ପାର୍କିଂ ଫି’ ନା ଦାଦାବଟି!

ବାଇକ୍‌ ପାଇଁ ୫ ବଦଳରେ ୧୦, କାର୍‌ ପାଇଁ ୨୦ ବଦଳରେ ୩୦ ଟଙ୍କା ବଢ଼ୁଛି ପାର୍କିଂ କର୍ମଚାରୀଙ୍କ ଦାଦାଗିରି

ଭୁବନେଶ୍ୱର: ରାଜଧାନୀରେ ପାର୍କିଂ କର୍ମଚାରୀଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଦର୍ଶନୀ ପଡ଼ିଆଠାରୁ ଆରମ୍ଭ କରି କଟକ ରୋଡ ପର୍ଯ୍ୟନ୍ତ ସବୁଠି ଗାଡ଼ି ଚାଳକଙ୍କଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ ହେଉଛି। ପାର୍କିଂ ସ୍ଥଳରେ ଥିବା କର୍ମଚାରୀଙ୍କ ପାଟିରୁ ଯେତେ ଟଙ୍କା ବାହାରିଲା ସେତିକି ନ ଦେଲେ କର୍ମଚାରୀଙ୍କ ତାଉ କାହିଁରେ କ’ଣ। ଗାଡ଼ି ଛଡ଼ାଇବା ସହ ଠେଲାପେଲା କରିବାକୁ ବି ପଛାଉ ନାହାନ୍ତି। ଏପରିକି କେତେକ ସ୍ଥାନରେ ଧମକ ଚମକ ଦେଇ ଟଙ୍କା ନେଲେ ବି ପାର୍କିଂ କର୍ମଚାରୀ ରସିଦ୍‌ ଦେଉନାହାନ୍ତି।

ଦୀର୍ଘ ଦିନ ହେଲା ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ କିଛି ନ ଜାଣିବାର ଅଭିନୟ କରୁଛନ୍ତି। ରାଜଧାନୀର ପ୍ରମୁଖ କେତେକ ସ୍ଥାନକୁ ଛାଡ଼ି ଦେଲେ ବେଆଇନ ପାର୍କିଂ ସ୍ଥାନ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ବିଶେଷକରି  ଉତ୍ସବ, ମହୋତ୍ସବ, ମେଳା ସମୟରେ ଅସାମାଜିକ ବ୍ୟକ୍ତି ରାତିଅଧିଆ ପାର୍କିଂ ସ୍ଥାନ କରି ସେଠାରୁ ଅର୍ଥ ଆଦାୟ କରୁଛନ୍ତି। ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ, ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ପରି ସ୍ଥାନରେ ଏଭଳି ବେଆଇନ ପାର୍କିଂ ଫି’ ଆଦାୟ ହେଉଛି। ଏୟା ନୁହେଁ ଯେ ବିଏମ୍‌ସି କର୍ତ୍ତୃପକ୍ଷ କିଛି ଜାଣିନାହାନ୍ତି। ପକେଟରେ ମୋଟା ଅଙ୍କର ଚାନ୍ଦା ପଶୁଥିବାରୁ ସମସ୍ତେ ଦୃଷ୍ଟିହୀନ ଓ ବଧିରର ଅଭିନୟ କରୁଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ଉତ୍ତର ମିଳୁଛି, ସେମିତି ଫି’ ତ ଆଦାୟ ହେଉନି। ଯଦି ଆଦାୟ ହେଉଛି ରସିଦ୍‌ ଦିଅ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯେଉଁ ଅଞ୍ଚଳରେ ବେଆଇନ ପାର୍କିଂ ଫି’ ହେଉଛି ସେଠାରେ ସ୍ଥାନୀୟ କର୍ପୋରେଟର ବି ନିରବଦ୍ରଷ୍ଟା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, କର୍ପୋରେଟର ଯେଉଁଠି ମୁଖ୍ୟ କାର୍ପଟଦାର ସେଠାରେ ସେମାନେ କ’ଣ ବିରୋଧ କରିବେ। ଆଗକୁ ଆଦିବାସୀ ମେଳା ଏବଂ ଖଣ୍ଡଗିରି ମେଳା ହେବାକୁ ଥିବାରୁ ବିଏମ୍‌ସି ଏବେ ଠାରୁ ସଜାଗ ହେବାକୁ ଦାବି ହେଲାଣି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ବିଏମ୍‌ସି ପକ୍ଷରୁ ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନରେ ବେଧଡ଼କ ଭାବେ ନିର୍ଦ୍ଧାରିତ ଫି’ଠାରୁ ଅଧିକ ଫି’ ଆଦାୟ କରାଯାଉଛି। ବିଏମ୍‌ସି ପକ୍ଷରୁ ବାଇକ୍‌ ପିଛା ଫି’ ୫ ଟଙ୍କା ଲେଖାଏ ରଖାଯାଇଥିବା ବେଳେ ଚାଳକଙ୍କଠାରୁ ଜୋର ଜବରଦସ୍ତ ୧୦ ଟଙ୍କା  ନିଆଯାଉଛି। ଯଦି କୌଣସି ଗାଡ଼ି ଚାଳକ ଏନେଇ ଯୁକ୍ତିତର୍କ କିମ୍ବା ପ୍ରତିବାଦ କରି ଗାଡ଼ି ରଖୁଛନ୍ତି ଫେରିଲା ବେଳକୁ ସେମାନଙ୍କ ଗାଡ଼ିର ହୁଲିଆ ବଦଳିଯାଉଛି। କାହାର ସିଟ୍‌ କାଟି ଦିଆଯାଉଛି ତ କାହାର ଚକା ଲିକ୍‌ କରିଦିଆଯାଉଛି। ବାଇକ୍‌ ପିଛା ୧୦ ଟଙ୍କା ଲେଖାଏ ନିଆଯାଉଥିଲେ ମଧ୍ୟ ପାର୍କିଂରେ ଥିବା କର୍ମଚାରୀ ରସିଦ୍‌ ଦେଉ ନ ଥିବା ଆଜି ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ପାର୍କିଂ ସ୍ଥାନରେ ଦେଖିବାକୁ ମିଳିଥିଲା। ରସିଦ୍‌ ଥିଲେ ସିନା କିଏ ଅଭିଯୋଗ କରିବ କି କାର୍ଯ୍ୟାନୁଷ୍ଠାନର ଭୟ ରହିବ। ବିନା ରସିଦ୍‌ରେ ପ୍ରମାଣ ନଷ୍ଟ କରିବାର ପୂରା ଷଡଯନ୍ତ୍ର ହେଉଛି। ଯାହା ପ୍ରଦର୍ଶନୀ ପଡ଼ିଆ ନିକଟରେ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଜଣେ ବାଇକ୍‌ ଚାଳକ ପାର୍କିଂ କରି ଯାଇଥିବା ବେଳେ ତାଙ୍କୁ ସେଠାରେ ଥିବା କର୍ମଚାରୀ କୌଣସି ରସିଦ୍‌ ଦେଇ ନ ଥିଲେ। କିଛି ସମୟ ପରେ ସେ ଗାଡ଼ି ନେବାକୁ ଆସିବାରୁ ସେଠାରେ ମଦ୍ୟପାନ କରି ବୁଲୁଥିବା ପାର୍କିଂ କର୍ମଚାରୀ ଜଣକ ପାର୍କିଂ ଫି’ ବାବଦକୁ ୧୦ ଟଙ୍କା ମାଗିଥିଲେ। ସେ ୧୦ ଟଙ୍କା  କାହିଁକି ଦେବେ ବୋଲି ପଚାରିବାରୁ ପାର୍କିଂ କର୍ମଚାରୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ଏପରିକି ସେଠାରେ ଥିବା ୫ରୁ ୬ ଜଣ ବ୍ୟକ୍ତି ଏକାଠି ହୋଇ ଗାଳିଗୁଲଜ କରିଥିଲେ। ମାରିବାକୁ ବି ଧମକ ଦେଇଥିଲେ। ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଓ ସାମ୍ବାଦିକ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଦଉଡ଼ି ପଳାଇଥିଲେ।

ରେଳ ଷ୍ଟେସନ: ପାର୍କିଂ ଫି’ ନେଉଛି ହୋଟେଲ 

ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମକୁ ଯିବାକୁ ଥିବା ରାସ୍ତା ପାର୍ଶ୍ୱରେ ଏକ ହୋଟେଲ କର୍ତ୍ତୃପକ୍ଷ ପାର୍କିଂ ଷ୍ଟାଣ୍ଡ କରିଛନ୍ତି। ବିଏମ୍‌ସିଠାରୁ ଅନୁମତି ନ ଆଣି ସମ୍ପୃକ୍ତ ହୋଟେଲ କର୍ମଚାରୀ ଫି’ ଆଦାୟ କରୁଛନ୍ତି। ହୋଟେଲର କର୍ମଚାରୀ ବାଇକ୍‌ ପିଛା ୧୦ ରୁ ୧୫ ଟଙ୍କା ଆଦାୟ କରୁଛନ୍ତି। ପାର୍କିଂ ସ୍ଥାନରେ ଗାଡ଼ି ରଖିବା ଲାଗି ରାସ୍ତାରେ ଏକ ବୋର୍ଡ ବି ଲଗାଯାଇଛି।  ଚାଳକ ସେଠାରେ ପହଞ୍ଚିଲା ବେଳକୁ ଏହା ବେଆଇନ ଭାବେ କରାଯାଇ ଥିବା ଜାଣିବାକୁ ପାଉଛି। ଉପାୟ ନ ପାଇ ହଟହଟା ହେଉଛନ୍ତି ଚାଳକ। ଯଦି କୌଣସି ଚାଳକ ସେଠାରେ ଗାଡ଼ି ନ ରଖି ରାସ୍ତା ପାର୍ଶ୍ୱରେ ପାର୍କିଂ କରି ପ୍ଲାର୍ଟଫର୍ମକୁ ଯାଉଛନ୍ତି ଆସିଲା ବେଳକୁ ଗାଡ଼ି ଲିକ୍‌। ଦିନ ଦି ପହରରେ ଏଭଳି ବେଆଇନ ପାର୍କିଂ ଚାଲିଥିଲେ ମଧ୍ୟ କାହାର ରୋକିବାକୁ ସାହାସ ନାହିଁ।

 

 

 

 

 

ସମ୍ବନ୍ଧିତ ଖବର