ୱାର୍ଡ ୬୭ ଡ୍ରେନେଜ୍‌ ସମସ୍ୟା ସୁଧୁରିଲାନି

ଡ୍ରେନେଜ୍‌ ସମସ୍ୟା ସୁଧୁରିଲାନି
ପୁରୁଣା ଭୁବନେଶ୍ୱର: ଗତ ପୌର ନିର୍ବାଚନରେ ଏହି ୱାର୍ଡରେ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଜିତିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ଦେବୀ ପ୍ରସାଦ ନନ୍ଦଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରି ‌ୱାର୍ଡ ବାସିନ୍ଦା କର୍ପୋରେଟର ଭାବେ ତାଙ୍କୁ ନିର୍ବାଚିତ କରିଥିଲେ। ଆଉ ଅଳ୍ପକେ ହାରି ଯାଇଥିଲେ ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଅସଫର୍ ଇକବାଲ। ଦେବୀ ପ୍ରସାଦ ନିର୍ବାଚନ ଜିତିବା ପରେ ପରେ ହିଁ ବିଜେଡିରେ ସାମିଲ୍ ହୋଇ ଯାଇଥିଲେ। ଫଳରେ ୱାର୍ଡବାସୀ ଆଶା ରଖିଥି‌େଲ ସବୁ ପ୍ରତିଶ୍ରୁତି ପାଳନ ହେବ। କିନ୍ତୁ ୫ବର୍ଷ ଶେଷ ହେଲା ବେଳକୁ ପ୍ରତିଶ୍ରୁତି ମୁତାବକ କାମ ହୋଇନି ବୋଲି ଏବେ ୱାର୍ଡବାସୀ ଅଭିଯୋଗ କରୁଛନ୍ତି। ଦେବୀ ପ୍ରସାଦ ୱାର୍ଡରେ ରାସ୍ତାଘାଟ, ପରିମଳ, ପାର୍କ, ହାଟ, ପୁଷ୍କରିଣୀ, ପାନୀୟ ଜଳ ଯୋଗାଣରେ ପରିବର୍ତନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବହୁତ କାମ ବି ହୋଇଛି। କିନ୍ତୁ ବିରୋଧୀଙ୍କ ଅଭିଯୋଗ ଯେ, ଅନେକ ସମସ୍ୟାର ସମାଧାନ ହୋଇପାରିଲାନି। ମୁଖ୍ୟତଃ ଡ୍ରେନେଜ୍‌ ସମସ୍ୟା ଦୂର ହେଲାନି। ଯେଉଁଠି ଏବେ ଡ୍ରେନ୍ ଅଛି ସେଠାରେ ବି ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ। ଏକ ଘରୋଇ ଜମିରେ ପାଣି ଜମି ରହୁଛି। କପିଳପ୍ରସାଦ ହସ୍ପିଟାଲ ଉନ୍ନତୀକରଣ କାମ ହୋଇପାରିଲାନି। ୱାର୍ଡରେ ସ୍ବେରେଜ୍‌ ଅବସ୍ଥା ପୂର୍ବରୁ ଯେମିତି ଥିଲା ଏବେ ବି ସେମିତି। କାଳିଆ ଶନି ପୁଷ୍କରିଣୀ, ଆଜାଦ ନଗର ତେଲି ଚୁହା ପାଣିରୁ ଦୁର୍ଗନ୍ଧ ବାହାରୁଛି। ହଜ ପୋଖରୀ ପୁନରୁଦ୍ଧାର କାମ ସରିଲା ନାହିଁ।

ଠିକାଦାରଙ୍କ ଯୋଗୁଁ ହଜ କାମ ହୋଇ ପାରୁନି
ଠିକାଦାରଙ୍କୁ ବ୍ୟାଙ୍କରୁ ଋଣ ମିଳୁନଥିବାରୁ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇ ପାରିଲା ନାହିଁ। ୬ମାସ ହେଲା ଠିକା ସଂସ୍ଥା ପିଏମ୍‌ଆର୍ ଡଷ୍ଟବିନ୍ ଦେଉ ନଥିବାରୁ ଅଳିଆ ପଡ଼ି ରହିଛି। ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କ ଯୋଗୁଁ ହଜ୍‌ କାମ ଅଟକି ରହିଛି। ଭବିଷତ୍ୟରେ ଗୋଖିବାବା ସାହିରେ ବଡ଼ ଡ୍ରେନ୍‌ ତିଆରି ହୋଇ ହଜ୍‌ ପାର୍ଶ୍ବ ଡ୍ରେନ୍‌ରେ ମିଶିବ। ୬୮୨ରୁ ୨୦୦ ଶୌଚାଳୟ ହୋଇ ନାହିଁ। ଲୋକ ଟଙ୍କା ନେଇ ତିଆରି କରି ନାହାନ୍ତି। ଡ୍ରେନ୍‌ରେ କିଛି ସ୍ଲାବ୍‌ ପଡ଼ିଛି ଅନ୍ୟସ୍ଥାନରେ ଖୁବ୍‌ ଶୀଘ୍ର ପଡ଼ିବ। ଆଜାଦ ନଗର ବିଜେବି ସୋସାଇଟି ଅଞ୍ଚଳରେ ଜମି ବିଏମ୍‌ସିକୁ ହସ୍ତାନ୍ତର ହୋଇ ନଥିବାରୁ ଏହା ହୋଇ ପାରିନାହିଁ। ଶ୍ମଶାନ କାମ ଖୁବ୍‌ ଶୀଘ୍ର ହେବ।
ଦେବୀ ପ୍ରସାଦ ନନ୍ଦ, କର୍ପୋରେଟର

ପ୍ରତିଶ୍ରୁତି କମ୍‌ ପୂରଣ କଲେ, ବହୁ ବାକି ରହିଲା
ଖରା ଦିନେ ପିଇବା ପାଣି ପାଇଁ ଏହି ୱାର୍ଡ ବାସିନ୍ଦା ହନ୍ତସନ୍ତ ହୁଅନ୍ତି। ଦୟା ୱେଷ୍ଟ କେନାଲ ‌ଯୋଗୁଁ କୂଅ ପୋଖରୀ ପାଣିରୁ ଦୁର୍ଗନ୍ଧ ବାହାରୁଛି। କପିଳ ପ୍ରସାଦ ହାଟର ପୁନରୁଦ୍ଧାର ହୋଇ ପାରିଲାନି। ଗରିବ ଲୋକଙ୍କ ପାଇଁ ଶୌଚାଳୟ ହୋଇପାରିଲା ନାହିଁ। ଶ୍ମଶାନ ପୁନରୁଦ୍ଧାର ହେଲାନି। ବିଜୁ ପକ୍କା ଘର ଯୋଜନା, ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିବା, ବିଡିଏ କଲୋନି ଡ୍ରେନ୍‌ ପୁନରୁଦ୍ଧାର, ଆଜାଦ ନଗର ବିଜେବି ସୋସାଇଟିରେ ପାଣି ସମସ୍ୟା ସମାଧାନ ହୋଇ ପାରିଲା ନାହିଁ। ସେହିପରି ରାସ୍ତାରେ ଅଳିଆ ଅବର୍ଜନା ଜମା ହୋଇ ରହୁଛି। ୯୦ଭାଗ ଅଞ୍ଚଳରେ ଡ୍ରେନ୍‌ ନାହିଁ। ହଜ କାମ କିମ୍ବା ହଜ୍‌ ପୋଖରୀ କାମ ସରିଲା ନାହିଁ। କର୍ପୋରେଟର ଏବେ ଠିକାଦରଙ୍କୁ ଦୋଷ ଦେଇ ଖସୁଛନ୍ତି।
ମହମ୍ମଦ ଅସଫର ଇକବାଲ, ନିକଟତମ ପ୍ରତିଦ୍ବନ୍ଦ୍ବୀ

ସମ୍ବନ୍ଧିତ ଖବର