ଭୁବନେଶ୍ୱର: ବିଏମ୍ସି ଓ ବିଡିଏ ଅଫିସରେ ତାଲା ପଡ଼ିନି। ଅଫିସକୁ ଅଧିକାରୀଙ୍କଠାରୁ କର୍ମଚାରୀ ସମସ୍ତେ ଆସୁଛନ୍ତି। କିନ୍ତୁ କିଛି କାମ ହେଉନି। ଏପରିକି ଗତ ଦୁଇ ବର୍ଷ ମଧ୍ୟରେ ଗୋଟିଏ ବି ଫାଇଲ୍ ଏହି ଦୁଇଟି କାର୍ଯ୍ୟାଳୟକୁ ଆସିନି କି ଏଠାରୁ ଯାଇନି। ସରକାରଙ୍କ ନିୟମାବଳୀ ଦେଖିଲେ ରାଜଧାନୀର ଏହି ଦୁଇଟି ପ୍ରମୁଖ କାର୍ଯ୍ୟାଳୟ କିଛି କାମ କରିନି। ଅନ୍ୟ ସରକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗରେ ବି ନାହିଁ। ଯାହା ହେଉଛି ଅଫିସ୍ ଭିତରେ। ଅଫିସ୍ରୁ କାଗଜ ଖଣ୍ଡେ ଯିବା ତ ଦୂରର କଥା ବାହାରୁ କାଗଜ ଖଣ୍ଡେ ବି ଆସୁନି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା କହୁଛି ସରକାରଙ୍କ ଇ-ଡେସପ୍ୟାଚ୍ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଚାଲିଛି ବୋଲି କହୁଛନ୍ତି। କେଉଁ ବିଭାଗରେ କ’ଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଗଲା, କେଉଁ ବିଭାଗର କେଉଁ ଅଧିକାରୀଙ୍କ ନିକଟକୁ କେଉଁ ଫାଇଲ୍ ଗଲା, କିଏ କେଉଁ ଫାଇଲ୍ କାହା ପାଖକୁ ପଠାଇଲେ ତା’ର ସବିଶେଷ ସୂଚନା ଦେବା ପାଇଁ ଓଡ଼ିଶା ସେକ୍ରେଟେରିଏଟ୍ ଓ୍ଵାର୍କ ଫ୍ଲୋ ଅଟୋମେସନ ସିଷ୍ଟମ (ଓସ୍ୱାସ୍) ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ଇ-ଡେସପାଚ୍ରେ ସମସ୍ତ ବୈଠକର ସୂଚନା, ବିଜ୍ଞପ୍ତି, ପ୍ରତିଦିନ ଦେଣନେଣ ହେଉଥିବା ଫାଇଲ୍ର ତଥ୍ୟ, ଦେବାକୁ କୁହାଯାଇଛି। ସରକାରଙ୍କ ବିଭିନ୍ନ କାର୍ଯ୍ୟ, ଯୋଜନାରେ ଯେପରି ସ୍ୱଚ୍ଛତା ଆସିବ, ସରକାରୀ ନିଷ୍ପତ୍ତି ଯେ କେହି ବି ଯେଉଁଠି ଥାଇ ସହଜରେ ଜାଣିପାରିବେ ଏବଂ ସରକାରୀ ବିଭାଗଗୁଡ଼ିକ ସେମାନଙ୍କର ସୂଚନା, ଚିଠିକୁ ଅନ୍ୟ ବିଭାଗକୁ ଅନଲାଇନ୍ରେ ପଠାଇପାରିବେ ସେନେଇ ଇ-ଡେସପାଚ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହେଲେ ନଗର ଉନ୍ନୟନ ବିଭାଗର ଦୁଇଟି ପ୍ରମୁଖ ସ୍ୱୟଂଶାସିତ ସଂସ୍ଥା ବିଏମ୍ସି ଓ ବିଡିଏ ଏହି ବ୍ୟବସ୍ଥାଠାରୁ ଦୂରରେ। ସଂସ୍ଥାର ମୁଖିଆ କ୍ରିଷନ କୁମାରଙ୍କ ଇଙ୍ଗିତରେ ଏପରି ହେଉଥିବା ଚର୍ଚ୍ଚା ହେଉଥିବାବେଳେ ମୁଖିଆ ବି ସବୁ ଜାଣି ଚୁପ୍ ବସିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି , ବିଏମ୍ସି ଓ ବିଡିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ନଜରରେ ଏତେ ସ୍ୱଚ୍ଛ ଭାବେ କାର୍ଯ୍ୟ କରୁଛନ୍ତି ଯେ, ଏହି ଦୁଇଟି ବିଭାଗ ଗତ ଦୁଇ ବର୍ଷ ହେଲା ଇ-ଡେସପାଚ୍ ବ୍ୟବସ୍ଥାରୁ ପୂରା ଉଭାନ୍ ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନଜର ପଡ଼ୁନି କି ମୁଖ୍ୟ ଶାସନ ସଚିବ ବି ତାଙ୍କ ନାକ ତଳେ ଥିବା ଦୁଇଟି ପ୍ରମୁଖ କାର୍ଯ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ବିଷୟରେ ବି ଜାଣିପାରୁନାହାନ୍ତି। ଦୁଇଟି କାର୍ଯ୍ୟାଳୟରେ କ’ଣ ହେଉଛି, କେଉଁ ଫାଇଲ୍ ଆସୁଛି, କେଉଁ ଫାଇଲ୍ ଯାଉଛି ତା’ର ସୂଚନା ଦିଆଯାଉନି। ରାଜଧାନୀବାସୀଙ୍କର ଯେଉଁ ଦୁଇଟି କାର୍ଯ୍ୟାଳୟରେ ସବୁଠୁ ଅଧିକ କାର୍ଯ୍ୟ ତାହାକୁ ସାଧାରଣ ଲୋକଙ୍କ ଠାରୁ କାହିଁକି ପୂରା ଦୂରେଇ ରଖାଯାଇଛି ବୋଲି ପ୍ରଶ୍ନ ଉଠିଲାଣି।
ଇ-ଡେସପାଚ୍ରୁ ବିଏମ୍ସି ଓ ବିଡିଏକୁ ଉଭାନ୍ କରିବା ପାଇଁ ଦୁଇ ବର୍ଷ ତଳୁ ଚକ୍ରାନ୍ତ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଏହି ଦୁଇଟି ସଂସ୍ଥା ଅଧିକାଂଶ ଚିଠି ଇ-ଡେସପାଚ୍ରେ ଅପଲୋଡ୍ କରୁନଥିବାବେଳେ ଯାହା ବି ଚିଠି କରୁଥିଲେ ତାହା ବିଳମ୍ବରେ କରୁଥିଲେ। ଏପରିକି ଯେଉଁ ଉଦ୍ଦେଶ୍ୟରେ ଚିଠି ହେଉଥିଲା ସେହି କାର୍ଯ୍ୟ ଶେଷ ହେବା ପରେ। ୨୦୧୫ ସେପ୍ଟେମ୍ବରରୁ ବିଡିଏ କର୍ତ୍ତୃପକ୍ଷ କୌଣସି ବିଭାଗକୁ ଚିଠି ଦେଇନାହାନ୍ତି ବୋଲି ଇ-ଡେସପ୍ୟାଚ୍ରେ ଦେଖାଇଲା। ବିଏମ୍ସି କର୍ତ୍ତୃପକ୍ଷଙ୍କର ବି ସମାନ ଅବସ୍ଥା। ଯଦି ବିଏମ୍ସି କି ବିଡିଏ କୌଣସି ବିଭାଗକୁ ଚିଠି ଦେଉନାହାନ୍ତି ତେବେ ବିଭାଗୀୟ ଅଧିକାରୀମାନେ କିପରି କାର୍ଯ୍ୟ କରୁଥିଲେ? ଏହାପରେ ଇ-ଡେସପାଚ୍ େଓ୍ଵବସାଇଟ୍ରୁ ବିଏମ୍ସି ଓ ବିଡିଏର ନାମ କାଟି ଦିଆଗଲା। ସଂସ୍ଥାର ନାମ ସିନା ଥିଲେ କିଏ କ୍ଲିକ୍ କରିବ। ଆଉ କେଉଁ ବିଭାଗରୁ ଚିଠି ଆସିଛି, ଚିଠି ଯାଇଛି ସେ ବିଷୟରେ ଜାଣିବ। ନାମ ଉଡ଼ାଇ ଦେଲେ କେହି ଜାଣିିବାର ନାହିଁ। କେବଳ ଏତିକିରେ କର୍ତ୍ତୃପକ୍ଷଙ୍କ କାରସାଦି ସରିନି। ବିଏମ୍ସି ଓ ବିଡିଏ େଓ୍ଵବସାଇଟରେ ଇ-ଡେସପାଚ୍ ଲେଖାଯାଇଛି। କେତେ ଚିଠି ପାଇଲେ, କେତେ ଚିଠି ଦେଲେ ତା’ର ସବୁ ତଥ୍ୟ ଲେଖା ଅଛି। ହେଲେ ଏହା ଉପରେ କ୍ଲିକ୍ କଲେ ଏହା ଖୋଲୁନି। ଇ-ଡେସପାଚ୍ ସିନା ଖୋଲିଲେ କିଏ କିଛି ଜାଣିବ। ନ ଖୋଲିଲେ କିଛି ତଥ୍ୟ ପ୍ରଘଟ ହେବାର ନାହିଁ।
ବିଏମ୍ସି ଓ ବିଡିଏ କର୍ତ୍ତୃପକ୍ଷଙ୍କର ଏହି କାରସାଦି ପଛରେ ଦୁର୍ନୀତିର ଗନ୍ଧ ଥିବା ଚର୍ଚ୍ଚା ହେଉଛି। ସମସ୍ତ କାର୍ଯ୍ୟ ଅଫଲାଇନ୍ରେ କଲେ, ଫାଇଲ୍ ଓ ଚିଠି ଅଫଲାଇନ୍ ମୋଡ୍ରେ ନେଣଦେଣ କଲେ ଗଫଲତି କରିବାର ସୁଯୋଗ ଥିବାରୁ ଦୁଇଟି କାର୍ଯ୍ୟାଳୟର ମୁଖିଆ ପଦରେ ବସିଥିବା କ୍ରିଷନ କୁମାର ଚୁପ୍ ବସିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ମୁଖିଆ ନିଜ ଇଚ୍ଛାରେ ନା କାହା ଚାପରେ ଚୁପ୍ ବସିଛନ୍ତି ସେନେଇ ବି ପ୍ରଶ୍ନ ସୃଷ୍ଟି ହେଲାଣି। କାରଣ ଏନେଇ ସମ୍ବାଦ ପକ୍ଷରୁ ଶ୍ରୀ କୁମାରଙ୍କୁ ଦୁଇ ବର୍ଷ ମଧ୍ୟରେ ତିନି ଥର ଯୋଗାଯୋଗ କରାଯାଇଥିଲେ ହେଁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିଲାନି।