ଅନ୍‌ଲାଇନ୍‌ରେ ମଦ ବେପାର ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ବର: ଅନ୍‌ଲାଇନ୍‌ରେ ମିଳୁଛି ମଦ। ଭୁବନେଶ୍ବରର ଯେକୌଣସି ସ୍ଥାନରେ ଡେଲିଭରି ମିଳିବ। ହ୍ବାଟ୍‌ସ୍‌-ଆପ୍‌ରେ ବ୍ରାଣ୍ଡ ନାଁ କହିଲେ ଘରେ ପହଞ୍ଚିବ ମଦ। ଏଥିପାଇଁ ଆଗୁଆ ଅନ୍‌ଲାଇନ୍‌ ପେମେଣ୍ଟ କରିବାକୁ ପଡ଼ିବ। ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଇ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଛି ଜଣେ ଧୂର୍ତ୍ତ। କଟକ ରୋଡ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନ ସମେତ ନୂଆପଲ୍ଲୀ, ଖଣ୍ଡଗିରି ପ୍ରଭୃତି ଜାଗାରେ ଥିବା ବିଦେଶୀ ମଦ ଦୋକାନ ନାମ‌ରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଏଭଳି ଠକେଇ ହୋଇଥିବା ଜଣାପଡ଼ିଛି।

କେତେକ ଗ୍ରାହକ ଠକେଇର ଶିକାର ହେବା ପରେ ଦୋକାନୀଙ୍କ ପାଖରେ ପହଞ୍ଚି ଯିବାରୁ ଏହି କାର୍‌ନାମା ପଦାକୁ ଆସିଛି। ଏଭଳି ଜାଣିବା ପରେ ଦୋକାନୀମାନେ ନୂଆପଲ୍ଲୀ, ଲକ୍ଷ୍ମୀସାଗର ଓ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ଠକ ଉତ୍ତରପ୍ରଦେଶରେ ବସି ଏଭଳି କାରବାର ଚଳାଇଥିବାରୁ ପୁଲିସ ଅକଲଗୁଡୁମ୍‌ ହୋଇଛି। ଅନ୍‌ଲାଇନ୍‌ରେ ମଦ ପାଇଁ ଟଙ୍କା ଜମା ନ କରିବାକୁ ଦୋକାନୀମାନେ ସଚେତନ କରାଉଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ। ତାଲାବନ୍ଦ ସମୟରେ ମଦ ଦୋକାନ ବନ୍ଦ ରହୁଥିବାରୁ ଏହି ଅନ୍‌ଲାଇନ୍‌ ଠକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତି। କଟକ ରୋଡ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନ ନାମରେ ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି। ଏଥିରେ ଅନ୍‌ଲାଇନ୍‌ରେ ମଦ କିଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଏକ ମୋବାଇଲ ନମ୍ବର ମଧ୍ୟ ଦିଆଯାଇଛି। ମଦ୍ୟପମାନେ ଏହି ନମ୍ବରରେ ଯୋଗାଯୋଗ କରିବା ପରେ ଅନ୍‌ଲାଇନ୍‌ରେ ପଇସା ପଠାଇବାକୁ କୁହାଯାଉଛି। ପଇସା ପାଇବା ପରେ ମଦ ଆସୁନାହିଁ। ଏଭଳି ଜଣେ ଠକେଇର ଶିକାର ‌‌ହେବା ପରେ ସେହି ଦେକାନୀଙ୍କୁ ଭେଟି ଏଭଳି ଅଭିଯୋଗ କରିଥିଲା। ଏନେଇ ମାଲିକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ପୁଲିସ କିଛି ଦିନ ଖୋଳତାଡ଼ କରିବା ପରେ ଠକ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଥିଲା। ଏଣୁ କିଛି କରିପାରି ନ ଥିଲା।

ଏ ନେଇ ଆମେ ସମ୍ପୃକ୍ତ ଦେକାନର ମାଲିକ ସଞ୍ଜୀବ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଜଣେ ଗ୍ରାହକ ମଦ ପାଇଁ ଅନ୍‌ଲାଇନ୍‌ରେ ୭ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆମେ ଫେସ୍‌ବୁକ୍‌ ଯାଞ୍ଚ କରିଥିଲୁ। ଫେସ୍‌ବୁକ୍‌ରେ ଦୋକାନ ନାମରେ ନକଲି ଆକାଉଣ୍ଟ ଥିବା ଦେଖିଥିଲୁ। ଏ ନେଇ ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲୁ। କେବଳ ଏହି ଗୋଟିଏ ଘଟଣା ନୁହେଁ, ନୂଆପଲ୍ଲୀ ଓ ଖଣ୍ଡଗିରି ଥାନାରେ ମଧ୍ୟ ଅନୁରୂପ ଅଭିଯୋଗ ହୋଇଛି। ତାଲାବନ୍ଦ ଚାଲିଥିବାରୁ ପୁଲିସ ବ୍ୟସ୍ତ ରହିଛି। ଉତ୍ତରପ୍ରଦେଶ ଯିବା ସମ୍ଭବ ହୋଇ ସମ୍ଭବ ହୋଇନାହିଁ। ତେବେ କେହି ଅନ୍‌ଲାଇନ୍‌ରେ ଏଭଳି ଆଗୁଆ ପଇସା ନ ଦେବାକୁ ପୁଲିସ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର