ମୁହଁ ଖୋଲିଲେ କ୍ୟାପିଟାଲ ହସ୍ପିଟାଲ ପ୍ରସୂତି, ସମୟ ହୋଇନି କହି ଫେରାଇ ଦେଇଥିଲେ ଡାକ୍ତର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ପ୍ରସବ କରାଇଥିବା ପ୍ରସୂତିଜଣକ ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେଦିନ ରାତିରେ ଘଟି ଯାଇଥିବା ପୂରା ଘଟଣା ସମ୍ପର୍କରେ କହିଛନ୍ତି। କେମିତି ଡାକ୍ତରଙ୍କ ଗୋଲକଧନ୍ଦା ଭିତରେ ଫସି ଖୋଲା ଆକାଶ ତଳେ ପିଲାକୁ ଜନ୍ମ ଦେଇଥିଲେ, ତାହାର ପୂରା କାହାଣୀ କହିଛନ୍ତି ପାନା ମୁର୍ମୁ।

ସେ କହିଛନ୍ତି ଯେ ପ୍ରସବ ଯନ୍ତ୍ରଣା ହେବାରୁ ଶୁକ୍ରବାର ରାତି ପ୍ରାୟ ୮ଟାରେ କ୍ୟାପିଟାଲ୍ ହସ୍ପିଟାଲ୍ ଯାଇଥିଲେ। ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଚେକ୍-ଅପ୍ କରି ଘଣ୍ଟାଏ ପରେ ଆସିବାକୁ କହିଥିଲେ। ତେବେ ଫେରିବାର କିଛି ସମୟ ପରେ ଯନ୍ତ୍ରଣା ହେବାରୁ ଅଧଘଣ୍ଟା ପରେ ପୁଣି ଡାକ୍ତରଙ୍କ ପାଖକୁ ଆସିଥିଲେ। ସେଠାରେ ଥିବା ଦିଦିଜଣକ ଡାକ୍ତରଙ୍କୁ ଦେଖା ନ କରେଇ ଫେରେଇ ଦେଇଥିଲେ। କଟକ ଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ କଟକ ଯାଇ ଚିକିତ୍ସା କରିବା ପାଇଁ ପାଖରେ ସମ୍ବଳ ନ ଥିଲା। ତେଣୁ ନିରାଶ ‌ହୋଇ ଫେରିଥିଲେ। ଜଣେ ସଂପର୍କୀୟଙ୍କ ସହାୟତାରେ ହସ୍ପିଟାଲ୍‌ରୁ ଫେରୁଥିବା ବେଳେ ବ୍ଲଡ୍‌ବ୍ୟାଙ୍କ ପାଖ ଫୁଟ୍‌ପାଥ୍ ନିକଟରେ ସନ୍ତାନ ଜନ୍ମ ହୋଇଥିଲା। ପାନାଙ୍କ ସ୍ୱାମୀ କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପରେ ଉପଯୁକ୍ତ ଚିକିତ୍ସା ମିଳି ନ ଥିଲା। ଜଣେ ପ୍ରସୂତି ମହିଳାଙ୍କୁ ଯେଉଁଭଳି ସେବା ଯୋଗାଇ ଦିଆଯିବା କଥା ମେଡିକାଲ କର୍ତୃପକ୍ଷ ତାହା କରି ନଥିଲେ।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ କର୍ତୃକ୍ଷପ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କ ମୁଣ୍ଡ ଉପରେ ସବୁ ଦୋଷ ଲଦି ନିଜେ ଖସିଯିବାକୁ ଉଦ୍ୟମ କରୁଛନ୍ତି। ସେ ସମୟରେ ଉପସ୍ଥିତ ଥିବା ଡାକ୍ତର ଆଜି ଗଣମାଧ୍ୟମରେ କହିଛନ୍ତି ଯେ ସେ ଓଟିରେ ଥିଲେ। ତେଣେ ହସ୍ପିଟାଲ କର୍ତୃପକ୍ଷ କହୁଛନ୍ତି କାହାକୁ ନ ଜଣାଇ ରୋଗୀ ଚାଲି ଯାଇଥିଲେ। ରୋଗୀଙ୍କ ଅଭିଯୋଗ ଓ ହସ୍ପିଟାଲ କର୍ତୃପକ୍ଷଙ୍କ ସଫେଇ ଭିତ‌‌ରେ ପ୍ରଶ୍ନ ଉଠୁଛି, ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ଜଣେ ରୋଗୀଙ୍କୁ ଚିକିତ୍ସା ମିଳିପାରିଲାନି କାହିଁକି?

ସମ୍ବନ୍ଧିତ ଖବର