ଚୋରା ମଦ ବେପାରୀ ସକ୍ରିୟ: ପୁଲିସ, ଅବକାରୀ ବିଭାଗ ଚୁପ୍
ଭୁବନେଶ୍ବର/ବାଲିଅନ୍ତା: କରୋନା ମୁକାବିଲା ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ସମସ୍ତେ କରୋନା ମୁକାବିଲାରେ ମାତିଥିବା ବେଳେ କେତେକ ସ୍ଥାନରେ କଳାବଜାରୀ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। କିଛି କଳାବଜାରୀଙ୍କୁ ଏହି ସମୟ ସୁହାଇଛି। ଏଥିରୁ ଫାଇଦା ଉଠାଇବା ଲାଗି ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ବିଶେଷ କରି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ଚୋରା ମଦ ବେପାରୀଙ୍କ ପାଇଁ ଏବେ ପୁଷ ମାସ ପାଲଟିଛି। ସଞ୍ଜ ନଇଁଲେ ଜମୁଛି ଆସର, ବଢୁଛି ମଦୁଆଙ୍କ ଭିଡ଼। କିନ୍ତୁ ପୁଲିସ କିମ୍ବା ଅବକାରୀ ଥାନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ରାଜଧାନୀର ୟୁନିଟ୍-୧, ଗଙ୍ଗନଗର, ଶିରିପୁର, ବରମୁଣ୍ଡା, ଖଣ୍ଡଗିରି, ୟୁନିଟ୍-୩, ଅଶୋକନଗର, ରେଳ ଷ୍ଟେସନ, କଟକରୋଡ୍, ମଞ୍ଚେଶ୍ବର, ଭିଏସ୍ଏସ୍ ନଗର, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ପଟିଆ, ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଆରମ୍ଭ ହୋଇଯାଇଛି। ସେହିପରି ରାଜଧାନୀ ଉପକଣ୍ଠ ବାଲିଅନ୍ତା, ରଘୁନାଥପୁର, ନନ୍ଦନକାନନ, ଜଟଣୀ, ବାଳକାଟି ଅଞ୍ଚଳରେ ବି ଚୋରା ମଦ ବେପାରୀ ସକ୍ରିୟ ହୋଇ ଗଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, କେତେକ ଅସାଧୁ ବେପାରୀଙ୍କ ସହ ହାତ ମିଳାଇ ଚୋରା ବେପାରୀ ଆଗୁଆ ମଦ ଆଣି ଗଚ୍ଛିତ ରଖିଛନ୍ତି। ଦିନ ବେଳା ବିଭିନ୍ନ ଅଞ୍ଚଳରେ ପୁଲିସର କଡ଼ା ଯାଞ୍ଚ ରହୁଥିବାରୁ ରାତି ହେଲେ ବେପାରୀ ସକ୍ରିୟ ହୋଇ ଉଠୁଛନ୍ତି। ମଦୁଆଙ୍କ ଆଡ୍ଡା ବି ଜମୁଛି। ରାତି ହେଲେ ଚୋରା ବେପାରୀଙ୍କ ଠିକଣା ଖୋଜି ଖୋଜି ମଦୁଆ ବି ପହଞ୍ଚି ଯାଉଛନ୍ତି। ଚୋରା ବେପାରୀଙ୍କଠାରୁ ମଦ କିଣିଥିବା ଜଣେ ଯୁବକଙ୍କ କହିବା ଅନୁସାରେ, ଯେଉଁ ମଦର ଦାମ୍ ବଜାର ମୂଲ୍ୟ ୧୦୦ ଟଙ୍କା ଚୋରା ବେପାରୀ ତାକୁ ୧୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଗୋଟିଏ ଗୋଟିଏ ଜାଗାରେ ୨୦୦ ଟଙ୍କାରେ ବିକ୍ରି ହେଉଛି। କିଛି ମଦ ବେପାରୀଙ୍କ ସହ ସେମାନଙ୍କର ହାତ ରହିଛି। ଚୋରା ମଦ ବେପାରୀ ସେମାନଙ୍କଠାରୁ ପେଟି ପେଟି ମଦ କିଣି ଆଣୁଛନ୍ତି। ଘଣ୍ଟାଏ ଭିତରେ ୨ରୁ ୩ ପେଟି ମଦ ବିକ୍ରି ହୋଇ ଯାଉଛି। ଯେଉଁମାନେ ନିୟମିତ ମଦ ପିଅନ୍ତି ସେମାନେ ଚୋରା ବେପାରୀଙ୍କଠାରୁ ମଦ ନେବାକୁ ବାଧ୍ୟ ହେଉଛନ୍ତି। ଜଣେ ଅବକାରୀ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଆମକୁ ଏବେ ସୁଦ୍ଧା କୌଣସି ନିର୍ଦ୍ଦେଶ ଆସି ନାହିଁ। ଆମ ପାଖରେ କର୍ମଚାରୀ ବି କମ୍ ରହିଛନ୍ତି। ପୁଲିସ ପାଖରେ ଏବେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟାପକ କ୍ଷମତା ରହିଛି। ପୁଲିସ ଚାହିଁଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ବାଲିଅନ୍ତା ଅଞ୍ଚଳରେ ସଂଜ ନଇଁଲେ ଚୋରାମଦ ଦୋକାନ ନିକଟରେ ମଦ୍ୟପ ଲୋକମାନଙ୍କର ନାହିଁ ନଥିବା ଭିଡ଼ ଜମୁଛି। ଚାରିଆଡ଼େ ଖାଁ ଖାଁ ପରିବେଶର ସୁଯୋଗ ନେଇ ଚୋରା ନିଶା ବ୍ୟବସାୟୀମାନେ ସକ୍ରିୟ ହୋଇଉଠିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚୋରାମଦ ଦୋକାନ ନିଶାଡ଼ିଙ୍କ କବ୍ଜାରେ ରହୁଛି। ଦିନ ଦ୍ବିପ୍ରହରେ ସୁଧଷଡ଼ଙ୍ଗୀ ଗ୍ରାମରେ ଚୋରା ମଦ ବ୍ୟବସାୟ ଖୁଲମଖୁଲା ଚାଲିଥିବା ସଂପର୍କରେ ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ହେଲେ ପୂର୍ବରୁ ଖବର ପାଇ ସଂପୃକ୍ତ ବ୍ୟବସାୟୀ ଗ୍ରାମରୁ ଫେରାର ହୋଇଯାଇଥିଲା। କେବଳ ସୁଧସଡ଼ଙ୍ଗୀ ନୁହେଁ ବାଳକାଟି ଓ ବାଲିଅନ୍ତା ଥାନା ଅଞ୍ଚଳରେ ଚୋରା ମଦ ଓ ଗଞ୍ଜେଇ ବ୍ୟବସାୟୀଙ୍କ ଡିପୋରେ ଚଢ଼ଉ ଦିଗରେ ପୁଲିସ କମିସନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।