ବହିଷ୍କୃତ ମହିଳା ହୋମଗାର୍ଡଙ୍କ ପୁଣି ଆତ୍ମହତ୍ୟା ଉଦ୍ୟମ, ପୁନଃ ନିଯୁକ୍ତି ଦାବି…

ପୂର୍ବରୁ କୁଆଖାଇ ନଦୀକୁ ଡେଇଁ ଉଦ୍ଧାର ହୋଇଥିଲେ

ଭୁବନେଶ୍ୱର: କମିସନରେଟ୍‌ ପୁଲିସରୁ ବହିଷ୍କୃତ ହୋଇଥିବା ମହିଳା ହୋମଗାର୍ଡ କାଞ୍ଚନ ପାତ୍ର ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ଲୋୟର ପିଏମ୍‌ଜିରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ କାଞ୍ଚନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରି ଚିକିତ୍ସା କରାଉଛି। କାଞ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍‌ ରହିଛି। ଏହା ପୂର୍ବରୁ କାଞ୍ଚନ ଜୁଲାଇ ମାସ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଓଡ୍ରାଫ୍‌ ଟିମ୍‌ ତାଙ୍କୁ ଉଦ୍ଧାର କରିଥିଲା। ପୁନଃ ନିଯୁକ୍ତି ଦାବିରେ କାଞ୍ଚନ ବିଭିନ୍ନ ସମୟରେ ଏଭଳି କାଣ୍ଡ ଭିଆଉଛନ୍ତି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ କାଞ୍ଚନ ବିରୋଧରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କମିସନରେଟ୍‌ ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, କୁଆଖାଇ ବି୍ରଜ୍‌ତଳ ବସ୍ତିରେ ରହୁଥିବା କାଞ୍ଚନ କମିସନରେଟ ପୁଲିସରେ ହୋମଗାର୍ଡ ଭାବେ କାମ କରୁଥିଲେ। ତେବେ ୨୦୧୩ରେ ତାଙ୍କ ବିରୋଧରେ ମଞ୍ଚେଶ୍ୱର ଓ ମହିଳା ଥାନାରେ ଦୁଇ ଦୁଇଟି ପୃଥକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। କାଞ୍ଚନଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଚାକିରିରୁ ବହିଷ୍କାର ହେବା ପରେ ମଧ୍ୟ କାଞ୍ଚନ ହୋମଗାର୍ଡ ପୋଷାକରେ ବୁଲି କମିସନରେଟ୍‌ ପୁଲିସର ହୋମଗାର୍ଡ ଭାବେ ପରିଚୟ ଦେଉଛନ୍ତି।

ସମ୍ବନ୍ଧିତ ଖବର