କର୍କଟ ଔଷଧ କିଣିବାରେ ପଛଘୁଞ୍ଚା କାହିଁକି?

ଔଷଧ ନିଗମ ଦେଉନି କ୍ୟାପିଟାଲ ହସ୍ପିଟାଲ କିଣୁନି

ଭୁବନେଶ୍ବର: କର୍କଟ ରୋଗୀଙ୍କ ଚିକିତ୍ସାକୁ ସଂପୂର୍ଣ୍ଣ ନିଜ ହାତରୁ ଛାଡ଼ି ଦେଇଛନ୍ତି ସରକାର। ରାଜଧାନୀର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାଂଶ ଔଷଧ ମିଳୁନି। ରାଜ୍ୟ ଔଷଧ ନିଗମ ଜୀବନ ରକ୍ଷାକାରୀ ଔଷଧ ଯୋଗାଉନାହିଁ କି ହସ୍ପିଟାଲ କର୍ତୃପକ୍ଷ ମଧ୍ୟ କିଣୁ ନାହାନ୍ତି। ରୋଗୀ ପଚାରିଲେ କୁହାଯାଉଛି, ଇନକମ୍ ସାର୍ଟିଫିକେଟ୍ ଆଣ। ଇନକମ୍ ସାର୍ଟିଫିକେଟ୍ ଆଣିବା ଓ କାଗଜପତ୍ର କାମ ଭିତରେ ଦିନ ପରେ ଦିନ ବିତି ଯାଉଛି। ଆଉ ଯେଉଁମାନଙ୍କର ଇନକମ୍ ସାର୍ଟିଫିକେଟ୍‌ ଦେବା ସମ୍ଭବ ନୁହେଁ କି ଆଣିପାରୁ ନାହାନ୍ତି, ସେମାନେ ନିଜ ଖର୍ଚରେ ନିଜର ଚିକିତ୍ସା କରୁଛନ୍ତି। ମାସ ପରେ ମାସ ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ସମସ୍ତେ ଆଖି ବୁଜି ଦେଇଛନ୍ତି। ରାଜ୍ୟ ସରକାରଙ୍କ ‘ନିରାମୟ’ ଯୋଜନା ବାଦ୍ ପ୍ରତ୍ୟେକ ହସ୍ପିଟାଲକୁ ସରକାର ଅତିରିକ୍ତ ୨୦ ପ୍ରତିଶତ ହିସାବରେ ଔଷଧ କିଣିବା ପାଇଁ ଅର୍ଥ ଦେଉଛନ୍ତି। ଏ ବାବଦରେ ଗତ ୩ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲକୁ କୋଟି କୋଟି ଟଙ୍କା ଦିଆଯାଇଛି। ପ୍ରତିବର୍ଷ ଏହି ଟଙ୍କାରେ ବୃଦ୍ଧି ଘଟୁଛି। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଜୀବନ ରକ୍ଷାକାରୀ ଔଷଧ କିଣିବା ଦିଗରେ ଆଗ୍ରହ ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସରକାର ଔଷଧ କିଣା ପାଇଁ ଟଙ୍କା ଦେଉଥିବା ବେଳେ ହସ୍ପିଟାଲରେ ଜୀବନ ରକ୍ଷାକାରୀ ଔଷଧ ନ କିଣିବା ପଛରେ ଏକ ସୁଚିନ୍ତିତ ଯୋଜନା ହୋଇଥିବା ଅଭିଯୋଗ ହେଉଛି। ୨୦୧୬ ମସିହାରେ କ୍ୟାପିଟାଲ ହସ୍ପିଟାଲରେ କେମୋଥେରାପି ଆରମ୍ଭ ହେବା ପରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ଖୋର୍ଧା ଜିଲ୍ଲା ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରୁ ରୋଗୀମାନେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। କେମୋଥେରାପି ଆରମ୍ଭ ହେବାର ୨ବର୍ଷ ଭିତରେ ୭ହଜାରରୁ ଅଧିକ ରୋଗୀ ଓ ପରବର୍ତୀ ବର୍ଷରେ ଅନେକ ରୋଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଛନ୍ତି। ମାତ୍ର କର୍କଟ ରୋଗୀଙ୍କ ପାଇଁ ଔଷଧ ହସ୍ପିଟାଲରେ ମିଳୁନାହିଁ। ଟ୍ରାସଜୁମା, ଆଲବୋମିନ୍, ଭିନଫିଷ୍ଟିନ୍ ଭଳି ଅନେକ କର୍କଟ ରୋଗ ଔଷଧ ହସ୍ପିଟାଲରେ ନାହିଁ। ଗୋଟିଏ ଗୋଟିଏ କୋର୍ସ ସାରିବା ପାଇଁ ଜଣେ ରୋଗୀଙ୍କୁ ୨/୩ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଏ ପରିସ୍ଥିତିରେ ଔଷଧ ନ ମିଳିବା ରୋଗୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଯେଉଁମାନଙ୍କର ବିପିଏଲ କାର୍ଡ ରହିଛି କିମ୍ବା ଆୟ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି, ସେମାନଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌ରୁ ମାଗଣାରେ ଔଷଧ ମିଳୁଛି, ନଚେତ୍ ନାହିଁ। ଇନକମ୍ ସାର୍ଟିଫିକେଟ୍‌ ପାଇଲା ବେଳକୁ ଲୋକଙ୍କ ଚିକିତ୍ସା ଦିନ ଗଡ଼ି ଯାଉଛି। ନଚେତ୍ ରୋଗୀମାନଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ରେଫର୍‌ କରି ଦିଆଯାଉଛି। ଅନେକ ରୋଗୀ ମଧ୍ୟ ସେଠାରେ ଔଷଧ ନ ପାଇ ହତାଶ ହୋଇଯାଉଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ଆୟବର୍ଗକୁ ବିଚାରକୁ ନ ନେଇ ସମସ୍ତଙ୍କୁ ଚିକିତ୍ସା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର କ୍ୟାପିଟାଲ୍‌ ହସ୍ପିଟାଲରେ ଏହି ଯୋଜନା ଏକପ୍ରକାର ବିଫଳ ହୋଇଛି।

ନିଗମ ତାଲିକାରେ ୧୦୬ ଜରୁରୀ ଔଷଧରୁ ୭୨ କର୍କଟ
ରାଜ୍ୟ ଔଷଧ ନିଗମ ପକ୍ଷରୁ ସବୁ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ ବର୍ଷ ନିଗମର ଔଷଧ ତାଲିକା ଲମ୍ବିବାରେ ଲାଗିଛି। ୨୦୧୮/୧୯ବର୍ଷରେ ନିଗମ ପକ୍ଷରୁ ୬୪୦ ପ୍ରକାର ଔଷଧ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତହିଁରୁ ୧୦୬ ଜରୁରୀକାଳୀନ ଔଷଧ ହୋଇଥିବା ବେଳେ ଏଥିରେ ୭୨ଟି ରହିଛି କର୍କଟ ରୋଗର ଔଷଧ। ନିଗମ ଯେଉଁ ଯେଉଁ କର୍କଟ ଔଷଧ କିଣିଥାଏ, ତାହା ଆଚାର୍ଯ୍ୟ ହରିହରସ୍ଥିତ କର୍କଟ କେନ୍ଦ୍ରରୁ କେ‌ମୋଥେରାପି ଥିବା ସମସ୍ତ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଯୋଗାଣ ହୋଇଥାଏ। ମାତ୍ର ଏବେ ନିଗମ ପକ୍ଷରୁ ଅନେକ କର୍କଟ ଔଷଧ ଯୋଗାଣ ନଥିବା ଜଣାପଡ଼ିଛି। ଏପରିକି କିଛି ଔଷଧ ପାଇଁ କମ୍ପାନିମାନେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରୁନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ଔଷଧ ଯୋଗାଇପାରୁନି ନିଗମ। ନିଗମର ଜଣେ ଅଧିକାରୀ କହିଛନ୍ତି, ହସ୍ପିଟାଲ ପକ୍ଷରୁ ଯେଉଁ ଇଣ୍ଡେଣ୍ଟ ଦିଆଯାଇଥାଏ, ସେହି ଅନୁଯାୟୀ ନିଗମ ଔଷଧ କିଣିଥାଏ। ମାତ୍ର ଏବେ ସବୁକିଛି ମାଗଣା ହେବା ପରେ ରୋଗୀଙ୍କ ସଂଖ୍ୟା ଆକଳନ କରିବାରେ ଅସୁବିଧା ହେଉଛି। ତେଣୁ ସବୁ ହସ୍ପିଟାଲର ସିଡିଏମ୍‌ଓମାନଙ୍କୁ ପୂର୍ବବର୍ଷ ରୋଗୀଙ୍କ ସଂଖ୍ୟାରେ ୧୦ପ୍ରତିଶତ ଅଧିକ ଔଷଧ ପାଇଁ ଇଣ୍ଡେଣ୍ଟ ଦେବାକୁ କୁହାଯାଉଛି। ଏହାସହ ଟେଣ୍ଡର୍‌ ପ୍ରକ୍ରିୟା ବର୍ଷେ ପର୍ଯ୍ୟନ୍ତ ଅବଧି ଥିବା ବେଳେ ଏହି ସମୟ ବାହାରେ ଯଦି ଇଣ୍ଡେଣ୍ଟ ଆସେ, ତେବେ ଏହାକୁ କିଣିବା ନିଗମ ପକ୍ଷରୁ ସମ୍ଭବ ହୋଇନଥାଏ। ଅପରପକ୍ଷରେ ୫ଲକ୍ଷ ଟଙ୍କାରୁ କମ୍ ଦାମର ଔଷଧକୁ ସିଡିଏମ୍‌ଓମାନଙ୍କୁ କିଣିବା ପାଇଁ କୁହାଯାଇଥାଏ। ‌ସଂପୃକ୍ତ ଡାକ୍ତରଖାନା ସରକାରଙ୍କ ପକ୍ଷରୁ ମିଳୁଥିବା ୨୦ପ୍ରତିଶତ ଅର୍ଥରୁ ଏହାକୁ କିଣିପାରିବେ। ରାଜ୍ୟର ‌ୱେୟାରହାଉସରେ କେତେ ପରିମାଣର ଔଷଧ ରହିଛି, ତାହା ଜାଣିବା ପାଇଁ ନିଗମ ଏକ ସ୍ବତନ୍ତ୍ର ସଫ୍‌ଟୱେୟାର ପ୍ରସ୍ତୁତ କରିଛି। ପୂର୍ବରୁ ଇ-ଔଷଧୀ ଭାବେ କାର୍ଯ୍ୟ କରୁଥିବା ବେଳେ ଏହା ଇ-ନିରାମୟ ରହିଛି। ୫ ମାସରୁ କମ୍ ଷ୍ଟକ୍ ଥିବା ସନ୍ଦେହ ହେଲେ ନିଗମ ଔଷଧ କିଣିବା ପାଇଁ ନିଷ୍ପତ୍ତି ନେଉଛି ବୋଲି ଅଧିକାରୀ କହିଛନ୍ତି।

୩ ବର୍ଷରେ ଔଷଧ କିଣା ପାଇଁ ହସ୍ପିଟାଲ ପାଇଛି ୪କୋଟିରୁ ଅଧିକ
‘ନିରାମୟ’ ଯୋଜନା ବାଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟୟ ଅଟକଳର ୨୦ ପ୍ରତିଶତ ଅର୍ଥ ସ୍ବତନ୍ତ୍ର ଭାବେ କେବଳ ଔଷଧ କିଣିବା ପାଇଁ ଦିଆଯାଉଛି। ଆବଶ୍ୟକ ସମୟରେ ହସ୍ପିଟାଲ କର୍ତୃପକ୍ଷ ଏହି ଅର୍ଥରୁ ଔଷଧ କିଣିପାରିବେ। ୨୦୧୬ରୁ ୨୦୧୯ ମସିହା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ସରକାର ୪ କୋଟି ୫୪ଲକ୍ଷ ୬୧ହଜାର ୧୨୦ଟଙ୍କା ଦେଇଛନ୍ତି। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଶତପ୍ରତିଶତ ଅର୍ଥ ଖର୍ଚ କରିଥିବା ହିସାବରେ ଦର୍ଶାଇଛନ୍ତି। ୨୦୧୯/୨୦ବର୍ଷରେ ମଧ୍ୟ ପୂର୍ବବର୍ଷ ତୁଳନାରେ ଅଧିକ ଟଙ୍କା ହସ୍ପିଟାଲକୁ ବ୍ୟୟବରାଦ ହୋଇଥିବା ଆଶା କରାଯାଉଛି। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଜୀବନ ରକ୍ଷାକାରୀ ଔଷଧ କିଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି। କର୍କଟ ବିଭାଗ ପକ୍ଷରୁ ମଧ୍ୟ କର୍ତୃପକ୍ଷଙ୍କୁ ଔଷଧ ସଂପର୍କରେ ଜଣାଇ ଦିଆଯାଇଥିଲେ ହେଁ କର୍ତୃପକ୍ଷ କିଣୁ ନଥିବା କୁହାଯାଉଛି।

ହସ୍ପିଟାଲ ନିର୍ଦେଶକଙ୍କ ସହ ଆଲୋଚନା ହୋଇଛି: ସ୍ବାସ୍ଥ୍ୟସେବା ନିର୍ଦେଶକ
କ୍ୟାପିଟାଲ ହସ୍ପିଟାଲରେ ଅଧିକାଂଶ କର୍କଟ ଔଷଧ ମିଳୁ ନଥିବା ଘଟଣାରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, କ’ଣ ପାଇଁ ହସ୍ପିଟାଲରେ କର୍କଟ ଔଷଧ ଉପଲବ୍ଧ ହେଉନାହିଁ, ଏଥିପାଇଁ ହସ୍ପିଟାଲର ନିର୍ଦେଶକଙ୍କ ସହିତ ଆଲୋଚନା ହୋଇଛି। ଯଦି ହସ୍ପିଟାଲର ଡାକ୍ତର ଯେଉଁ ଔଷଧ ‌ଲେଖୁଛନ୍ତି ଓ ହସ୍ପିଟାଲରେ ତାହା ଉପଲବ୍ଧ ହେଉନାହିଁ, ଏସବୁ ନିର୍ଦ୍ଦିଷ୍ଟ ରୋଗୀଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଛି। କେଉଁ ପରିସ୍ଥିତିରେ ଔଷଧ କିଣାଯାଇ ନାହିଁ, ସେ ସଂପର୍କରେ ଜଣାଇବା ପାଇଁ କୁହାଯାଇଛି। ଯଦି ଜରୁରୀ ଔଷଧ ଆବଶ୍ୟକ ତେବେ ୨୦ପ୍ରତିଶତ ଅର୍ଥ ହେଉ ବା ନିଗମକୁ ଆଉଥରେ ଯୋଗାଯୋଗ କରି କିଣିବା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର