ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀ ହେବ ଓ୍ଵାଇଫାଇ ସହର

ଭୁବନେଶ୍ୱର: ଆସନ୍ତା ନଭେମ୍ବର-ଡିସେମ୍ବରରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀର ରୂପରେଖ ବଦଳିବ। ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ଓ୍ଵାଇଫାଇ ସହରରେ ପରିଣତ କରାଯିବ। ଏଥିପାଇଁ ୭୫ଟି ସ୍ଥାନରେ ୩୦୦ଟି ଆସେସ୍‌ ପଏଣ୍ଟ ରହିବ। ଲୋକଙ୍କୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ। ଏଥିରେ ପ୍ରଥମ ଅଧ ଘଣ୍ଟା ମାଗଣାରେ ଓ୍ଵାଇଫାଇ ସେବା ମିଳିବାକୁ ଥିବାବେଳେ ଏହାପରେ ବ୍ୟବହାର ପାଇଁ କିଛି ଦେୟ ଦେବାକୁ ହେବ। ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋହର ବାଜିଛି। ସେହିପରି ହକି ବିଶ୍ୱକପ୍‌ ପାଇଁ ବିଭିନ୍ନ ପ୍ରକଳ୍ପ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବାବେଳେ ଏହା ଯେପରି ଠିକ୍‌ ସମୟରେ ଶେଷ ହେବ ସେଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। ଅପରପକ୍ଷେ ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୨୦୦ଟି ନୂଆ ବସ୍‌ ଚଲାଇବାକୁ ବିପିଟିଏସ୍‌ ଯୋଜନା କରିଥିବାବେଳେ ଏବେ ୧୦୦ ନୂଆ ବସ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ୫୦ଟି ଷ୍ଟାଣ୍ଡାର୍ଡ ଏସି୍‌ ବସ୍‌ ଏବଂ ୫୦ଟି ନନ୍‌ଏସି ବସ୍‌ ଚାଲିବ। ଏନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାବେଳେ ଏପ୍ରିଲ ୩୦ ସୁଦ୍ଧା ଚୁକ୍ତିନାମା ସ୍ୱାକ୍ଷର ହେବ। ସିଟି ବସ୍‌ ପାଇଁ ପାତ୍ରପଡ଼ା, ପଟିଆ ଏବଂ ପୋଖରୀପୁଟରେ ଡିପୋ ନିର୍ମାଣ ହେବ। ତିନିଟି ରୁଟ୍‌ରେ ସିଟି ବସ୍‌ ଚଲାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ କିଟ୍‌ ଛକରୁ ଲିଙ୍ଗରାଜ ଛକ ପର୍ଯ୍ୟନ୍ତ ୧୬.୫କିମି ରାସ୍ତାକୁ ନେଇ ରୁଟ୍‌ ୧, ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ୨.୮କିମି ରାସ୍ତାକୁ ନେଇ ରୁଟ୍‌ ୨ ଏବଂ ରାଜଧାନୀର ୨୦ଟି ପର୍ଯ୍ୟଟନସ୍ଥଳୀକୁ ନେଇ ରୁଟ୍‌ ୩ ପ୍ରସ୍ତୁତ କରାଯାଇଛି। ଏହି ରୁଟ୍‌ରେ ନିୟମିତ ବ୍ୟବଧାନରେ ସିଟି ବସ୍‌ ଚଳାଚଳ କରିବ। ଏପ୍ରିଲ ୨୫ସୁଦ୍ଧା ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରି ରିପୋର୍ଟ ଦେବାକୁ କୁହାଯାଇଛି। ସେହିପରି ଏବେ ରାଜଧାନୀରେ ବିଏମ୍‌ସି ୬୦ଟି ପବ୍ଲିକ ଟଏଲେଟ୍‌ ଏବଂ ୫୦ଟି ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣ କରିଥିବାବେଳେ ଆଉ ୬୦ଟି ପବ୍ଲିକ ଟଏଲେଟ୍‌ ଏବଂ ୧୦୦ଟି ୟୁରିନାଲ୍‌ ନିର୍ମାଣ କରିବାକୁ କୁହାଯାଇଛି। ଏଗୁଡ଼ିକ ଯେପରି ସଫା ରହିବ ସେନେଇ ବିଏମ୍‌ସି କର୍ତୃପକ୍ଷ ପଦକ୍ଷେପ ନେବେ। ବିଶ୍ୱକପ୍‌ ପୂର୍ବରୁ ରାଜଧାନୀରେ ୩୫୦୦ଟି ବାଇସାଇକେଲ୍‌ ଚଲାଇବାକୁ ନିଷ୍ପତ୍ତି ହୋଇଛି। ସ୍ମାର୍ଟ କାର୍ଡ ବ୍ୟବହାର କରି ଯେ କେହିବି ଏହି ସାଇକେଲ୍‌ ଭଡ଼ାରେ ନେଇପାରିବେ। ଏନେଇ ଟେଣ୍ଡର୍‌ ପ୍ରକ୍ରିୟା ଆପାତତଃ ଶେଷ ହୋଇଥିବାବେଳେ ମେ ୧୦ ସୁଦ୍ଧା ଚୁକ୍ତି ସ୍ୱାକ୍ଷର ହେବ।

ବିଶ୍ୱକପ୍‌ ସମୟରେ ରାଜଧାନୀବାସୀ, ପର୍ଯ୍ୟଟକମାନେ ଯେପରି ନିଆରା ଅନୁଭୂତି ପାଇବେ ସେଥିପାଇଁ ଐତିହ୍ୟ ପଦଯାତ୍ରା, ପଥୋତ୍ସବ, ପାର୍କରେ ସଂଗୀତ ସନ୍ଧ୍ୟା, ପାରମ୍ପାରିକ ନୃତ୍ୟ ଓ କଳା ଶିବିର, ଖାଦ୍ୟ ବଜାର, ଚଳଚ୍ଚିତ୍ର ମହୋତ୍ସବ ଆଦି ଆୟୋଜନ କରାଯିବ। ଏଥିରେ ଓଡ଼ିଶା ସଂସ୍କୃତିର ଛାପ ରଖିବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଏହି ହକି ବିଶ୍ୱକପ୍‌ରେ ୧୬ଟି ଦଳ ଭାଗ ନେବେ। ପ୍ରତ୍ୟେକ ଦିନ ଅପରାହ୍ଣ ୫ଟାରୁ ଖେଳ ଆରମ୍ଭ ହେବ। ଡିସେମ୍ବର ୧୨ ଓ ୧୩ରେ କ୍ୱାର୍ଟର ଫାଇନାଲ୍‌, ୧୫ରେ ସେମିଫାଇନାଲ୍‌ ଏବଂ ୧୬ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର୍‌ ହକି ବିଶ୍ୱକପ୍‌ ପାଇଁ ହେବାକୁ ଥିବା ଭିତ୍ତିଭୂମି ବିଷୟରେ ସୂଚନା ଦେଇଥିଲେ। ଏହି ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରପ୍ରୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର