ମହିଳାଙ୍କ ଝୁଲନ୍ତା ଶବ ଜବତ

ଭୁବନେଶ୍ବର: ଦେବରାୟ କଲେଜ ନିକଟ ପ୍ଲଟ୍‌ ନମ୍ବର ୧୨୭୫ରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କ ଝୁଲନ୍ତା ଶବ ଜବତ କରିଛି। ତାଙ୍କ ନାଁ ପ୍ରୀତିଝରା ପରିଡ଼ା(୩୮)। ଘର ଯାଜପୁର ଜିଲ୍ଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କ୍ୟପାଟିାଲ ହସ୍ପିଟାଲ୍‌ ପଠାଇଛି। ପୁଲିସ ସୂଚନା ମୁତାବକ, ପ୍ରୀତିଝରାଙ୍କ ସ୍ବାମୀ ସୁଶାନ୍ତ ପରିଡ଼ା ଏଠାରେ ସେସୁରେ କାମ କରନ୍ତି। ପାଖାପାଖି ଦେଢ଼ ବର୍ଷ ହେବ ପ୍ରୀତିଝରା ପରିବାର ସହ ନୂଆପଲ୍ଲୀରେ ରହୁଥିଲେ। ଆଜି ସକାଳେ ସୁଶାନ୍ତ ଝିଅକୁ ସ୍କୁଲରେ ଛାଡ଼ି ଅଫିସ ଯାଇଥିଲେ। ପରେ ପ୍ରୀତିଝରା ମଧ୍ୟ ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିଥିଲେ। ଘରେ ପହଞ୍ଚିବାର କିଛି ସମୟ ପରେ ସୁଶାନ୍ତ ଫୋନ୍‌ କରିଥିଲେ। ଏହି ସମୟରେ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ମିନିଟ୍‌ ପାଟିତୁଣ୍ଡ ହୋଇଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ସ୍କୁଲର ଶିକ୍ଷୟିତ୍ରୀ ଝିଅକୁ ଛାଡ଼ିବା ପାଇଁ ଘରକୁ ଆସିଥିଲେ। ଘର ସମ୍ମୁଖରେ ଠିଆହୋଇ ପ୍ରୀତିଝରାଙ୍କୁ ଫୋନ୍‌ କରିଥିଲେ। ହେଲେ ତାଙ୍କ ନମ୍ବର ବନ୍ଦ ଥିବାରୁ ଶିକ୍ଷୟିତ୍ରୀ ଝିଅକୁ ନେଇ ୨ମହଲାକୁ ଯାଇଥିଲେ। କବାଟ ଖୋଲିବା ପାଇଁ କଲିଂବେଲ୍‌ ମାରିଥିଲେ। କେହି ଜବାବ ଦେଇ ନଥିଲେ। ଶିକ୍ଷୟିତ୍ରୀ କବାଟକୁ ଧକ୍କା ମାରିବାରୁ କବାଟ ଖୋଲି ଯାଇଥିଲା। ଆଉ ପ୍ରୀତିଝରା ଫ୍ୟାନ୍‌ରେ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ପାଟିଶୁଣି ପଡ଼ୋଶୀ ଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ବାମୀ ଓ ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ପ୍ରୀତିଝରାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ଘଟଣାର ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର