ଚିନ୍ତା ବଢ଼ାଉଛି ବିନା ଲାଇସେନ୍‌ସରେ ଔଷଧ ଦୋକାନ, ବର୍ଷକରେ ୫୦ରୁ ଅଧିକ ମାମଲା

ଭୁବନେଶ୍ବର : ରାଜ୍ୟରେ ଖୋଲାଖୋଲି ଚାଲିଛି ନିଶା ଔଷଧ କାରବାର। କଫ୍ସି-ସିରପ ସହ ନାଇଟ୍ରୋସନ୍ ବଟିକା ଅବାଧରେ ବିକ୍ରି ଚାଲିଛି। କେବଳ ନିଶା ଔଷଧ ନୁହେଁ, ନିମ୍ନମାନର ଓ ଅପମିଶ୍ରିତ ଔଷଧ ମଧ୍ୟ ବିକ୍ରି ହେଉଥିବା ନଜରକୁ ଆସିଛି। ହେଲେ ଏଥିରେ ନିୟନ୍ତ୍ରଣ ଲାଗିପାରୁନି। ବର୍ଷକରେ ରାଜ୍ୟବ୍ୟାପୀ ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇ ‌ବିନା ଲାଇସେନ୍‌ସ ଓ ନିଶା ଔଷଧ ବିକ୍ରି ଅଭିଯୋଗରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ନିକଟରେ ରାଜଧାନୀରେ ୨୫ହଜାର ବୋତଲ କଫ୍ ସିରପ ଜବତ ହେବା ପରେ ରାଜ୍ୟରେ ନିଶା ଔଷଧ କାରବାର ଅଭିଯୋଗକୁ ପୁଣିଥରେ ତାଜା କରିଛି।

ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ଏପ୍ରିଲ୍‌ରୁ ଚଳିତ ବର୍ଷ ଏପ୍ରିଲ ମଧ୍ୟରେ ୨୨ଟି ବିନା ଲାଇସେନ୍‌ସପ୍ରାପ୍ତ ଔଷଧ ଦୋକାନ ଉପରେ ଚଢ଼ଉ ହୋଉଛି। ଅନୁଗୁଳରେ ୪, ବାଲେଶ୍ବର ଗ୍ରାମାଞ୍ଚଳରେ ୫, ବରଗଡ଼, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, ପୁରୀ, କଳାହାଣ୍ଡିରେ ଗୋଟିଏ ଲେଖାଏଁ, କେନ୍ଦ୍ରାପଡ଼ାରେ ୩, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁରରେ ୨ଟି ଲେଖାଏଁ ବିନା ଲାଇସେନ୍‌ସପ୍ରାପ୍ତ ଔଷଧ ଦୋକାନରେ ଚଢ଼ଉ କରାଯାଇ ମାମଲା ଦାୟର ହୋଇଛି। ତେବେ ଗତବର୍ଷ ଅକ୍ଟୋବରରୁ ରାଜ୍ୟର ବିଭିନ୍ନ ସ୍ଥାନରୁ କୋଡିନ୍‌ଯୁକ୍ତ କଫ୍ ସିରପ ଓ ନାଇଟ୍ରୋସନ୍ ବଟିକା ଜବତ ହୋଇଛି। ଭୁବନେଶ୍ବର-୩, ଗଞ୍ଜାମ-୨ ରେଞ୍ଜରେ ପୈଞ୍ଜା-ପି ବଟିକା, ଓ ଗଞ୍ଜାମ-୩ ରେଞ୍ଜରେ ଟେରମକ୍ସ ସିଭି ଡ୍ରାଏ ସିରପ ଓ ମିଗର ଏମ୍‌ଡିଏସ୍‌ ସସ୍‌ପେନସନ୍, ନୂଆପଡ଼ାରେ ହିପୋଡକ୍ସ ସସ୍‌ପେନସନ୍‌, ସୁବର୍ଣ୍ଣପୁର ଜିଲ୍ଲାରୁ ଆସେରିଭ୍ ଏସ୍‌ପି ବଟିକା ଓ କୋରାପୁଟରେ ଅପମିଶ୍ରିତ ବଟିକା ଜବତ କରାଯାଇଛି।

ଅପରପକ୍ଷେ ବେଆଇନ ଭାବେ ନିଶା ଔଷଧ ବିକ୍ରି କରିବା ଅଭିଯୋଗରେ ମଧ୍ୟ ବିଭିନ୍ନ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଚଳିତବର୍ଷ ଖୋର୍ଧାରୁ କୋଡିନ୍‌ଯୁକ୍ତ କଫ ସିରପ ବିକ୍ରି କରିବା ଅଭିଯୋଗରେ ଶଙ୍କର ମେଡିକାଲ ହଲ ନାଁରେ ମାମଲା ରୁଜୁ ହୋଇଛି। ତେବେ ବୌଦ୍ଧର ଏକ ତେଜରାତି ଦୋକାନରୁ ବହୁମାତ୍ରାରେ କଫ୍ ସିରପ ଜବତ କରାଯିବା ଘଟଣା ବେଶ୍ ଚର୍ଚାକୁ ଆସିଥିଲା। ଅବକାରୀ ବିଭାଗ ସହାୟତାରେ ସ୍ଥାନୀୟ ଭେଷଜ ଅଧିକାରୀ କଫ୍ ସିରପ ଜବତ କରିବା ସହିତ ବୌଦ୍ଧ କୋର୍ଟରେ ଏକ ମକଦ୍ଦମା ରୁଜୁ କରିଛନ୍ତି। ଏହାସହ ନବରଙ୍ଗପୁର ଭେଷଜ ନିରୀକ୍ଷକ ଓ ଡିସିଏ ବିଭାଗୀୟ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି କୋଡିନ୍‌ଯୁକ୍ତ କଫ୍ ସିରପ ଜବତ କରିଥିଲେ। ଏହି ଘଟଣାରେ ରାକେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଉମରକୋଟ କୋର୍ଟରେ ମାମଲା ରୁଜୁ ହୋଇଛି। ଭୁବନେଶ୍ବର-୨ ରେଞ୍ଜର ଭେଷଜ ନିରୀକ୍ଷକ ଏକ ଔଷଧ ଦୋକାନ ବିରୋଧରେ କୋରଟେକ୍ସ ସିରପ ବିକ୍ରି କରିବା ଅଭିଯୋଗରେ ମାମଲା ଦାୟର କରିଛନ୍ତି।

ଭେଷଜ ନିୟନ୍ତ୍ରକ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ନିଶା ଔଷଧ ବିକ୍ରି କରୁଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ଚଢ଼ଉ ଜାରି ରହିଛି। ରାଜଧାନୀ ସମେତ ଅନ୍ୟାନ୍ୟ ଜିଲ୍ଲାରୁ କୋଡିନ୍‌ଯୁକ୍ତ କଫ୍ ସିରପ ସମେତ ନାଇଟ୍ରୋସନ୍ ବଟିକା ଜବତ ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ଉ ଜାରି ରହିବ। ତେବେ ଏସବୁ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ସଂଖ୍ୟା ବହୁତ କମ୍ ହେଉଥିବା ଅଭିଯୋଗ ହେଉଛି। ଏହିପରି ଏକ ଘଟଣାରେ କୋର୍ଟ ଜଣକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୪ ମସିହାରେ ଜଗତସିଂହପୁର ଭେଷଜ ନିରୀକ୍ଷକଙ୍କ ଦ୍ବାରା ରୁଜୁ ହୋଇଥିବା ମକଦ୍ଦମାରେ କଟକର ସ୍ବତନ୍ତ୍ର ବିଚାରପତି ଜଣକୁ ୧ବର୍ଷ ଜେଲ୍ ସହିତ ୨୦ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର