ଜେଲ୍‌ ଗଲେ ମହିଳା, ଏପଟେ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଆୟକର ଫାଙ୍କିବା ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହିର ଜଣେ ମହିଳାଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସେ ଜେଲ୍‌ ଯିବା ପରେ ପରେ ସାଲିଆସାହିରେ ଥିବା ତାଙ୍କର ଘରକୁ କେତେକ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ଏଭଳି ଗୁଣ୍ଡାରାଜ୍‌କୁ ନେଇ ସାଲିଆ ସାହିରେ ଆତଙ୍କ ଖେଳି ଯାଇଛି। ଅନ୍ୟପଟେ ଘର ସମ୍ପୃକ୍ତ ମହିଳାଙ୍କ ନୁହେଁ, ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଘରେ ସେ ରହୁଥିଲେ ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ଗିରଫ ମହିଳା ହେଉଛନ୍ତି ସରୋଜିନୀ ପ୍ରଧାନ। ନିଜ ନାମକୁ ପରିବର୍ତ୍ତନ କରି ବିଭିନ୍ନ ସମୟରେ ନକଲି ପରିଚୟ ପତ୍ର ସହ ବିଭିନ୍ନ ଜରୁରୀ କାଗଜପତ୍ର ପ୍ରସ୍ତୁତ କରୁଥିଲେ। ନୂଆପଲ୍ଲୀରେ ଚର୍ଚ୍ଚିଲ କାନୁନଗୋଙ୍କ ଘରେ ସେ ଭଡ଼ା ସୂତ୍ରରେ ରହୁଥିଲେ। ତେବେ ବିଭିନ୍ନ ସମୟରେ କନ୍ଦଳ ସଷ୍ଟି ହେବାରୁ ଚର୍ଚ୍ଚିଲ ତାଙ୍କୁ ଭଡ଼ା ଘରୁ ବାହାର କରି ସାଲିଆସାହିରେ ରହିବା ପାଇଁ ବ୍ୟବସ୍ଥା କରିଥିଲେ। ସାଲିଆ ସାହିରେ ତାଙ୍କର ୧୮ଟି ଘର ଥିଲା। ସେ ସବୁ ଭଡ଼ା ଦିଆଯାଇଥିଲା। ସେଥିରୁ ଦୁଇଟି ଘରେ ସରୋଜିନୀ ରହିବା ସହ ଅନ୍ୟ ଘରଗୁଡ଼ିକ ଦେଖାରଖା କରୁଥିଲେ। ଭଡ଼ା ମଧ୍ୟ ଆଦାୟ କରୁଥିଲେ। ୨୦୧୫ ମସିହାରେ କୌଣସି କାରଣରୁ ଚର୍ଚ୍ଚିଲଙ୍କ ସହ ମହିଳାଙ୍କ ମତାନ୍ତର ହେବାରୁ ମହିଳାଜଣଙ୍କ ଚର୍ଚ୍ଚିଲଙ୍କ ନାମରେ ପ୍ରତାରଣା ଅଭିଯୋଗ ଆଣି ମହିଳା ଥାନାରେ ଏତଲା ଦେଇଥିଲେ। ତେବେ ୨୦୧୬ ମସିହାରେ ଚର୍ଚ୍ଚିଲ ତାଙ୍କ ନାମରେ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ଆଦେଶ ସରୋଜିନୀ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଆଜି ପୁଣି ଥରେ ସମାନ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ବୋଲି ସରୋଜିନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏଣେ ଘର ମଧ୍ୟ ଭାଙ୍ଗି ଦିଆଯାଇଛି।

ସମ୍ବନ୍ଧିତ ଖବର