ବାତ୍ୟା ପରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ! : କୁମାରଖୁଣ୍ଟିରେ କଲରାପତରିଆ, ଡମପଡ଼ାରେ ହାତୀ

ଭୁବନେଶ୍ବର : ‘ଫନି’ ମାଡ଼ରେ ପ୍ରଭାବିତ ହୋଇଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ରାଜଧାନୀକୁ ଲାଗି ରହିଥିବା ମାଇଲ୍‌ ମାଇଲ୍ ଜଙ୍ଗଲ ନଷ୍ଟ ହୋଇଛି। ବାଉଁଶ ବଣ ଉଜୁଡ଼ି ଯାଇଛି। କାଜୁ ଜଙ୍ଗଲ ମାଟିରେ ଲୋଟିଛି। ବଡ଼ ବଡ଼ ଶାଗୁଆନ ଗଛ ଉପୁଡ଼ିପଡ଼ିଛି। ସମ୍ପୂର୍ଣ୍ଣ ଜଙ୍ଗଲ ପ୍ରଭାବିତ ହୋଇଥିବାରୁ ଏହା ପରିସରରେ ଥିବା ବନ୍ୟଜନ୍ତୁ ବଞ୍ଚିଛନ୍ତି ତ? ସୁରକ୍ଷିତ ଭାବେ ଜଙ୍ଗଲରେ ଅଛନ୍ତି ତ? ନା ବାତ୍ୟା ମାଡ଼ରେ ହାତୀ, ବାଘ ଜଙ୍ଗଲ ଛାଡ଼ି ପଳାଇଛନ୍ତି। ମୟୂର, ହରିଣ, କୋକିଶିଆଳି, ମାଙ୍କଡ଼, ଝିଙ୍କ ଆଦି ସୁରକ୍ଷିତ ଅଛନ୍ତି ତ? ନା ବାତ୍ୟାରେ ସେମାନଙ୍କ ମୃତ୍ୟୁ ହୋଇଛି। ବାତ୍ୟା ପରଠାରୁ ରାଜଧାନୀବାସୀଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଚନ୍ଦକାରେ ବନ୍ୟଜନ୍ତୁ ସୁରକ୍ଷିତ ଅଛନ୍ତି ତ?

ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଆନ୍ଦୋଳିତ କରୁଥିବା ବେଳେ ବାତ୍ୟାର ୧୫ ଦିନ ପରେ ବନ୍ୟଜନ୍ତୁଙ୍କ ସ୍ଥିତି ପରଖିଥିଲୁ ଆମେ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ବନ୍ୟଜନ୍ତୁଙ୍କୁ ଦେଖିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲୁ। ବାସସ୍ଥଳୀ ହରାଇଥିବାରୁ କେତେକ ବନ୍ୟଜନ୍ତୁ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ ହେଲେ ବି ବନ୍ୟଜନ୍ତୁଙ୍କୁ ଏକୁଟିଆ ବୁଲିବା ଦେଖିବାକୁ ପାଇ ନଥିଲୁ। ୧୫ ଦିନ ପରେ ବି ଜଙ୍ଗଲରୁ କୌଣସି ବନ୍ୟଜନ୍ତୁଙ୍କ ମୃତଦେହ ମିଳି ନଥିବା ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁ ସ୍ପଷ୍ଟ କରିଛନ୍ତି।

ବନ କର୍ମଚାରୀଙ୍କ ସହ ଆଲୋଚନା କରିବା ସମୟରେ ସେମାନେ କହିଥିଲେ, ଏବେ ବି ଜଙ୍ଗଲରେ ହାତୀ, ବାଘ, ଭାଲୁ ରହିଛନ୍ତି। ବାତ୍ୟା ମାଡ଼ରେ କେହି ଜଙ୍ଗଲ ଛାଡ଼ି ଯାଇ ନାହାନ୍ତି। ବାତ୍ୟାର ୪ରୁ ୫ ଦିନ ପରେ ଡମପଡ଼ା ନିକଟ‌ରେ ଦୁଇଟି ହାତୀ ବୁଲୁଥିବା ଦେଖିବାକୁ ପାଇଥିଲୁ। ଏବେ ବି ସେମାନେ ଜଙ୍ଗଲରେ ରହୁଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ହାତୀ ନିୟମିତ ଆସନ୍ତି ଓ ଯାଆନ୍ତି। ସେମାନେ କୌଣସି ଗୋଟିଏ ଜାଗାରେ ସ୍ଥିର ନୁହଁନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ କେତେବେଳେ ୨୦ଟି ହାତୀ ଆସନ୍ତି ତ ଆଉ କେତେବେଳେ ୬ଟି।‌ ଦୁଇ ମାସ ତଳେ ୬ରୁ ୭ଟି ହାତୀ ଆସିଥିଲେ। ଦୁଇ ମାସ ରହିବା ପରେ ଚନ୍ଦକାକୁ ଲାଗି ଆଠଗଡ଼ ଜଙ୍ଗଲ ରହିଥିବାରୁ ‌ହାତୀ ପଲ ସେଠାକୁ ଚାଲିଯାଇଥିଲେ।

କୁମାରଖୁଣ୍ଟି ନିକଟରେ ପହଞ୍ଚି ବନ କର୍ମଚାରୀଙ୍କ ସହ ଆଲୋଚନା କରିବା ବେଳେ ସେମାନେ କଲରାପତରିଆ ବାଘ କଥା କହିଥିଲେ। ସେମାନେ ସ୍ପଷ୍ଟ କରିଥିଲେ ଯେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ନିକଟରୁ ଧରାଯାଇଥିବା କଲରାପତରିଆ ବାଘ ଏବେ ଜଙ୍ଗଲରେ ରହୁଛି। ବେଳେବେଳେ ବାହାରକୁ ଆସୁଛି। ବହୁତ ଥର ଦେଖିଲୁଣି। ବାତ୍ୟା ପରେ ବି ବାଘ ବୁଲୁଥିବା ନଜରକୁ ଆସିଛି। ସାଙ୍ଗ ମିଳୁ ନଥିବାରୁ ସେ ଏବେ ଏଣେ‌ତେଣେ ଦୌଡ଼ୁଛି। ଗଛ ଉପରେ ଚଢ଼ୁଥିବା ଦେଖିବାକୁ ମିଳୁଛି। ଛୋଟ ଛୋଟ ବନ୍ୟଜନ୍ତୁଙ୍କୁ ମାରି ଖାଉଛି ବୋଲି କର୍ମଚାରୀମାନେ କହିଛନ୍ତି।

ବାତ୍ୟା ପ୍ରଭାବରେ ଚନ୍ଦକା ଅଭୟାରଣ୍ୟ‌ରେ କୌଣସି ବନ୍ୟଜନ୍ତୁ ମରିନାହାନ୍ତି। ତେଣୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର କହିଛନ୍ତି। ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଉଛି ଚନ୍ଦକା ଜଙ୍ଗଲରେ ବହୁତ ପରିମାଣରେ ବୁଦାଜାତୀୟ ଗଛ ରହିଛି। ତେଣୁ ବାତ୍ୟା ସମୟରେ ଏହି ପ୍ରଜାତିର ବନ୍ୟଜନ୍ତୁ ସେଠାରେ ସୁରକ୍ଷିତ ରହିଥାଇପାରନ୍ତି। ତଥାପି ଜଙ୍ଗଲରେ ବହୁ ବାଉଁଶ ଗଛ ନଷ୍ଟ ହୋଇଛି। ତେଣୁ ହରିଣ ଓ ମୟୂର ପରି ବନ୍ୟଜନ୍ତୁ ମରିବାର ଆଶଙ୍କା ରହୁଛି। ଯଦି ବି ଗୋଟିଏ ବି ଦୁଇଟି ମରିଥିବେ ତେବେ ବି ବନ ବିଭାଗ ଏଭଳି ତଥ୍ୟକୁ ପଦାକୁ ଆଣିବ ନାହିଁ।

ନନ୍ଦ, ଯଶୋଦା ଓ ଶଙ୍କର ସୁରକ୍ଷିତ

୧୯୩.୩୯ ବର୍ଗ କିଲୋମିଟରବ୍ୟାପୀ ଖୋର୍ଧା ଓ କଟକ ଜିଲ୍ଲାର ଜଙ୍ଗଲ ଜମି ଓ ଛୋଟବଡ ପାହାଡ଼କୁ ନେଇ ଗଠିତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ୧୯୮୨ରେ ହାତୀ ଅଭୟାରଣ୍ୟ ଭାବେ ମାନ୍ୟତା ପାଇଥିଲା। ସେବେ‌ଠାରୁ ଏଠାରେ ହାତୀଙ୍କୁ ସୁରକ୍ଷା ଦିଆଯିବା ସହ ସେମାନଙ୍କ ବଂଶ ବୃଦ୍ଧି ଦିଗରେ ବି ପଦ‌କ୍ଷେପ ନିଆଯାଉଛି। ଏବେ ଜଙ୍ଗଲରେ ଥିବା ୩ଟି କୁମ୍‌କୀ ହାତୀ ‘ନନ୍ଦ’, ‘ଯଶୋଦା’ ଓ ‘ଶଙ୍କର’ ରହିଛନ୍ତି। ବାତ୍ୟାରେ ସେମାନଙ୍କର କୌଣସି କ୍ଷତି ହୋଇନାହିଁ ବୋଲି ଡିଏଫ୍‌ଓ ଶ୍ରୀ ସ୍ବାଇଁ କହିଛନ୍ତି। ବାତ୍ୟା ଦିନ ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତ ପଦକ୍ଷେପ ନିଆଯାଇଥିଲା। ତେଣୁ କାହାର କିଛି ବି କ୍ଷତି ହୋଇନି। ମାହୁନ୍ତଙ୍କ ସହାୟତାରେ ପଦକ୍ଷେପ ନିଆଯାଇଥିବାରୁ ବଡ଼ ବିପଦକୁ ଟାଳି ଦିଆଯାଇପାରିଥିବା କର୍ମଚରୀମାନେ କହିଛନ୍ତି।

‘ପିକ୍‌କ ଭ୍ୟାଲି’ ପୁଣି ଚଳଚଞ୍ଚଳ

ଅଭୟାରଣ୍ୟଠାରୁ କିଛି ଦୂରରେ ଥିବା ନରାଜ ମାର୍ଥାପୁରର ‘ପିକ୍‌କ ଭ୍ୟାଲି’ ଏବେ ବି ସୁରକ୍ଷିତ ରହିଛି। ‘ଫନି’ ମାଡ଼ କୌଣସି ପ୍ରଭାବ ପକାଇପାରିନି। ପୂର୍ବ ଭଳି ଶତାଧିକ ମୟୂର ଫାୟାର ରେଞ୍ଜ ନିକଟକୁ ଖାଇବାକୁ ଆସୁଥିବା ଦେଖିବାକୁ ମିଳୁଛି। ଅବଶ୍ୟ ବାତ୍ୟା ମାଡ଼ରେ ମୟୂରମାନେ ବାସ କରୁଥିବା କିଛି ଗଛ ଭାଙ୍ଗିଯାଇଛି। ତେବେ ତାହାର ପ୍ରଭାବ ମୟୂରଙ୍କ ଉପରେ ପଡ଼ିନି। ବାତ୍ୟାର ୪ରୁ ୫ ଦିନ ଯାଏ କମ୍‌ ଦେଖିବାକୁ ମିଳୁଥିଲେ। ତେବେ ଧୀରେ ଧୀରେ ସଂଖ୍ୟା ବଢ଼ିଛି। କୌଣସି ମୟୂର ମୃତାହତ ହୋଇ ନାହାନ୍ତି କି ମୃତଦେହ ଉଦ୍ଧାର କରାଯାଇ ନାହିଁ ବୋଲି ମୟୂରଙ୍କୁ ଖାଇବାକୁ ଦେଉଥିବା କାହ୍ନୁଚରଣ ବେହେରା କହିଛନ୍ତି। କେବଳ ପିକ୍‌କ ଭ୍ୟାଲି ନୁହେଁ, ସକାଳୁ ସକାଳୁ ବୁଲିବା ସମୟରେ ଭରତପୁର, ମେଣ୍ଢାଶାଳ ସଂରକ୍ଷିତ ଜଙ୍ଗଲ, ଘଙ୍ଗାପାଟଣା ଓ ଦେଉଳିଆପାଟଣା ଅଞ୍ଚଳରେ ମୟୂରଙ୍କୁ ବି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର