ମହିଳା ସହକର୍ମୀଙ୍କୁ ମାନସିକ ନିର୍ଯାତନା, ଉନ୍ନୟନ କମିସନରଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର : ଜଣେ ମହିଳା ସହକର୍ମୀଙ୍କୁ ମାନସିକ ନିର୍ଯାତନା ଦେବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉନ୍ନୟନ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା। ହୋଇଥିବା ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରେ କମିସନରେ ରିପୋର୍ଟ ଦାଖଲ‌ କରିବାକୁ କୁହାଯାଇଛି। ଅଭିଯୁକ୍ତ ବିଭାଗର ନିର୍ଦ୍ଦେଶକ ହୋଇଥିବାରୁ ତଦନ୍ତ ପ୍ରଭାବିତ ହେବା ନେଇ ପୀଡ଼ିତା ଆଶଙ୍କା କରିଛନ୍ତି। ଏନେଇ ସେ କର୍ମଚାରୀ ସଂଘ, ମହିଳା ସେଲ୍‌, ଉନ୍ନୟନ କମିସନର, ପ୍ରମୁଖ ସଚିବଙ୍କୁ ଅଭିଯୋଗ କରିଛନ୍ତି। ମହିଳା କମିସନଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ସେ ଉନ୍ନୟନ କମିସନଙ୍କୁ ଗୁହାରି କରିଛନ୍ତି। ଏଭଳି ଏକ ସଙ୍ଗିନ ଅଭିଯୋଗ ସରକାରଙ୍କର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଶଙ୍କର୍ଷଣ ସାହୁଙ୍କ ବିରୋଧରେ ହୋଇଛି। ୧୦ ମାସ ତଳେଏହା ଘଟିଥିଲେ ମଧ୍ୟ ଅଦ୍ୟାବଧି ନ୍ୟାୟ ମିଳୁ ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ପୀଡ଼ିତା ନିଜର କିଛି ସମସ୍ୟା ନେଇ ନିର୍ଦ୍ଦେଶକଙ୍କ ପାଖକୁ ଯାଇଥିଲେ। ହେଲେ ସମସ୍ୟାର ସମାଧାନ ନ ହେବାରୁ ସେ ଉନ୍ନୟନ କମିସନରଙ୍କୁ ଭେଟିଥିଲେ। ଅଭିଯୋଗକୁ ଆଧାର କରି ସମସ୍ୟାର ସମାଧାନ କରିବା ପାଇଁ ଉନ୍ନୟନ କମିସନର ନିର୍ଦ୍ଦେଶକ ଶଙ୍କର୍ଷଣ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ମସିହା ଏପ୍ରିଲ ୧୫ ତାରିଖ ଦିନ ନିର୍ଦ୍ଦେଶକ ତାଙ୍କୁ ଡାକି ଗାଳି ଗୁଲଜ କରିବା ସହ ସେବେଠାରୁ ମାନସିକସ୍ତରରେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ରହିଥିଲା। ନିୟମ ମୁତାବକ ସେ ପ୍ରଥମେ ବିଭାଗର ମହିଳା ସେଲ୍‌ରେ‌ ଅଭିଯୋଗ କରିଥିଲେ। ଏଥିରେ ଥିବା ମହିଳା କର୍ମଚାରୀ ମଧ୍ୟ ସେହି ବିଭାଗ ଅଧୀନରେ କାମ କରୁଥିବାରୁ ନିର୍ଦ୍ଦେଶକଙ୍କ ବିରୋଧରେ ଯାଇ ନ ଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଫଳରେ ସେ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର