ଲିଭିଯାଉଛି ମନ୍ଦିର ମାଳିନୀର ସୂକ୍ଷ୍ମ କାରୁକାର୍ଯ୍ୟ

ଭୁବନେଶ୍ବର: ଏଇ ଓଡ଼ିଆ ଜାତିର ଶିଳ୍ପୀକୁଳର ଦାୟାଦ ଆଉ ଏକ କୋଣାର୍କ ଗଢ଼ି ଦେବାର ସାହସ ଜୁଟେଇ ପାରନ୍ତି। ଅଥଚ ସେଇ ରାଜ୍ୟର କିମ୍ବଦନ୍ତୀ ଐତିହ୍ୟ ନିଖୁଣ କାରିଗରି ସ୍ପର୍ଶ ନପାଇ କେତେ ହିନିମାନ ହୋଇପାରେ, ତା’ର ଜ୍ବଳନ୍ତ ଉଦାହରଣ ଏଇ ରାଜଧାନୀରେ ବି ଦେଖିବାକୁ ମିଳିଛି। କମକୁଟ କାରିଗରିରେ ଓସ୍ତାଦ ଶିଳ୍ପୀମାନଙ୍କ ସ୍ପର୍ଶ ପାଇ ହଜାର ହଜାର ବର୍ଷରୁ ଦଣ୍ଡାୟମାନ ହୋଇଥିବା ମନ୍ଦିର ସାମ୍ନାରେ ଛିଡ଼ା ହେଲେ, ଲାଗେ ଯେମିତି କେହି ଜଣେ କଥା ହେଉଛି। ଲତା, ଚିତା, ନର୍ତକୀ, ଅପ୍‌ସରା ଦିନେ ନିହାଣ ମୁନରେ ମନ୍ଦିର ଗାତ୍ରରେ ଜୀବଦାନ ପାଇଥିଲେ। ଏତେ ବର୍ଷ ପରେ ବି ଦମ୍ଭ ହୋଇ ତାହା ଛିଡ଼ା ହୋଇ ବୈଷୟିକ ଜ୍ଞାନ କୌଶଳକୁ ଚ୍ୟାଲେଞ୍ଜ୍‌ ଦେଇଥିଲେ। ମାତ୍ର ଏହାର ଆବଶ୍ୟକତାକୁ ସରକାରୀ କଳ ଗୁରୁତ୍ବ ଦେଲା ନାହିଁ। ହଜାର ହଜାର ବର୍ଷ ପରେ ମନ୍ଦିର କ୍ଷୟ ହେବା ଅବଶ୍ୟମ୍ଭାବୀ। ମାତ୍ର ପଥରର ପ୍ରତିଟି ଗାତ୍ରରେ ଲୁଚି ରହିଥିବା ସେଇ କାରିଗରି ଧୀରେଧୀରେ ମରି ଯାଉଥିଲେ ହେଁ ସେଥିପ୍ରତି ନିଘା ନାହିଁ। ପୁନରୁଦ୍ଧାର କରିବା ପରିବର୍ତ୍ତେ କେବଳ ପଥର ଦେଇ ଭଙ୍ଗା ସ୍ଥାନକୁ ଯୋଡ଼ା ଯାଉଛି। ୧୩ଶହରୁ ୧୪ଶହ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଢ଼ି ଉଠିଥିବା ଯମେଶ୍ବର ମନ୍ଦିରର ବିମାନ ରେଖ ଦେଉଳ ଏବଂ ଜଗମୋହନ ପିଢ଼ ଦେଉଳ ଶୈଳୀର ନିର୍ମିତ ହୋଇଛି। ମନ୍ଦିରର ବିଶେଷତ୍ବ ହେଉଛି ମନ୍ଦିରର ପ୍ରତି ଇଞ୍ଚ ନିହାଣର ସ୍ପର୍ଶରେ ନିପୁଣତାକୁ ପ୍ରମାଣିତ କରୁଛି। ମାତ୍ର ‌କେଉଁଠି ମୂର୍ତି ସ୍ଥାନରେ ଛୋଟ ସ୍ତମ୍ଭକୁ ସ୍ଥାନିତ କରାଯାଇଛି ତ କେଉଁଠି ଚିତ୍ର ବିଚିତ୍ର ପିଢ଼କୁ କେବଳ ପଥର ଦେଇ ସଜଡ଼ା ଯାଇଛି। ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ମାତ୍ର କାରିଗରଙ୍କୁ ଅଣାଯାଉଥିଲେ ବି ସେଥିରେ କାରିଗରି ରହୁନାହିଁ। ର’ ଠ’ କରି ଖାଲି ଯେମିତି ଢେରା ଦେବା ପାଇଁ ଚେଷ୍ଟା କରାଯାଇଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି।

ସବୁଠୁ ବଡ଼ କଥା ହେଉଛି, ମୁକ୍ତେଶ୍ବର ମନ୍ଦିରର ମଗର ତୋରଣରୁ କିଛି ଅଂଶ ଭାଙ୍ଗି ଯାଇଥିଲେ ହେଁ ଏଥିପ୍ରତି ଏଯାଏଁ କାହାର ଦୃଷ୍ଟି ପଡ଼ିନାହିଁ। ଯେଉଁ ମଗର ତୋରଣକୁ ନେଇ ସାରା ବିଶ୍ବରେ କାରିଗରିର ନିପୁଣତାକୁ ପ୍ରମାଣିତ କରିବାକୁ ବିଜ୍ଞାପିତ କରାଯାଇଛି, ତା’ର ଏ ଅବସ୍ଥା ସଜାଡ଼ିବାକୁ ଏଯାଏଁ ପ୍ରତ୍ନତତ୍ତ୍ବ ବିଭାଗ ଧ୍ୟାନ ଦେଇନାହିଁ। ଏହି ମଗର ତୋରଣର ଏକ ସ୍ତମ୍ଭର କିଛି ଅଂଶ ଛାଡ଼ିଯିବା ପରେ ତାକୁ ଯୋଡ଼ି ସମତୁଲ କରାଯାଇଛି ସତ, ହେଲେ ‌ସମାନ ପଥର ବ୍ୟବହୃତ ହୋଇନାହିଁ। ସେହିପରି ଗଙ୍ଗ ବଂଶର ରାଜତ୍ବ ସମୟର ସ୍ଥାପତ୍ୟ ଶାରୀ ଦେଉଳରେ ଦେଖିବାକୁ ମିଳେ। ଏଠାରେ ଏଏସ୍ଆଇ ପକ୍ଷରୁ ଭାଙ୍ଗି ଯାଇଥିବା ଏକ ମୂର୍ତି ଓ ଚିତ୍ରିତ ସ୍ତମ୍ଭ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ପଥରରେ ସେଇ ଭଙ୍ଗା ସ୍ଥାନକୁ ଯୋଡ଼ା ଯାଇଛି ସତ, ମାତ୍ର ନୂଆ ଗଢ଼ିବାକୁ ନିୟମ ନଥିବା କହୁଥିବା ଏଏସ୍‌ଆଇ ପକ୍ଷରୁ ଏଠାରେ ମୂର୍ତି ସ୍ଥାନରେ ଏକ କ୍ଷୁଦ୍ର ମନ୍ଦିରାକୃତି ପଥର ସହ ସମତଳ ପଥର ଦେଇ ଯୋଡ଼େଇ କରାଯାଇଛି। ମନ୍ଦିର ସମ୍ମୁଖରେ ଥିବା କିଛି ଚିତ୍ର ବିଚିତ୍ର ସ୍ତମ୍ଭ ସ୍ଥାନରେ ମଧ୍ୟ ସମତଳ ସ୍ତମ୍ଭ ଶୋଭା ପାଉଛି। ଏହା ଦେଖିଲେ ‌ହୃଦବୋଧ ହେବ ଯେମିତି ଏହିଭଳି ଚିତ୍ରିତ ସ୍ତମ୍ଭ ନିର୍ମାଣ କରିବା ପାଇଁ ବୋଧେ ଓଡ଼ିଶାରେ ସୁଦକ୍ଷ କାରିଗର ନାହାନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ନିଜ ପ୍ରତ୍ନତତ୍ତ୍ବ ଆଇନକୁ ଜାବୁଡ଼ି ଧରିଛି। ଜ୍ୟାମିତିକ ଚିତ୍ର ଅବା ମୂର୍ତି ନିର୍ମାଣ କରିବା ପ୍ରତ୍ନତତ୍ତ୍ବ ଆଇନରେ ନାହିଁ ବୋଲି ପ୍ରତ୍ନତତ୍ତ୍ବ ଅଧିକାରୀ କହିଛନ୍ତି। ଅର୍ଥାତ ଭାଙ୍ଗି ଯାଉଥିବା ଐତିହ୍ୟକୁ କେବଳ ପଥର‌ ଦେଇ ଯୋଡ଼ିବା ସହ କେମିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ କରିବା ଏଏସ୍‌ଆଇର କାମ। ଗୋଟିଏ ଜାତିର ଐତିହ୍ୟ ଆସନ୍ନ ମୃତ୍ୟୁ ଆଡ଼କୁ ଆଗଉଥିବା ବେଳେ ଏଏସ୍‌ଆଇର ଇଏ କିଭଳି ନିୟମ, ସେନେଇ ଓଡ଼ିଆ ଶିଳ୍ପୀମାନେ ପ୍ରଶ୍ନ କରିଛନ୍ତି। କିଛି ବିଶେଷଜ୍ଞଙ୍କ କହିବା ମୁତାବକ, ଯେଉଁ ଓଡ଼ିଆ ଶିଳ୍ପୀକୁଳ କୋଣାର୍କ ଓ ମନ୍ଦିର ମାଳିନୀ ସହର ଗଢ଼ି ଦେଇ ପାରନ୍ତି, ସେମାନଙ୍କର ଦାୟାଦମାନଙ୍କ ପାଇଁ ଯେ ଏହା ଅସମ୍ମାନ, ଏକଥା ଏଏସ୍‌ଆଇ ଭୁଲିଯିବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର