ଲୋକସେବା ଭବନରେ ପ୍ରଥମ : ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ ଉଦ୍‌ଘାଟନ ଆଜି

ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ ଇକୋ ଫ୍ରେଣ୍ଡଲି,
ସୌର ଶକ୍ତି ଚାଳିତ କାନ୍ଥରେ ଭିଡିଓ ଦେଖିବା ପାଇଁ ଏଲ୍‌ଇଡି ବ୍ୟବସ୍ଥା
ଅତ୍ୟାଧୁନିକ ଲାଇବ୍ରେରି ୧୦୦ଜଣ ବସିବା ଭଳି ଫୁଡ୍ ପ୍ଲାଜା

ଭୁବନେଶ୍ବର : ଲୋକସେବା ଭବନ କ୍ୟାମ୍ପସରେ ପ୍ରାୟ ୪୦କୋଟି ଟଙ୍କା ବ୍ୟୟରେ ଦୀର୍ଘ ଅଢେଇ ବର୍ଷ ହେଲା ନିର୍ମାଣ ହେଉଥିବା କନଭେନସନ୍ ସେଣ୍ଟର ତଥା ଅତ୍ୟାଧୁନିକ ସମ୍ମିଳନୀ ଗୃହକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ପୂର୍ବରୁ ଏହି ସମ୍ମିଳନୀ ଗୃହ ଦୁଇ ଥର ଉଦ୍‌ଘାଟନ ହେବ ବୋଲି ତାରିଖ ଧାର୍ଯ୍ୟ ହୋଇଥିଲା। ଏପରିକି ଗତବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ, ୨୦୧୯ରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଧାର୍ଯ୍ୟ ସମୟରେ କାମ ସରି ନ ଥିବାରୁ ଏହାର ଉଦ୍‌ଘାଟନ ହୋଇପାରି ନ ଥିଲା। ଏବେ ଏହି କନଭେନସନ୍ ସେଣ୍ଟରର ଉଦ୍‌ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଲୋକସେବା ଭବନରେ ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡିଟୋରିୟମର ଅଭାବ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏହି କନ୍‌ଭେନ‌ସନ ସେଣ୍ଟର ନିର୍ମାଣ ହୋଇଛି।

ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। କନଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌର ଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦୃଷ୍ଟିରୁ ଯେପରି କନଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି। ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏଥିରେ ଗୋଟିଏ କାନ୍ଥରେ ଭିଡିଓ ଦେଖିବା ପାଇଁ ଏଲ୍‌ଇଡି ଲାଗିଛି। ଏଥିରେ ଲାଇନ୍ ଆରେ ସ୍ପିକର୍ ବ୍ୟବସ୍ଥା ହୋଇଛି। ଏହି ସମ୍ମିଳନୀ କକ୍ଷଟିକୁ ବିଶ୍ବସ୍ତରୀୟ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ସରକାର ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏଠାରେ କରିବେ। ଆଉ ତାରକା ହୋଟେଲ ଭଡ଼ା ନେବାକୁ ପଡ଼ିବନି। ଏହାବାଦ୍ ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍‌ ହଲ୍‌ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ୍‌ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏଠାରେ ବିଭିନ୍ନ ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଭଳି ବ୍ୟବସ୍ଥା କରାଯାଉଛି।

ସେହିପରି ଉପର ମହଲାରେ ୧୦୩ସିଟ୍ ବିଶିଷ୍ଟ କନଫରେନ୍ସ ହଲ୍ ରହିବ। ଏହାବାଦ୍ ଦୁଇଟି ଛୋଟ ସମ୍ମିଳନୀ କକ୍ଷ ରହିବ। ଏଥିରୁ ଗୋଟିଏ ୩୦ସିଟ୍ ବିଶିଷ୍ଟ ଏବଂ ଆଉ ଗୋଟିଏ ୧୫ସିଟ୍ ବିଶିଷ୍ଟ ରହିବ। ଅତ୍ୟାଧୁନିକ ଲାଇବ୍ରେରି, ଦୁଇଟି ରୁମ୍, ୧୦୦ଜଣ ବସିବା ଭଳି ଫୁଡ୍ ପ୍ଲାଜା, କାର୍ଯ୍ୟାଳୟ ରହିବ। ଏହି ମହଲାଟିକୁ ଓଭାଲ୍ ଆକାରରେ ନିର୍ମାଣ କରାଯାଇଛି। ଯାହାଦ୍ୱାରା କନଫରେନ୍ସ ହଲ୍‌ଗୁଡ଼ିକୁ ଆକର୍ଷଣୀୟ ହୋଇପାରିବ ବୋଲି ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର