କଳ୍ପନା‌ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ନାହାନ୍ତି ମହିଳା ଷ୍ଟାଫ୍ ନର୍ସ

ଟେକ୍‌ନିସିଆନ୍ ଅଭାବ, ନିୟମିତ ହୋଇପାରୁନି ପାଥୋଲୋଜି ପରୀକ୍ଷା

ଭୁବନେଶ୍ବର: କଳ୍ପନା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ପିଛା ଛାଡ଼ୁନି। କେତେବେଳେ ଠିକ୍‌ରେ ଔଷଧ ଆସୁନାହିଁ ତ ଆଉ‌ କେତେବେଳେ କର୍ମଚାରୀ ଅଭାବ। କିଛି ଦିନ ହେବ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ଷ୍ଟାଫନର୍ସଙ୍କ ସମସ୍ୟା ଦେଖା ଦେଇଛି। ଯେଉଁ ମହିଳାମାନେ ଚିକିତ୍ସା ପାଇଁ ଆସୁଛନ୍ତି, ଡାକ୍ତର ସେମାନଙ୍କ ଚିକିତ୍ସା ପାଇଁ ଏକପ୍ରକାର ମୁହଁ ମୋଡ଼ୁଛନ୍ତି। କେବଳ ଷ୍ଟାଫ ନର୍ସ ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତ ଲାବୋରେଟାରି ଟେ୍‌କନିସିଆନ୍ ଆସୁ ନଥିବାରୁ ନିୟମିତ ପାଥୋଲୋଜି ପରୀକ୍ଷା ହୋଇପାରୁନାହିଁ।

କଳ୍ପନା ଛକ ନିକଟରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏକାଧିକ ୱାର୍ଡର ଲୋକ ନିର୍ଭରଶୀଳ। ବିଶେଷକରି କଳ୍ପନା ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କୁ ମିଶାଇ ଦିନକୁ ୧୫୦/୨୦୦ ରୋଗୀ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ହସ୍ପିଟାଲରେ ଜଣେ ଲେଖାଏ ମହିଳା ଓ ପୁରୁଷ ଷ୍ଟାଫନର୍ସ ପଦ ରହିଛି। ନିକଟରେ ମହିଳା ଷ୍ଟାଫ୍ ନର୍ସଙ୍କ ପଦୋନ୍ନତି ପରେ ସେଠାରୁ ବଦଳି ହୋଇଯାଇଛି। ଫଳରେ ମହିଳା ଷ୍ଟାଫ ନର୍ସ ପଦ ଖାଲି ପଡ଼ିଛି। ମହିଳା ଷ୍ଟାଫ ନର୍ସ ନ ଥିବାରୁ ଚିକିତ୍ସା ପାଇଁ ଆସୁଥିବା ମହିଳାଙ୍କ ଗୋପନୀୟତା ରହୁ ନଥିବା ଅଭିଯୋଗ ହେଉଛି। ପ୍ରତିଦିନ ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ-ଡାକ୍ତର ପ୍ରବଳ ଯୁକ୍ତିତର୍କ ହେଉଛି। ବାଧ୍ୟ ହୋଇ ମହିଳା ରୋଗୀମାନେ କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଚାଲି ଯାଉଛନ୍ତି। ହସ୍ପିଟାଲରେ ପାଥୋଲୋଜିକୁ ନେଇ ମଧ୍ୟ ସମସ୍ୟା ରହିଛି। ଜଣେ ଲାବୋରେଟାରି ଟେକ୍‌ନିସିଆନ୍ ରହିଥିବା ବେଳେ ତାଙ୍କୁ ମଧ୍ୟ ଅନ୍ୟ ସ୍ଥାନରେ କାର୍ଯ୍ୟ କରିବାକୁ ପଡ଼ୁଛି। ସପ୍ତାହକୁ ୩ ଦିନ ସେ କଳ୍ପନାସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ରୁ ଅଧିକ ପରୀକ୍ଷା ପାଇଁ ସୁବିଧା ରହିବା ବେଳେ ନିୟମିତ ପାଥୋଲୋଜି ପରୀକ୍ଷା ହେଉ ନଥିବାରୁ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସେହିପରି ‘ଫନି’ବାତ୍ୟାରେ ହସ୍ପିଟାଲରେ ଯେଉଁ କ୍ଷତି ହୋଇଥିଲା, ତାହା ଆଜି ପର୍ଯ୍ୟନ୍ତ ସଜଡ଼ା ଯାଇନାହିଁ। ବାତ୍ୟାରେ ହସ୍ପିଟାଲରେ ଏକ ଗେଟ୍‌ ସହ ହସ୍ପିଟାଲର ଅନେକ ଝରକା ନଷ୍ଟ ହୋଇଥିଲା। ୪ ମାସ ପରେ ମଧ୍ୟ ଏହାର ମରାମତି କରାଯାଇ ନାହିଁ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରୁ ଭିଡ଼ କମାଇବା ପାଇଁ ରାଜଧାନ‌ୀରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ କିଭଳି ନିୟମତି ଡାକ୍ତର ଓ କର୍ମଚାରୀ ଉପଲବ୍ଧ ହେବେ, ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯଥେଷ୍ଟ ଗୁରୁତ୍ବ‌ାରୋପ କରାଯାଉଥିବା କୁହାଯାଉଛି। ମାତ୍ର ତୃଣମୂଳସ୍ତରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ସମସ୍ୟା ଲାଗି ରହିଥିବାରୁ ଲୋକମାନେ ବାଧ୍ୟ ହୋଇ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଛନ୍ତି। ଫଳରେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାର ଉଦ୍ଦେଶ୍ୟ ସଫଳ ହେଉନାହିଁ। ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଡା. ପି. ସାହୁ କହିଛନ୍ତି, ନିକଟରେ ଏଭଳି କୌଣସି ଷ୍ଟାଫ ନର୍ସଙ୍କ ‌ପଦୋନ୍ନତି ହୋଇନାହିଁ। ଅନେକ ସମୟରେ ମହିଳା ଷ୍ଟାଫନର୍ସ ମାତୃତ୍ବକାଳୀନ ଛୁଟିରେ ରହୁଥିବାରୁ ଅନ୍ୟ ସ୍ଥାନରୁ ଷ୍ଟାଫ ନର୍ସଙ୍କୁ ଅଣାଯାଇ ଚିକିତ୍ସା କରାଯାଉଛି। ରାଜଧାନୀରେ ଥିବା ୨୨ଟି ପ୍ରାଥମିକ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୧ଟି ଟେକ୍‌ନିସିଆନ୍ ରହିଛନ୍ତି। ତେଣୁ ପାଥୋଲୋଜି ପରୀକ୍ଷା ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ମହିଳା ଷ୍ଟାଫ ନର୍ସଙ୍କୁ ନେଇ କ’ଣ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରାଯିବ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର