ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବିକ୍ରମଙ୍କ ଭୂମିକାକୁ ନେଇ ପୁଲିସର ଖୋଳତାଡ଼

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ

ଭୁବନେଶ୍ବର/ଧଉଳି : ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆଜି ଧଉଳି ପୁଲିସର ହସ୍ତଗତ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ‌ରେ ଉଲ୍ଲେଖ କରାଯାଇଛି ଯେ ଶ୍ବାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଧଉଳି ଥାନା ଇନ୍ସପେକ୍ଟର ଜୟଦେବ ବିଶ୍ବଜିତଙ୍କ ସୂଚନା ଅନୁଯାୟୀ, ଦୀପାଳି ଫ୍ୟାନରେ ଝୁଲି ପଡ଼ିବାରୁ ତାଙ୍କର ଶ୍ବାସରୁଦ୍ଧ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ରିପୋର୍ଟରେ ଉଲ୍ଲେଖ ରହିଛି, ବେକରେ ଭି-ସେପ୍‌ ଚିହ୍ନ ରହିଛି। ତଦନ୍ତ ସମୟରେ ନାକରୁ ରକ୍ତ ବାହାରି ପଡ଼ିଥିବା ଦେଖାଯାଇଥିଲା। ରାତି ୧୦ଟାରୁ ୨ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ପୁଲିସର ତଦନ୍ତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ସହ ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଦୀପାଳି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ହେଲେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଏଯାଏ ଅସ୍ପଷ୍ଟ ଥିବା ମାମଲା ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀ କାଶୀନାଥ ହାଂସଦା କହିଛନ୍ତି।

ପୁଲିସ କହିବା ଅନୁଯାୟୀ, ଦୀପାଳି ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏବଂ ଏଥିରେ ବିକ୍ରମଙ୍କ ଭୂମିକା କ’ଣ, ତାର ଅନୁସନ୍ଧାନ ଚାଲିଛି। ବିକ୍ରମକୁ ଠାବ କରାଗଲେ ଘଟଣା ଉପରୁ ରହସ୍ୟ ଉଠିପାରିବ। ବିକ୍ରମଙ୍କୁ ଖୋଜିବା ପାଇଁ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ହେଁ ଏଯାଏ ସଫଳ ହୋଇପାରିନି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ‌ସେ ଭୁବନେଶ୍ବରର କେଉଁ ସ୍ଥାନରେ ଆତ୍ମଗୋପନ କରିଥାଇପାରନ୍ତି। ଯଦି ଦୀପାଳି ଆତ୍ମହତ୍ୟା ପାଇଁ ବିକ୍ରମ ଦାୟୀ ନୁହନ୍ତି, ତା’ହେଲେ କ’ଣ ପାଇଁ ସେ ଥାନାରେ ଆତ୍ମସମର୍ପଣ କରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରୁନାହାନ୍ତି? ପୁଲିସକୁ ସାମନା କରିବାକୁ କାହିଁକି ଭୟ କରୁଛନ୍ତି ? ତାହା ଏବେ ଚର୍ଚାର ବିଷୟ ହୋଇଛି। ପୁଲିସ ବିକ୍ରମଙ୍କୁ ତୁରନ୍ତ ଠାବ କରି ଦୀପାଳି ଆତ୍ମହତ୍ୟାର କାରଣର ପର୍ଦ୍ଦାଫାସ କରିବା ସହିତ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଆଇନଜୀବୀ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର