ୍ତେ ଭୁଲି ଯାଇଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ, ହୋଟେଲ୍‌, ସିନେମା ହଲ୍‌, ଆବାସିକ ଅଞ୍ଚଳ, ସପିଂ ମଲ୍‌ ଓ ଶତାଧିକ ଦୋକାନ ରହିଛି। ଲକ୍ଷ୍ମୀସାଗର, ଝାରପଡ଼ା, ବମିଖାଲ, ବୁଦ୍ଧେଶ୍ବରୀ, ଚିନ୍ତାମଣିଶ୍ବର ଆଦି ଅଞ୍ଚଳର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଭୁବନେଶ୍ବର ରେଳ ଷ୍ଟେସନ୍‌ର ଏକ ଫାଟକ ମଧ୍ୟ ଏହି ରାସ୍ତା ସହ ଯୋଡ଼ି ହୋଇଛି। ପୁଣି କିଛି ବିବାହ ମଣ୍ଡପ ଓ ହୋଟେଲ୍‌ ଥିବାରୁ ବିବାହ ଋତୁରେ ଏହି ରାସ୍ତାରେ ଅସମ୍ଭାଳ ଭିଡ଼।

ଭୁବନେଶ୍ବର ସ୍ମାର୍ଟ ସିଟି ପ୍ରକଳ୍ପରେ କଟକ ରୋଡ୍‌ର ସ୍ଥାନ ନାହିଁ। ସ୍ମାର୍ଟ ସିଟି ପ୍ରକଳ୍ପରେ ମୁଖ୍ୟତଃ ଜନପଥ ରହିଥିଲା ବେଳେ ପରେ ସଚିବାଳୟ ମାର୍ଗକୁ ମଧ୍ୟ ଗୁରୁତ୍ବ ଦିଆଯାଇ ବିଭିନ୍ନ କାମ ହାତକୁ ନିଆଯିବାର ଯୋଜନା ରହିଛି। କେଉଁଠି ଚଉଡ଼ା ଫୁଟ୍‌ପାଥ୍ ହେବ ତ କେଉଁଠି ବସ୍ ବେ ରହିବ। ପୁଣି ପାର୍କିଂ ଓ ସାଇକେଲ୍‌ ଟ୍ରାକ୍। ଏସବୁ କଟକ ରୋଡ୍‌ ପାଇଁ ଯେମିତି ସାତ ସପନ। କଟକ ରୋଡ୍‌ଟି ମୁଖ୍ୟତଃ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। କିନ୍ତୁ ଏହି ରାସ୍ତାର ଉନ୍ନତି ପାଇଁ ବିଭାଗର କୌଣସି ଯୋଜନା ନାହିଁ। ବିଏମ୍‌ସି ବି ଏହି ରାସ୍ତାକୁ ଆଡ଼ ଆଖିରେ ଚାହୁଁନାହିଁ। ଏପରିକି ରାସ୍ତାର ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିଲେ ବି ଉଚ୍ଛେଦ ପାଇଁ ବିଏମ୍‌ସି ଆଦୌ ଆଗ୍ରହ ପ୍ରକାଶ କରୁନାହିଁ। କଟକ ରୋଡ୍‌ର ଦୁରବସ୍ଥାର ଏହା ଆଉ ଏକ ପ୍ରମୁଖ କାରଣ। ସେହିପରି ଲକ୍ଷ୍ମୀସାଗର ଓଭର୍‌ବ୍ରିଜ୍ ତଳେ କିଛି ଗାଡ଼ି ଦୀର୍ଘ ଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଆଉ କିଛି ଖାଲି ସ୍ଥାନରେ ଟ୍ରକ୍ ପାର୍କିଂ ହେଉଛି। ଏହାଦ୍ବାରା ରାସ୍ତାର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହି ପରିତ୍ୟକ୍ତ ଗାଡ଼ିଗୁଡ଼ିକୁ କିଏ ଉଠାଇବ, ତା’ର ଉତ୍ତର କାହା ପାଖରେ ନାହିଁ। ପୂର୍ତ୍ତ ବିଭାଗ ଓ ବିଏମ୍‌ସିର ଅବହେଳା ଚରମ ସୀମାରେ ପହଞ୍ଚିଥିବାରୁ ସ୍ଥାନୀୟ ଅଧିବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍‌ର ଅବହେଳା ବି ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରୁଛି। କଟକ ରୋଡ୍‌ରେ କେବଳ ଲକ୍ଷ୍ମୀସାଗର ଛକ ଓ କଳ୍ପନା ଛକ ପୂର୍ବରୁ ଟ୍ରାଫିକ୍ ‌ପୁଲିସ୍‌ ମୁତୟନ ହୋଇଛନ୍ତି। କିନ୍ତୁ ସନ୍ଧ୍ୟାରେ ଏସ୍‌ପ୍ଲାନେଡ୍‌ ସାମ୍ନାରେ ଭିଡ଼ ହେଉଥିଲେ ବି ଘରୋଇ ସୁରକ୍ଷା କର୍ମୀଙ୍କ ହାତରେ ଛକର ଭାଗ୍ୟ ଛାଡ଼ି ଦିଆଯାଇଛି। ସେମିତି ଲକ୍ଷ୍ମୀସାଗର ଓଭର୍‌ବ୍ରିଜ୍ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଟ୍ରାଫିକ୍ ପୁଲିସ୍‌ର ପାଦ ସେଠାର ପଡ଼େ ନାହିଁ। ବହୁ ସମୟ ଧରି ଲୋକେ ଜାମ୍‌ରେ ଫସୁଥିବା ଦେଖିବାକୁ ମିଳେ। ବମିଖାଲ ବାସିନ୍ଦା ତଥା ପୂର୍ବତନ ସୂଚନା କମିସନର୍‌ ଜଗଦାନନ୍ଦଙ୍କ କହିବା ଅନୁୟାୟୀ, ଏହା ସହରର ଏକ ପୁରୁଣା ରାସ୍ତା ହୋଇଥିଲେ ମଧ୍ୟ ସଚିବାଳୟ ମାର୍ଗ, ବିଦ୍ୟୁତ୍‌ ମାର୍ଗ, ଜନପଥ କିମ୍ବା ସହରର ଅନ୍ୟ ରାସ୍ତାଗୁଡ଼ିକ ପରି ଫୁଟ୍‌ପାଥ୍‌, ଭେଣ୍ଡିଂ ଜୋନ୍‌, ପାର୍କିଂ ସ୍ଥାନ, ସାଇକେଲ୍‌ ଟ୍ରାକ୍‌ ଓ ବସ୍‌ ଷ୍ଟପେଜ୍ ଆଦି ନାହିଁ। ଏହାକୁ ଜବରଦଖଲମୁକ୍ତ କରାଯାଉନାହିଁ। ସହରର ଅନ୍ୟରାସ୍ତାଗୁଡ଼ିକ ଅପେକ୍ଷା ଏହି ରାସ୍ତା କାହିଁକି ଏତେ ଅବହେଳିତ, ତାହା ବୁଝାପଡ଼ୁନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.