ସ୍ୱାମୀଙ୍କ ମଙ୍ଗଳ ମନାସିଲେ ମହିଳା

ଭୁବନେଶ୍ୱର: କଥାରେ ଅଛି, ସଧବା ବେଶରେ ମୃତ୍ୟୁ ହେଲେ ବୈକୁଣ୍ଠପ୍ରାପ୍ତି ହୋଇଥାଏ। ସେଥିପାଇଁ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓଡ଼ିଆ ଘରର ବୋହୂମାନେ ସାବିତ୍ରୀ ବ୍ରତ ପାଳନ୍ତି। ଆଜି ଏହି ପବିତ୍ର ବ୍ରତକୁ ପାଳନ କରିବା ପାଇଁ ରାଜଧାନୀରେ ହିନ୍ଦୁ ସଧବା ନାରୀଙ୍କ ମଧ୍ୟ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। କିଏ ନିଜ ଘରେ ବ୍ରାହ୍ମଣଙ୍କୁ ଡାକି ପୂଜା କରୁଥିଲେ ତ ଆଉ କିଏ ମନ୍ଦିର ଆସୁଥିଲେ। ଉଭୟ ମନ୍ଦିର ଓ ଘରେ ଘରେ ଧୂପ, ଦୀପ, ଶଙ୍ଖ, ହୁଳହୁଳି ଶବ୍ଦ ଗୁଞ୍ଜରିତ ହେଉଥିଲା। ସାବିତ୍ରୀ ଓଷାରେ କିଛି ମହିଳା ଶିବ ପାର୍ବତୀଙ୍କୁ ପୂଜା କରୁଥିବା ବେଳେ ଅନେକ ଲକ୍ଷ୍ମୀ ନାରାୟଣଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି। ସାବିତ୍ରୀ ପାଇଁ ପୂରା ସହର ଯେପରି ଉତ୍ସବମୁଖର ହୋଇଉଠିଥିଲା।

ମନ୍ଦିରରେ ଦିନତମାମ ଗହଳି
ଭୁବନେଶ୍ୱରର ଗଳିକନ୍ଦି ସବୁଠି ସାବିତ୍ରୀ ପାଇଁ ଦେଖା ଦେଇଥିଲା ପ୍ରବଳ ଭିଡ଼। ସକାଳୁ ଉଠି ସ୍ନାନ କରି, ନୂଆ ଲୁଗା ପିନ୍ଧି ମହିଳାମାନେ ବାହାରି ପଡ଼ିଥିଲେ ମନ୍ଦିର। କିଏ ୫ ପ୍ରକାରର ଫଳ ଆଣିଥାଆନ୍ତି ପୂଜା କରିବା ପାଇଁ କିଏ ୧୧ ପ୍ରକାରର ତ ଆଉ କିଏ ୫୫ପ୍ରକାର ଫଳ ଆଣି ଆସିଥିଲେ ମନ୍ଦିର। ସକାଳୁ ସକାଳୁ ଧାଡ଼ି ଲଗାଇ ନୂଆ ଶାଢି, ଶଙ୍ଖା, ସିନ୍ଦୂର, କଳା ମାଳି, ବ୍ରତ, ଅଳତା ଆଦି ପୂଜା କରିଥିଲେ। ସ୍ୱାମୀଙ୍କ ମଙ୍ଗଳ କାମନା କରିବା ପାଇଁ ପ୍ରାର୍ଥନା କରିଥିଲେ ଭଗବାନଙ୍କ ନିକଟରେ। ପୂଜା ସାରି ସ୍ୱାମୀଙ୍କ ହାତରୁ ପାଣି ପାଇ ଭାଙ୍ଗିଥିଲେ ଏହି ସଧବା ବ୍ରତ। ଭୁବନେଶ୍ୱରର ସମସ୍ତ ମନ୍ଦିରରେ ଗହଳି ହୋଇଥିଲେ ମଧ୍ୟ ରାମ ମନ୍ଦିରରେ ଅଧିକ ଭିଡ଼ ପରିଲିକ୍ଷିତ ହୋଇଥିଲା। ପୂଜା ସୁରୁଖୁରୁରେ ସମାପନ କରିବା ପାଇଁ ମନ୍ଦିର ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ସକାଳ ୬ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପୂଜା ପାଇଁ ଗହଳି ଲାଗିଥିବା ସୂଚନା ଦେଇଥିଲେ ରାମ ମନ୍ଦିରର ମୁଖ୍ୟ ପଣ୍ଡିତ ମହାରନ୍ଦ୍ର ଝା। ସେହିପରି ଭାବେ ସହରର କିଛି ଶିବ ମନ୍ଦିର ଓ ହନୁମାନ ମନ୍ଦିରରେ ମହିଳାମାନେ ଓଷା କରିବା ପାଇଁ ଯାଇଥିଲେ।

ମାରଓ୍ଵାଡି ମହିଳାଙ୍କ ନିଆରା ସାବିତ୍ରୀ
ରାମ ମନ୍ଦିର ପରିସରରେ କିଛି ମାରଓ୍ଵାଡି ମହିଳା ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଆମ ପରମ୍ପରାରେ ମନ୍ଦିରରେ ପୂଜା କରାଯାଉଥିବା ବେଳେ ସେମାନେ ବର ଗଛମୂଳେ ପୂଜା କରିଥାଆନ୍ତି। ସେମାନଙ୍କର ଏକ ପରମ୍ପରା ଅଛି ଶାଶୂମାନେ ସଧବା ନାରୀର ସମସ୍ତ ଜିନିଷ ବୋହୂଙ୍କ କାନିରେ ଦେବେ। ତା’ପରେ ସେମାନେ ଓଷା କରିବେ। ସେହିପରି ଭାବେ ମାରଓ୍ଵାଡି ମହିଳାମାନେ ଶାଶୂଙ୍କଠାରୁ ପୂଜା ସାମଗ୍ରୀ ଆଣି ଓଷା କରିଥିଲେ। ଶେଷରେ ବରଗଛରେ ସୂତା ବାନ୍ଧି ୭ଥର ପରିକ୍ରମା କରିଥିଲେ ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କିନ୍ନର
ସମୟ ପରିବର୍ତ୍ତନଶୀଳ। ସମାଜ ସହ ତାଳ ଦେଇ ବଦଳୁଛି ଆମ ସମାଜ, ପରମ୍ପରା ଓ ମଣିଷ। ଆଜିକାଲି କିନ୍ନରମାନେ ଘର ସଂସାର କରିବା ଦେଖାଗଲାଣି। କିଛି ସହୃଦୟ ବ୍ୟକ୍ତି କିନ୍ନରମାନଙ୍କୁ ବିବାହ କରି ଘରର ବୋହୂ ବୋଲି ପରିଚୟ ଦେଉଛନ୍ତି। ଏମିତି ଘଟଣା ଆଜି ପଳାସପଲ୍ଲୀ ପାଖ ଓଡ଼ିଶା କିନ୍ନର ଆଖଡ଼ାରେ ଦେଖିବାକୁ ମିଳିଥିଲା। ଶିବାନୀ କିନ୍ନର ଓ ଜଗା, ଗୁରୁବାରୀ କିନ୍ନର ଓ ଜିତୁ ସାବିତ୍ରୀ ଅମାବାସ୍ୟା ପରି ପବିତ୍ର ଦିନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ କିଛି କିନ୍ନର ଯେଉଁମାନେ ଆଗରୁ ବିବାହ କରିଥିଲେ, ସେମାନେ ଆଜି ପ୍ରଥମ ଥର ପାଇଁ ସାବିତ୍ରୀ ବ୍ରତ ପାଳନ କରିଥିଲେ।

ଜେଲ୍‌ରେ ସାବିତ୍ରୀ
ସାବିତ୍ରୀ ବ୍ରତ କାହା ପାଇଁ ମନା ନୁହେଁ। ଯିଏ ଯେଉଁଠି ଥିଲେ ବି ସ୍ୱାମୀର ଶୁଭ ମନାସି ଏହି ବ୍ରତ ପାଳନ କରିବାକୁ ସଧବା ମହିଳା ଭୁଲି ନ ଥିଲେ। ଝାରପଡ଼ା ଜେଲରେ ବନ୍ଦୀ ଜୀବନ କାଟୁଥିବା କିଛି ମହିଳା ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ। ଜେଲ ପରିସରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଜେଲ ତରଫରୁ ସେମାନଙ୍କ ପାଇଁ ନୂଆ ଶାଢ଼ି, ଚୁଡ଼ି, ଶଙ୍ଖା ଓ ସିନ୍ଦୂର ଦିଆଯାଇଥିଲା। ନିଜ ସ୍ୱାମୀଙ୍କ ପାଇଁ ସେମାନେ ମଧ୍ୟ ନିଷ୍ଠାର ସହ ପାଳିଥିଲେ ସାବିତ୍ରୀ ବ୍ରତ।

ନିରାଶ୍ରିତ ମହିଳାଙ୍କ ସାବିତ୍ରୀ
ଗଙ୍ଗନଗରସ୍ଥିତ ନିରାଶ୍ରୟଙ୍କ ସହର ଆଶ୍ରୟସ୍ଥଳୀ ପରିସରରେ ନିରାଶ୍ରୟ ମହିଳାମାନେ ସାବିତ୍ରୀ ବ୍ରତ କରିଛନ୍ତି। ସେମାନେ ସ୍ୱାମୀ ପରିତ୍ୟକ୍ତା ହୋଇଥିଲେ ମଧ୍ୟ ବିଧିବଦ୍ଧ ଭାବେ ଆଜି ଚଉରା ମୂଳେ ବ୍ରତ ପୂଜିଥିଲେ। ସାବିତ୍ରୀ ବ୍ରତ ପୁସ୍ତିକା ବି ଏକାଠି ପଢ଼ିଥିଲେ। ସେମାନେ ଯେ ଏବେ ବି ତାଙ୍କ ସ୍ୱାମୀମାନଙ୍କୁ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ଦୀର୍ଘାୟୁ କାମନା କରୁଛନ୍ତି, ତାହାର ଏକ ବାସ୍ତବ ଛବି ଦେଖିବାକୁ ମଳିଥିଲା। ବିଏମ୍‌ସି ଆଶ୍ରୟସ୍ଥଳୀରେ ଏହି ଓଷା ପାଳନ କରାଯାଇଥିଲା। ଅଶୋକ ନଗର ଓ ଗଙ୍ଗନଗର ଆଶ୍ରୟସ୍ଥଳୀର ୧୩ଜଣ ମହିଳା ଏହି ବ୍ରତ ପାଳନ କରିଥିଲେ। ଓଡ଼ିଶା ପତିତା ଉଦ୍ଧାର ସମିତିର ମୁଖ୍ୟ ଆଭାରଣୀ ଚୌଧୁରୀ ଏହିଭଳି ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମାତୃମୟୀ ପ୍ରିୟଦର୍ଶନୀ ଏବଂ ଅନ୍ୟ ସହଯୋଗୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଗୁରୁଙ୍କ ଦୀର୍ଘାୟୁ କାମନା କଲେ କିନ୍ନର
ଏ ଜଗତରେ ବିଷ୍ଣୁ ଦେବତା ହେଉଛନ୍ତି ଏକମାତ୍ର ପୁରୁଷ। ଭଗବାନ ବିଷ୍ଣୁ ବର ଓ ଓସ୍ତ ଗଛ ମୂଳେ ବାସ କରନ୍ତି। କିନ୍ନରଙ୍କ ଭଗବାନ ହେଉଛନ୍ତି ବିଷ୍ଣୁ ଦେବତା। ସେଥିପାଇଁ କିନ୍ନରମାନେ ସାବିତ୍ରୀ ବ୍ରତ ବଟବୃକ୍ଷ ମୂଳେ ପାଳନ କରନ୍ତି। ବଟବୃକ୍ଷକୁ ଶାଢ଼ି, ଶଙ୍ଖା ଓ ସିନ୍ଦୂର ଦେଇ ପୂଜାର୍ଚ୍ଚନା କରନ୍ତି। ପରେ ତାଙ୍କ ଗୁରୁଙ୍କ ପୂଜା କରନ୍ତି । ଗୁରୁଙ୍କ ପାଦ ପାଣି ପିଇ ବ୍ରତ ଭାଙ୍ଗି ଥିଲେ କିନ୍ନରମାନେ। ପଳାସପଲ୍ଲୀ ନିକଟରେ ଯଥାବିଧି ପାଳନ କରିଥିଲେ ସାବିତ୍ରୀ ବ୍ରତ। ଓଡ଼ିଶା କିନ୍ନର ଆଖଡ଼ାର ସଭାପତି ମୀରା ପରିଡ଼ାଙ୍କ ସହ କିସ୍‌ର ସମାଜ ଉନ୍ନୟନ ଅଧିକାରୀ ସାଧନା ମିଶ୍ର, ଓଡ଼ିଶାର ବାଣିଜ୍ୟ କର ଅଧିକାରୀ ଏଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଓ ପ୍ରଥମଥର ବିବାହ କରିଥିବା କିନ୍ନର ମେଘନା ସାହୁ ଓ ଆୟେଶା ବେହେରା, ରଚନା କିନ୍ନର ପ୍ରମୁଖ ଏହି ପୂଜାରେ ସାମିଲ ହୋଇଥିଲେ। ସେମିତି ବ୍ରାଇଟ ଲାଇଫ ଚାରିଟେବଲ ଟ୍ରଷ୍ଟ ଓ କିନ୍ନର ମହାସଂଘ ତରଫରୁ ୪୦ଜଣ କିନ୍ନର ରାମ ମନ୍ଦିର ପରିସରରେ ସାବିତ୍ରୀ ବ୍ରତ ପାଳନ କରିଥିଲେ। ଏଠାରେ କିନ୍ନରମାନେ ବଟବୃକ୍ଷ ମୂଳରେ ପବିତ୍ର ସୂତା ବାନ୍ଧି ସାତ ଥର ବୁଲିଥିଲେ ଓ ଫଳମୂଳ ଦେଇ ତାଙ୍କ ଗୁରୁଙ୍କୁ ପୂଜା କରିଥିଲେ। ସ୍ୱିଇଟି, ବବି, ଗୁଡଲି, ଲୀନା ଓ ସୋନମ କିନ୍ନର ପ୍ରମୁଖ ପୂଜାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର