ଶବ୍ଦ ସ୍ୱର ପାଟ ଶୈଳୀକୁ ନେଇ କର୍ମଶାଳା

ଭୁବନେଶ୍ୱର: ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଭାରତୀୟ ବିଦ୍ୟାଭବନ ମିଳିତ ସହଯୋଗରେ ବିଦ୍ୟାଭବନ ପରିସରରେ ଓଡ଼ିଶାର ଲୋକନୃତ୍ୟରେ ଥିବା ଶବ୍ଦସ୍ୱର ପାଟ ନୃତ୍ୟ ଶୈଳୀକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶବ୍ଦସ୍ୱର ପାଟ ଶୈଳୀର ଗବେଷଣା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା ସିନିୟର ଫେଲୋସିପ୍‌ ପାଇଛନ୍ତି। କର୍ମଶାଳାରେ ଉକ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଲୋକନୃତ୍ୟରେ ଶବ୍ଦ ସ୍ୱର ପାଟ ନୃତ୍ୟ ଶୈଳୀ ରହିଛି ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ଗଞ୍ଜାମର ପ୍ରହ୍ଲାଦ ନାଟକ, ଭରତଲୀଳା ଆଦି ପ୍ରୟୋଗାତ୍ମକ ଭାବେ ମନ୍ମଥ ଶତପଥୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ମନୋଜ ବେହେରାଙ୍କ ନେତୃତ୍ୱରେ ବରଗଡ଼ର ଶବ୍ଦ ନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ। କର୍ମଶାଳାରେ ଅତିଥିଭାବେ ପୂର୍ବତନ ମୁଖ୍ୟଶାସନ ସଚିବ ସୁବାସ ପାଣି , କର୍ଣ୍ଣେଲ ପିକେ ସାହୁ ଯୋଗ ଦେଇଥିଲେ। ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର