ମହିଳାଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ଶିକ୍ଷା

କେ-୪ ରେସିଡେନ୍‌ସିଆଲ୍‌ ୱେଲଫେୟାର ଆସୋସିଏସନ୍‌ ଓ ଶତାକ୍ଷୀ ମହିଳା ସଂଗଠନର ବାର୍ଷିକ ଉତ୍ସବ

ଖଣ୍ଡଗିରି : ସାମ୍ପ୍ରତିକ ସମାଜରେ ମହିଳା ତଥା ନାବାଳିକାମାନଙ୍କୁ ନିର୍ଯାତନା, ଅସଦାଚରଣ ଓ ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ନୂଆ ଅଧ୍ୟାଦେଶ ମଧ୍ୟ ଆଣିଛନ୍ତି। ତେବେ ମହିଳାମାନେ କିପରି ନିଜକୁ ସୁରକ୍ଷା କରିପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ମିସନ୍‌ ଶକ୍ତି ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ ଜରିଆରେ ମହିଳାମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ରବିବାର କଳିଙ୍ଗନଗର କେ-୪ ପଡ଼ିଆରେ ଅନୁଷ୍ଠିତ କେ-୪ ରେସିଡେନ୍‌ସିଆଲ୍‌ େଓ୍ଵଲଫେୟାର୍‌ ଆସୋସିଏସନ୍‌ ଓ ଶତାକ୍ଷୀ ମହିଳା ସଂଗଠନର ମିଳିତ ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗ ଦେଇ ସେ ଏଭଳି ମତ ରଖିିଛନ୍ତି। ମିସନ୍‌ ଶକ୍ତି ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ ମାଧ୍ୟମରେ ଡ୍ରାଇଭିଂ ତାଲିମ ଦିଆଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଶ୍ରୀ ସାମଲ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ରାଜ୍ୟରେ ଅଧିକରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହ ଖଣ୍ଡଗିରିଠାରେ ଏକ ଗାନ୍ଧୀ ସେଣ୍ଟର୍‌ ତିଆରି ପାଇଁ ଯୋଜନା ରହିଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେଡି ପ୍ରବକ୍ତା ସୁଲୋଚନା ଦାସ ମହିଳାମାନଙ୍କ ଶିକ୍ଷା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ। କେ-୪ ୱେଲଫେୟାର ଆସୋସିଏସନ୍‌ର ସଭାପତି ଜୟକୃଷ୍ଣ ମାର୍ଥାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର୍‌ ଦିଲ୍ଲୀପ ମାଝୀ, ଅଶ୍ୱିନୀ ସୁନ୍ଦରରାୟ ଓ ସୁଜିତ ସ୍ୱାଇଁ ଉପସ୍ଥିତ ଥିଲେ। ୱେଲଫେୟାର୍‌ ଆସୋସିଏସନ୍‌ ତରଫରୁ ସଂପାଦକ ସତ୍ୟାନନ୍ଦ ନାୟକ ଓ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ମମତା ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଶତାକ୍ଷୀର ସଭାପତି ସବିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶତାକ୍ଷୀ ମହିଳା ସଂଗଠନର ଝଞ୍ଜା ଦାସ ଅଧିକାରୀ ଓ ଚନ୍ଦ୍ରମା ପ୍ରଧାନଙ୍କ ନିର୍ଦେଶନାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର