କାହା ସ୍ୱାର୍ଥରେ କିଣା ହୋଇଛି ଏଚ୍‌ପିଟିଏଲ୍‌ସି ମେସିନ୍‌?

ଭୁବନେଶ୍ୱର: ଆୟୁର୍ବେଦିକ ପରୀକ୍ଷା ଓ ଗବେଷଣାଗାରରେ ରହିଛି ଅତ୍ୟାଧୁନିକ ଓ ଦାମୀ ହାଇ ପରଫରମାନ୍‌ସ ଥିନ୍‌ ଲେୟାର କ୍ରୋମାଟୋଗ୍ରାଫି ବା ଏଚ୍‌ପିଟିଏଲ୍‌ସି ମେସିନ୍‌। ଲାଗିବା ଦିନଠାରୁ ଏହା ଅଚଳ। ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜରେ ଏହି ମେସିନ୍‌ ସପ୍ତାହକୁ ଗୋଟିଏ ଦିନ ଚାଲୁଛି। ତେବେ ଆୟୁର୍ବେଦିକ ପରୀକ୍ଷାଗାରେ ଏଚ୍‌ପିଟିଏଲ୍‌ସି ମେସିନ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ଏହାର ଅପଗ୍ରେଡେସନ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଅଚଳ ମେସିନ୍‌ର ଅପଗ୍ରେଡେସନ୍‌ ପାଇଁ କିଏ ଓ କାହା ସ୍ୱାର୍ଥରେ ପ୍ରସ୍ତାବ ଦେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ଅର୍ଥରେ ଆୟୁର୍ବେଦିକ ପରୀକ୍ଷା ଓ ଗବେଷଣାଗାରରେ କିଛିବର୍ଷ ତଳେ ଏଚ୍‌ପିଟିଏଲ୍‌ସି ମେସିନ୍‌ କିଣାଯାଇଥିଲା। ଏହାର ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ତେବେ ପରୀକ୍ଷାଗାରରେ ଏହି ମେସିନ୍‌ର କୌଣସି ଆବଶ୍ୟକତା ନ ଥିବାରୁ ଆରମ୍ଭରୁ ଏହା କେବେ ଚାଲିନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆୟୁର୍ବେଦିକ ଫାର୍ମାକୋପିଆ ଅଫ୍‌ ଇଣ୍ଡିଆ ବା ଏପିଆଇରେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଯେଉଁ ମାନ ଧାର୍ଯ୍ୟ କରାଯାଇଛି ତହିଁରେ ଏଚ୍‌ପିଟିଏଲ୍‌ସି ମେସିନ୍‌ ସଂପର୍କରେ କୌଣସି ଉଲ୍ଲେଖ ନାହିଁ। ଏଥିରେ ମେସିନ୍‌ର ରିଡିଂ ମଧ୍ୟ ଦିଆଯାଇ ନାହିଁ। ମାତ୍ର କେନ୍ଦ୍ରରୁ ମିଳିଥିବା ଅର୍ଥରେ ଏହି ମେସିନ୍‌କୁ କିଣାଯାଇଛି।

ପରୀକ୍ଷାଗାରରେ ଏହି ମେସିନ୍‌ର ଉପସ୍ଥିତିକୁ ନେଇ ଅଡିଟ୍‌ରେ ବାରମ୍ବାର ପ୍ରଶ୍ନ ଉଠିଥିଲା। ପରୀକ୍ଷାଗାର ଦାୟିତ୍ୱରେ ଥିବା ତତ୍କାଳୀନ ଅଧିକାରୀ ଏହି ମେସିନ୍‌ରେ କୌଣସି ପରୀକ୍ଷା ହେଉନାହିଁ ତେଣୁ ଏହାର ଆବଶ୍ୟକତା ନ ଥିବା ଆୟୁଷ ନିର୍ଦେଶାଳୟକୁ ଚିଠି ଲେଖିଥିଲେ। ପ୍ରାୟ ୬ମାସରୁ ଅଧିକ ସମୟ ହେବ ଏହି ଚିଠି ଲେଖାଯାଇଥିଲେ ହେଁ, ଆୟୁଷ ନିର୍ଦେଶାଳୟ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ବରଂ ଏହାର ସଫ୍‌ଟେଓ୍ଵୟାର ସହିତ ସ୍ୱୟଂଚାଳିତ ସାମ୍ପଲିଂର ଅପଗ୍ରେଡେସନ୍‌ ପାଇଁ ବର୍ଷ ତଳେ ପ୍ରସ୍ତାବ ଦିଆଯାଇଛି। କେଉଁ ପରିସ୍ଥିତିରେ ଏହାର ଅପଗ୍ରେଡେସନ୍‌ ପାଇଁ ପ୍ରସ୍ତାବ ଦିଆଗଲା ତାହା ଘଟଣାକୁ ଅଧିକ ଏହାକୁ ରହସ୍ୟ ଭିତରକୁ ଟାଣି ନେଇଛି। କେବଳ ଏଚ୍‌ପିଟିଏଲ୍‌ସି ମେସିନ୍‌ ନୁହେଁ ଏହା ସହିତ ପରୀକ୍ଷାଗାରରେ ଅଚଳ ହୋଇ ପଡ଼ିଥିବା ପୋଲାରି ମିଟରର ଅପଗ୍ରେଡେସନ୍‌ ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ରହିଛି।

ଆୟୁର୍ବେଦିକ ପରୀକ୍ଷାଗାରରେ ଅଚଳ
ଡା. ଅଭିନ ଚନ୍ଦ୍ରରେ ସପ୍ତାହକୁ ଦିନେ
ଆୟୁର୍ବେଦିକ ଫାର୍ମାସିକୁ ଆଣିବେ ଲକ୍ଷାଧିକ ଟଙ୍କାର ମେସିନ୍‌

ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ସପ୍ତାହକୁ ଦିନେ
ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ମଧ୍ୟ ଏଚ୍‌ପିଟିଏଲ୍‌ସି ମେସିନ୍‌ ରହିଛି। ଦୀର୍ଘଦିନ ଏହି ମେସିନ୍‌ ଅଚଳ ହୋଇ ପଡ଼ି ରହିଥିବା ଖବର ଗତବର୍ଷ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ପରେ କଲେଜ କର୍ତୃପକ୍ଷ ଏହାକୁ ଚାଲୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏହାକୁ ଚଳାଇବା ପାଇଁ ହସ୍ପିଟାଲରେ ଟେକ୍‌ନିସଆନ୍‌ ନ ଥିବାରୁ ସମସ୍ତଙ୍କ ନଜର ହଟାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଫନ୍ଦି ବାହାର କରିଛନ୍ତି। ଆୟୁର୍ବେଦିକ ପରୀକ୍ଷାଗାରରୁ ଜଣେ ସାଇଣ୍ଟିଫ୍‌କ ଅଫିସର ସପ୍ତାହରେ ଗୋଟିଏ ଦିନ ଏଠାକୁ ଆସୁଛନ୍ତି। ଯଦି ଛୁଟିଦିନ ପଡ଼େ ତେବେ ପରୀକ୍ଷା ବନ୍ଦ। ଏହି ମେସିନ୍‌ରେ ଗୋଟିଏ ଦିନରେ ଔଷଧର କେଉଁ ଗୁଣବତ୍ତା ପରୀକ୍ଷା ହେଉଛି ତାହା ରହସ୍ୟ ଘେରରେ ରହିଛି। କଲେଜ କର୍ତୃପକ୍ଷ ଏହି ମେସିନ୍‌ ଚାଲୁଥିବା କହୁଛନ୍ତି। ମାତ୍ର କେତେ ପରୀକ୍ଷା ହୋଇଛି ତାହା କହିବାକୁ ନାରାଜ।

ଅଚଳ ଆୟୁର୍ବେଦିକ ଫାର୍ମାସି ପାଇଁ ଲକ୍ଷାଧିକ ଟଙ୍କାର ମେସିନ୍‌
ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ମେସିନ୍‌ ରହିଛି। ଏହିସବୁ ମେସିନ୍‌ ଚଳାଇବାକୁ ଥିବା ମେସିନ୍‌ ମ୍ୟାନ୍‌ କିମ୍ବା ଅପରେଟର୍‌ ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ିଛି। ୪ଜଣ ଶ୍ରମିକ ଏହି ମେସିନ୍‌ ଚଳାଉଛନ୍ତି। ଏପରିକି ଆୟୁର୍ବେଦିକ ଫାର୍ମାସିର ୩ମାସ ହେବ ଲାଇସେନ୍‌ସ ନବୀକରଣ ହୋଇନାହିଁ। ମାତ୍ର ଅଚଳ ଅବସ୍ଥାରେ ଥିବା ଏହି ଫାର୍ମାସିକୁ ପୁଣି ଅନେକ ଅତ୍ୟାଧୁନିକ ମେସିନ୍‌ କିଣିବାକୁ ପ୍ରସ୍ତାବ ଦିଆଯାଇଛି। ହୋଲ ବଡି ଭାଇବ୍ରେଟର୍‌, ସେରାଜେନ୍‌ ମେସିନ୍‌, ବିଏମ୍‌ଆର ଓ୍ଵାକିଂ ମେସିନ୍‌ ସହିତ ମନିଟର୍‌, ସିଟିଂ ଟ୍ରାକ୍ସନ୍‌ ମେସିନ୍‌ ସହିତ ଚେୟାର, ବେଲି ଭାଇବ୍ରେଟର୍‌, ଡିଜିଟାଲ ସିରୋଧାରା ମେସିନ୍‌ ସହିତ ଟେମ୍ପରେଚର ରେଗୁଲେସନ୍‌, ଅଟୋମେଟିକ୍‌ ବାସ୍ପା ସ୍ୱେଡାନ ଯନ୍ତ୍ର, ଅଟୋମେଟିକ ସିରୋଧାରା ଯନ୍ତ୍ର, ଷ୍ଟାଣ୍ଡିଂ ଭାଇବ୍ରେସନ୍‌ ମେସିନ୍‌, ଓ୍ଵାକ୍ସ ଓ ଫର୍ମେଣ୍ଟେସନ୍‌ ମେସିନ୍‌, ଫଲ ସିଲିଂ ମେସିନ୍‌, ଅଟୋମେଟିକ୍‌ ଫିଲିଂ ଓ ସିଲିଂ ମେସିନ୍‌ ଓ ହେଭି ପ୍ଲାଟଫର୍ମ ଟ୍ରଲି କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏପରିକି ଏହିସବୁ ମେସିନ୍‌ କିଣିବା ପାଇଁ ଜାତୀୟ ଆୟୁଷ ମିସନ୍‌ ପକ୍ଷରୁ ଆବଶ୍ୟକ ଅର୍ଥରାଶି ଦେଇସାରିଛି।

ଏସବୁ ବିଷୟରେ ବୁଝିବି: ଆୟୁଷ ନିର୍ଦେଶକ
ଆୟୁର୍ବେଦିକ ପରୀକ୍ଷାଗାର ଓ ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ଥିବା ଦୁଇଟି ଏଚ୍‌ପିଟିଏଲ୍‌ସି ସଂପର୍କରେ ନୂତନଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ୱିନୀ କୁମାର ମିଶ୍ରଙ୍କ ଯୋଗାଯୋଗ କରାଯାଇଥିଲା। ସେ କହିଥିଲେ, ନିକଟରେ ଦାୟିତ୍ୱ ଗ୍ରହଣ କରିଛି, ଏସବୁ ମେସିନ୍‌ ସଂପର୍କରେ ବୁଝିବି। ଅପରପକ୍ଷରେ ଆଜି ଶ୍ରୀ ମିଶ୍ର ଆୟୁର୍ବେଦିକ ପରୀକ୍ଷାଗାର ଓ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଓ ଫାର୍ମାସି ପରିଦର୍ଶନ କରିଥିଲେ। ଉଭୟ ପରୀକ୍ଷାଗାର ଓ ହସ୍ପିଟାଲର ବ୍ୟବସ୍ଥାକୁ ନେଇ ନିର୍ଦେଶକ ଭୀଷଣ ବିରକ୍ତି ପ୍ରକାଶ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର