ଭୁବନେଶ୍ବର: ଦୀପ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ ଆଚାର୍ଯ୍ୟବିହାର ଅଞ୍ଚଳର ବନିତା ତ୍ରିପାଠୀ(୩୪)। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ୧୪ ତାରିଖ ସନ୍ଧ୍ୟାରେ ବନିତା ଚଉଁରାରେ ଦୀପ ଲଗାଇ ପୂଜା କରୁଥିଲେ। ଏହି ସମୟରେ ଅସାବଧାନତା ଯୋଗୁ ଦୀପ ନିଅାଁ ତାଙ୍କ ଲୁଗାରେ ଲାଗିଯାଇଥିଲା। ଏହା ଜାଣି ବନିତା ଭୟରେ ଚିତ୍କାର କରିଥିଲେ। ପାଟି ଶୁଣି ଆଖପାଖର ଲୋକମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବନିତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp