ଉତ୍କଳରେ ରମାଦେବୀ କ୍ୟାମ୍ପସ ପ୍ରତିଷ୍ଠା ପ୍ରସଙ୍ଗ : ଉଚ୍ଚଶିକ୍ଷା ବିଭାଗ ଚୁପ୍‌ କାହିଁକି?

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପ୍ରସ୍ତାବକୁ ନେଇ ବିରୋଧ ଜାରି ରହିଛି। ଶନିବାର ଆନ୍ଦୋଳନ ଟିକିଏ ନରମି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଷ୍ପତ୍ତିରେ ପରିବର୍ତନ କରାଯାଇ ନାହିଁ। ଛାତ୍ରଛାତ୍ରୀଙ୍କ ବିରୋଧ ପରେ ବି ଉତ୍କଳରେ ରମାଦେବୀ କ୍ୟାମ୍ପସ ହେବ କି ନାହିଁ ସେନେଇ ଉଚ୍ଚଶିକ୍ଷା ବିଭାଗ କିମ୍ବା ଗଠିତ ହୋଇଥିବା କମିଟିର ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ପୂର୍ବରୁ ମନା କରିବା ସତ୍ତ୍ୱେ ଉତ୍କଳରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ କରିବାକୁ ଉଚ୍ଚଶିକ୍ଷା ବିଭାଗ କାହିଁକି ଅଡ଼ି ବସିଛି ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ନୈତିକ ସମର୍ଥନ ଦେଇ ପ୍ରଫେସର, ଅଧ୍ୟାପକ, କର୍ମଚାରୀମାନେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଯଦି ରାଜ୍ୟ ସରକାର ଉତ୍କଳର ବିକାଶ କଥା ଚାହୁଁଛନ୍ତି ତେବେ ଏଠାକାର କ୍ୟାମ୍ପସକୁ ଜବରଦଖଲ କରିଥିବା ବସ୍ତିବାସିନ୍ଦାଙ୍କୁ ହଟାଇବା ଦିଗରେ ପଦକ୍ଷେପ ନିଅନ୍ତୁ। କ୍ୟାମ୍ପସରୁ ଇଞ୍ଚିଏ ବି ଜମି ଯଦି ଅନ୍ୟ କୌଣସି ଶିକ୍ଷାନୁଷ୍ଠାନକୁ ଦିଆଯିବ ତେବେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ସେମାନେ ଆଜି ପୁଣିଥରେ ଚେତାବନୀ ଦେଇଛନ୍ତି। କୁଳପତି ପ୍ରଫେସର ପଟ୍ଟନାୟକ ସୋମବାର କାର୍ଯ୍ୟରେ ଯୋଗଦେବାର ସମ୍ଭାବନା ରହିଛି। ତେଣୁ କାର୍ଯ୍ୟରେ ଯୋଗଦେବା ପରେ ସେ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜମି ନ ଦେବାକୁ ମନା କରନ୍ତୁ। ନ ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଛାତ୍ର ସଙ୍ଗଠନଗୁଡ଼ିକ କହିଛନ୍ତି। ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସହ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜାଣି ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କିମ୍ବା ସଚିବ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କାହା ଚାପରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟ କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ।ସବୁ ପରେ ନିଷ୍ପତ୍ତିି ଏବେ ଉତ୍କଳ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ହାତରେ ରହିଛି। କ୍ୟାମ୍ପସର ସୁରକ୍ଷା, ସ୍ୱାର୍ଥ, ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀଙ୍କ ଦାବିକୁ ଗୁରୁତ୍ୱ ଦେବେ ନା ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ଅନ୍ୟପକ୍ଷରେ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ପୂର୍ବରୁ ଦାସପୁରଠାରେ ଚିହ୍ନଟ ହୋଇଥିବା ଜମିରେ କାହିଁକି ଦ୍ୱିତୀୟ କ୍ୟାମ୍ପସ ହୋଇପାରିବ ନାହିଁ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା ଯଦି ରମାଦେବୀର ମୁଖ୍ୟ କ୍ୟାମ୍ପସଠାରୁ ମାତ୍ର ୨୦ କି.ମି. ଦୂରରେ ଛାତ୍ରୀ ସୁରକ୍ଷିତ ରହିପାରିବେ ନାହିଁ ତେବେ ଚଣ୍ଡିଖୋଲ ନିକଟରେ ନିର୍ମାଣଧୀନ ଉତ୍କଳର ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରୀମାନେ କିଭଳି ସୁରକ୍ଷିତ ରହିବେ? ଛାତ୍ରୀମାନେ ଏବେ ସବୁ କ୍ଷେତ୍ରରେ ଦକ୍ଷତା ଦେଖାଉଛନ୍ତି। ସେମାନଙ୍କୁ ଦୁର୍ବଳ କରା ନ ଯାଉ। ଭୁବନେଶ୍ୱର ସହର ସମ୍ପ୍ରସାରିତ ହେଉଥିବାରୁ ଦାସପୁରରେ ଛାତ୍ରୀଙ୍କ ଲାଗି ସୁରକ୍ଷିତ ନୁହେଁ ବୋଲି ରମାଦେବୀ କର୍ତୃପକ୍ଷ କହିବା ହାସ୍ୟସ୍ପଦ କଥା। ବରଂ ପ୍ରଫେସରମାନେ ଏତେବାଟ ନ ଯିବା ଲାଗି ଏହା ଏକ ବାହାନା ମାତ୍ର।

ଏପଟେ ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏବେ ଉତ୍କଳରେ କ୍ୟାମ୍ପସ କରିବାକୁ ସରକାରୀସ୍ତରରେ ଚାପ ପକାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଉତ୍କଳର ଟିଚିଂ ଷ୍ଟାଫ୍‌ଙ୍କ ସହ ଆଲୋଚନା କରି ଜମି ଦେବା ପ୍ରସ୍ତାବକୁ ବିରୋଧ ନ କରିବାକୁ କହୁଛନ୍ତି। ଗୋଟିଏ କ୍ୟାମ୍ପସରେ ଦୁଇଟି ବିଶ୍ୱବିଦ୍ୟାଳୟ ରହିବା ଦ୍ୱାରା ଶୈକ୍ଷିକ ବାତାବରଣ ସୃଷ୍ଟି ହେବ। ରମାଦେବୀ ବିଶ୍ୱବିିଦ୍ୟାଳୟ ନିକଟରେ ଆଉ ସେଭଳି ୩୦ ଏକର ସରକାରୀ ଜାଗା ନ ଥିବା ସମ୍ପୃକ୍ତ ଅଧିକାରୀ ଜଣକ ପ୍ରଫେସରମାନଙ୍କୁ କହୁଛନ୍ତି। ଏହାର ଜବାବ ଦେଇ ଉତ୍କଳର ପ୍ରଫେସରମାନେ କହିଛନ୍ତି ଯେ ଆଇଏମ୍‌ଏମ୍‌ଟି ପାର୍ଶ୍ୱରେ ୩୫ ଏକର ଓ ସୈନିକ ସ୍କୁଲ ନିକଟରେ ବହୁ ସରକାରୀ ଜମି ଖାଲି ରହିଛି। ସରକାରୀସ୍ତରରେ ଚାପ ପକାଇ ସେଠାରେ ଦ୍ୱିତୀୟ କ୍ୟାମ୍ପସ କରାଯାଉ।

ସମ୍ବନ୍ଧିତ ଖବର