୫ ବିଦ୍ୟାଳୟକୁ ‘ଶ୍ରେଷ୍ଠ ଏଣ୍ଟ୍ରି ପୁରସ୍କାର’

‘ବିଶ୍ୱ ଶିଳ୍ପୀ ଦିବସ’ର ଦ୍ୱିତୀୟ ଦିନ

ଭୁବନେଶ୍ୱର : ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ଓ ଇଲା ପଣ୍ଡା ସେଣ୍ଟର୍‌ ଅଫ୍‌ ଆର୍ଟ (ଇପ୍‌କା) ସହଯୋଗରେ ସ୍ଥାନୀୟ ରାମମନ୍ଦିର ସମ୍ମୁଖରେ ‘ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ’ ପରିସରରେ ଆୟୋଜିତ ‘ବିଶ୍ୱ ଶିଳ୍ପୀ ଦିବସ’ର ଆଜି ଥିଲା ଦ୍ୱିତୀୟ ଦିନ। ଏହି ଅବସରରେ ବରିଷ୍ଠ ଶିଳ୍ପୀ ଅନୁପ ଚାନ୍ଦ ଅଡିଓ-ଭିଜୁଆଲ୍‌ ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଅନେକ ଶିଳ୍ପୀ ଅଂଶଗ୍ରହଣ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ୫ଟି ସ୍କୁଲ୍‌କୁ ‘ଶ୍ରେଷ୍ଠ ଏଣ୍ଟ୍ରି ପୁରସ୍କାର’ ପ୍ରଦାନ କରାଯାଇଛି। କଟକ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌, ଭୁବନେଶ୍ୱର ମଦର୍ସ ପବ୍ଲିକ୍‌ ସ୍କୁଲ୍‌, ବାଙ୍ଗାଲୁରୁ ଅହମ୍‌ ଆତ୍ମା ବିଦ୍ୟାଳୟ, ସତ୍ୟଭାମାପୁର ବିଜେଇଏମ୍‌ ସ୍କୁଲ୍‌-୨ ଓ କେଉଁଝର ରବୀନ୍ଦ୍ର ବିଦ୍ୟା ନିକେତନ ଆଦି ବିଦ୍ୟାଳୟକୁ ଏହି ପୁରସ୍କର ଦିଆଯାଇଛି। ଏଥିସହ କାର୍ଯ୍ୟକ୍ରମରେ ୬୦ଜଣଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ଏଥିରେ ବାଲିକୁଦା ଓ ଏର୍‌ସମାର ବିଧାୟକ ପ୍ରଶାନ୍ତ ମୁଦୁଲି, ବରିଷ୍ଠ ପ୍ରଶାସକ କେ ଜି ମହାପାତ୍ର, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଓ ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବିଶ୍ୱାଳ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଉପସ୍ଥିତ ଥିଲେ ଓ ଗ୍ୟାଲେରିର ପରିଚାଳନ ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର