ରାଜଧାନୀରେ ଶୀତ : ଖୋଲିଲାଣି ଶୀତବସ୍ତ୍ରର ପସରା

ଭୁବନେଶ୍ୱର : ଗତ କିଛି ଦିନ ହେଲା ରାଜଧାନୀରେ ଅନୁଭୂତ ହେଲାଣି ଶୀତ। ଥଣ୍ଡା ଯୋଗୁଁ ଖୋଜା ପଡ଼ିଲାଣି ଗରମ ପୋଷାକ। ଆଉ ବ୍ୟବସାୟୀମାନେ ନିଜ ଶୀତବସ୍ତ୍ରର ପସରା ମେଲି ଗ୍ରାହକଙ୍କୁ ଅପେକ୍ଷା କଲେଣି। ଏଥିପାଇଁ ରାଜଧାନୀର ପ୍ରତ୍ୟେକ ପ୍ରମୁଖ ଛକରେ ରଙ୍ଗବେରଙ୍ଗର ଶୀତବସ୍ତ୍ର ସଜା ହୋଇ ସାରିଲାଣି।

ଶୀତକୁ ସ୍ୱାଗତ ପାଇଁ ରାଜଧାନୀ ବଜାରରେ ସ୍ୱେଟର, ଜାକେଟ୍‌, କ୍ୟାପ୍‌, ଗ୍ଲୋଭ୍‌ସ୍‌, ଶାଲ୍‌, କମ୍ବଳ ଓ ମୋଜା ଆଦିର ପସରା ନେଇ ସମସ୍ତେ ପ୍ରସ୍ତୁତ। ରାଜଧାନୀବାସୀଙ୍କ ଫ୍ୟାସନ୍‌କୁ ନଜରରେ ରଖି ଚଳିତ ବର୍ଷ ମାର୍କେଟକୁ ଆସିଛି ଲେଦର ଜାକେଟ୍‌, ଉଲେନ୍‌ ସ୍ୱେଟର୍‌, ହାଫ୍‌ ଜାକେଟ୍‌, ହାଇନେକ୍‌ ଜାକେଟ୍‌, ବିଭିନ୍ନ ପ୍ରକାର କ୍ୟାପ୍‌, ସ୍କାର୍ଫ ଆଦି। ଏଫ୍‌ବିବି ବିଗ୍‌ ବଜାରର ବଳରାମ ଦଳାଇ କହନ୍ତି, ଭୁବନେଶ୍ୱରରେ ଶୀତର ମାତ୍ରା ଏତେଟା ଅଧିକ ନଥିବାରୁ ମହିଳାମାନେ ବିଶେଷ କରି ଉଲେନ୍‌ ଜାକେଟ୍‌ ଅପେକ୍ଷା କଟନ୍‌ ଜାକେଟ୍‌ ଅଧିକ ପସନ୍ଦ କରନ୍ତି। ସେହିପରି ଶରୀରକୁ ଲାଗିରହୁଥିବା ଫିଟିଙ୍ଗ୍‌ ଉଲେନ୍‌ ସ୍ୱେଟର୍‌ କଲେଜ୍‌ ପଢ଼ୁଆ ଜିନ୍‌ସ୍‌ ପିନ୍ଧା ଝିଅଙ୍କ ପସନ୍ଦ ପାଲଟିଛି। ସ୍ୱେଟର ସବୁର ଦାମ୍‌ ୧୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଜାକେଟ୍‌ ସବୁ ୧୨୦୦ରୁ ଆରମ୍ଭ ହୋଇ ୨୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ପୁରୁଷମାନେ ଅଧିକ ଲେଦର ଜାକେଟ୍‌ ପସନ୍ଦ କରୁଥିବା ସେ କହିଛନ୍ତି। ସେହିପରି ପାର୍ଟିରେ ଯୋଗ ଦେବା ସମୟରେ ମହିଳାମାନଙ୍କ ପିନ୍ଧିବା ପାଇଁ ବିଭିନ୍ନ ରକମର ଷ୍ଟୋନ୍‌, ଚୁମ୍‌କି ଖଚିତ ସ୍କାର୍ଫ ସହ ରହିଛି ଓ୍ଵିଣ୍ଟର୍‌ ସ୍ରକ୍‌। ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଟୁନ, ଟେଡ୍ଡି ଆଦି ଚିତ୍ରିତ ସ୍ୱେଟର ସହ କ୍ୟାପ୍‌ ମଧ୍ୟ ରହିଛି।

ଏହାସବୁ ରାଜଧାନୀକୁ ନେପାଳ, ହରିଆନା, ଲୁଧିଆନା ଓ ପଞ୍ଜାବ ଆଦିରୁ ଶୀତ ବସ୍ତ୍ର ଆସି ବିକ୍ରିବଟା ବି ଆରମ୍ଭ ହେଲାଣି। ଏକ ନମ୍ବର ହାଟରୁ ଶୀତବସ୍ତ୍ର କିଣୁଥିବା ଗୋଲକ ବିହାରୀ ପ୍ରଧାନ କୁହନ୍ତି, ବଡ଼ ବଡ଼ ସୋ’ ରୁମ୍‌ରେ ଏସବୁ ବସ୍ତ୍ରର ଦାମ୍‌ ଅଧିକ ଥାଏ। କିନ୍ତୁ ବାହାରୁ କିଣିଲେ ନିଜ ପସନ୍ଦ ମୁତାବକ ପକେଟ୍‌କୁ ସୁହାଇଲା ଭଳି ମିଳୁଛି। ବେଶ୍‌ ଦିନ ଯାଉଛି ମଧ୍ୟ। ବାହାରୁ ୫୦୦-୬୦୦ ଟଙ୍କାରେ ଭଲ ମିଳି ଯାଉଥିବାରୁ ମଧ୍ୟବିତ୍ତ ପରିବାର ପାଇଁ ଏହା ଠିକ୍‌ ବୋଲି ସେ କହିଛନ୍ତିି।

ସମ୍ବନ୍ଧିତ ଖବର