ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା

ସିଲେଇ ତାଲିମ୍ ଦେଇ ମାସକୁ ୫୦ହଜାର ଟଙ୍କା ରୋଜଗାର କରୁଛନ୍ତି ବାସନ୍ତୀ

0

ଭୁବନେଶ୍ବର: ଭିନ୍ନକ୍ଷମ ହୋଇଥ‌ିଲେ ବି ସେ ହାର ମାନ ନାହାନ୍ତି। ହ୍ବିଲ ଚେୟାର ସାହାରା ପାଲଟିଥିଲେ ହେଁ, ଅକ୍ଷମତାକୁ ପଛରେ ପକାଇ ଉଦ୍ୟୋଗୀ ହେବା ପାଇଁ ଆଗେଇ ଆସିଛନ୍ତି। ଏବେ ୧୨ଶହରୁ ଅଧିକ ପିଲାଙ୍କୁ ସିଲେଇ ଶିଖାଇ ସାରିଲେଣି। ଏବେ ତାଙ୍କ ନିକଟରେ ୧୫ଜଣ ପିଲା କାମ କରୁଛନ୍ତି। ମାସକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସମାଜରେ ଏଭଳି ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ଯାଜପୁରର ଜାରକା ଅଞ୍ଚଳର ବାସନ୍ତୀ ରଣା। ପ୍ରାରମ୍ଭିକ ଜୀବନ ସଂପର୍କରେ ସୂଚନା ଦେଇ ବାସନ୍ତୀ କହିଛନ୍ତି ଯେ, ପରିବାର ତରଫରୁ ତାଙ୍କୁ ବହୁତ ପ୍ରୋତ୍ସାହନ ମିଳିଥିଲା। ବାପା ଓ ସ୍ବାମୀ ବହୁତ ପ୍ରୋତ୍ସାହନ ଦେଇଛନ୍ତି। ମଧ୍ୟବିତ୍ତ ପରିବାରର ହୋଇଥିବା ବେଳେ ବାପା ବହୁତ କଷ୍ଟ କରି ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଦେଇ ପାରିଛନ୍ତି। ହେଲେ ଏତିକିରେ ଅଟକି ନ ଯାଇ ସ୍ବାବଲମ୍ବୀ ହେବା ପାଇଁ ବାପା କହିଥିଲେ। ବାପାଙ୍କ ଚାପରେ ଗାଁରେ ଛୋଟମୋଟ ସିଲେଇ ଶିକ୍ଷା ଆରମ୍ଭ କରିଥିଲି। ପ‌ରେ ବିବାହ ହୋଇଯାଇଥିଲା। ଶାଶୂ ଘର ମଧ୍ୟ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ତେଣୁ ଗୋଟିଏ ସିଲେଇ ମେସିନ୍‌ରେ ସିଲେଇ ଆରମ୍ଭ କରିଥିଲି। ହେଲେ ଏଥିରେ ପରିବାର ଚଳିବ ନାହିଁ ବୋଲି ଭାବି ପିଲାଙ୍କୁ ସିଲେଇ ଶିକ୍ଷା ଦେବା ପାଇଁ ସ୍ଥିର କରିଥିଲି। ୪/୬ ପିଲାଙ୍କୁ ତାଲିମ୍ ଦେବା ପରେ ଏହା ମତେ ବହୁତ ଆ‌ଗକୁ ଟାଣି ନେଇଥିଲା। ଏହି ସମୟରେ ଭାରତୀୟ ଯୁବା ଶକ୍ତି ଟ୍ରଷ୍ଟ ବା ବିୱାଇଏସ୍‌ଟି ସଂସ୍ପର୍ଶରେ ଆସିଥିଲି। ବିୱାଇଏସ୍‌ଟି ସହାୟତାରେ ଘରେ ବ୍ୟାଙ୍କ ଋଣ ପାଇବାରେ ସକ୍ଷମ ହୋଇପାରିଛି। ପ୍ରଥମେ ୧ଲକ୍ଷ ଟଙ୍କା ଋଣ ମିଳିବା ପରେ ଏଥିରେ ୧୫ଟି ‌ସିଲେଇ ମେସିନ୍ କିଣିଥିଲି। କପଡ଼ା କିଣି  ସ୍କୁଲ ପୋଷାକ ସହିତ ପେଟିକୋଟ୍, ବ୍ଲାଉଜ୍, କଲେଜ ପୋଷାକ ସିଲେଇ କରାଯାଉଛି। ମାର୍କେଟିଂ ପାଇଁ ମଧ୍ୟ କିଛି ମହିଳା ରହିଛନ୍ତି। ୨୦୧୧ ମସିହାରୁ ସିଲେଇ ତାଲିମ୍ କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏଠାରେ ୫ଶହରୁ ଅଧିକ ତାଲିମ୍ ନେବା ସହ ଅନ୍ୟାନ୍ୟ ସ୍ଥାନକୁ ମିଶାଇ ୧୨ଶହ ପିଲାଙ୍କୁ ତାଲିମ୍ ଦେଇ ସାରିଲେଣି ବାସନ୍ତୀ। ସିଲେଇରୁ ମାସକୁ ୪୦/୫୦ହଜାର ଟଙ୍କା ରୋଜଗାର ହେଉଥିବା ‌ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.