ଆଜି ବିଶ୍ୱ ନୃତ୍ୟ ଦିବସ : ଲୁଚିଯାଉଛି ଲୋକନୃତ୍ୟ, ମରିଯାଉଛି ମୌଳିକତା

ଭୁବନେଶ୍ୱର : ଦିନେ ଅବସର ବିନୋଦନର ବଳିଷ୍ଠ ମାଧ୍ୟମ ଥିଲା ଲୋକନୃତ୍ୟ। ଏହାସହ ଏକ ଗଭୀର ମନସ୍ତତ୍ୱ ଜଡ଼ିତ ଥିଲା। ସଂସ୍କୃତି, ପରମ୍ପରା, ସାମାଜିକ ବାର୍ତା ତଥା ଗ୍ରାମ୍ୟ ଜୀବନର ଭାବାବେଗକୁ ବାନ୍ଧି ରଖିଥିବା ଏହି ଲୋକନୃତ୍ୟ ଏବେ ଆଧୁନିକତାର ଚାପରେ ଶଯ୍ୟାଶାୟୀ। ଇଣ୍ଟରନେଟ୍‌ ଓ ଟେଲିଭିଜନ୍‌ ଯୁଗରେ ଆମ ପାରମ୍ପରିକ ମନୋରଞ୍ଜନଧର୍ମୀ ଲୋକକଳା ଧୀରେଧୀରେ ଲୁପ୍ତପ୍ରାୟ ଅବସ୍ଥାକୁ ଚାଲି ଆସିଲାଣି। ବିଦେଶରେ ପାରମ୍ପରିକ ଲୋକକଳା ଓ ଷ୍ଟ୍ରିଟ୍‌ ଡ୍ୟାନ୍ସକୁ ପୁନରୁଦ୍ଧାର ସହ ଅଧିକ ଗବେଷଣା କରାଯାଉଥିବା ବେଳେ ଆମେ ପାଶ୍ଚାତ୍ୟ ସଭ୍ୟତାମୁହାଁ ହୋଇଛୁ। ପାଲା, ଦାସକାଠିଆ ଓ ଘୋଡ଼ା ନାଚ ଆଦି ପାରମ୍ପରିକ ନୃତ୍ୟକୁ ପାସୋରି ଦେଲୁଣି। ଗୋଟିଏ ପଟେ ଲୋକନୃତ୍ୟର ଭାଗ୍ୟକୁ ନେଇ ଅନିଶ୍ଚିତତା ଓ ଅନ୍ୟପଟେ ମୌଳିକତା ହ୍ରାସ ପାଇବା କଳାପ୍ରେମୀ ଓ ଗବେଷକଙ୍କୁ ବ୍ୟଥିତ କରିଛି।

ନାଗା ନାଚ, ଶୁଆନାଚ, ଗାଁ ଡାଲଖାଇ, ଲହଁକୀ, ମୁଣ୍ଡତୋପା, ଖରିଆ, ସମର, ଶୀକାର, ବୀରୁ, ନଚନିଆଁ, ବିନାକାରିଆ, ଜାନୁଘଣ୍ଟ, କାଳୀ ଓ ବାଉଁଶରାଣୀ ଆଦି ଲୋକନୃତ୍ୟ ଏବେ ପ୍ରାୟ ଲୁପ୍ତ ହୋଇଗଲାଣି ବୋଲି କହିଛନ୍ତି ଲୋକକଳା ଓ ନୃତ୍ୟ ଗବେଷକ ରବି ରତନ ସାହୁ। ପୂର୍ବରୁ କ୍ରୀଡ଼ା, ବିବାହ, ବୃତ୍ତିଗତ, ଶିକାର ଓ ଯୁଦ୍ଧ ସମୟରେ ଭିନ୍ନଭିନ୍ନ ଲୋକନୃତ୍ୟ ପରିବେଷିତ ହେଉଥିଲା। କିନ୍ତୁ ବର୍ତ୍ତମାନର ନୂଆ ପିଢ଼ି ଏହାକୁ ଆପଣାଇବାକୁ ଅମଙ୍ଗ ହେଉଥିବା ବେଳେ ସାଂସ୍କୃତିକ ସଂଗଠନ ଏସବୁ କଳାକୁ ମଞ୍ଚ ଉପଯୋଗୀ କରିବା ଉଦ୍ଦେଶ୍ୟରେ ବହୁ ପରିବର୍ତ୍ତନ କରୁଛନ୍ତି। ‘ପ୍ରହ୍ଲାଦ ନାଟକ’ ପାରମ୍ପରିକ ଭାବେ ୮ରୁ ୧୨ ଘଣ୍ଟା ପରିବେଷିତ ହେଉଥିବା ବେଳେ ଏବେ ତାହା ଅଢ଼େଇ ଘଣ୍ଟା ଭିତରେ ସୀମିତ ରହୁଛି। ଫଳରେ ଲୋକନୃତ୍ୟ ଏହାର ମୌଳିକତା ହରାଉଛି। ତେଣୁ ସରକାରୀସ୍ତରରେ ଏସବୁ ନୃତ୍ୟକୁ ନେଇ ଗବେଷଣା କରାଯିବା ସହ ପୁନରୁଦ୍ଧାର କରାଯିବା ଉଚିତ ବୋଲି ସେ କହିଛନ୍ତି।

ସଂଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ମନ୍ମଥ ଶତପଥୀ କହନ୍ତି, ବ୍ୟାପକତା, ସଂଖ୍ୟା, ବିଭିନ୍ନତା ଓ ପ୍ରାଚୀନତା ଦୃଷ୍ଟିରୁ ଓଡ଼ିଶାର ଲୋକକଳା ଓ ନୃତ୍ୟ ବିଶ୍ୱ ଦରବାରରେ ଉଚ୍ଚସ୍ତରରେ ରହିଛି। ବହୁ ଲୋକକଳା ଏହା ଭିତରେ ଲୁପ୍ତ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଊର୍ଧ୍ୱ ଲୋକନୃତ୍ୟ ଜୀବିତ ଅଛି। ସଂସ୍କୃତି ବିଭାଗ ପକ୍ଷରୁ ଗଠିତ କଳା ସଂସ୍କୃତି ସଂଘ ଦ୍ୱାରା କଳାକାରମାନେ ଆର୍ଥିକ ସହାୟତା ପାଇ ପାରୁଥିବା ବେଳେ ଲୋକକଳା ଓ ନୃତ୍ୟ କିନ୍ତୁ ଏହାର ମୌଳିକତା ହରାଇବାରେ ବସିଛି। ୬ ଘଣ୍ଟାର ନୃତ୍ୟକୁ ୨ ଘଣ୍ଟାରେ ସାରିବା ପାଇଁ ନିର୍ଦ୍ଦେଶ ଥିବାରୁ ବିଭିନ୍ନ ପରିବର୍ତନ ଆଣିବାକୁ ପଡ଼ୁଛି। ଏହା ଲୋକନୃତ୍ୟର ସ୍ୱତନ୍ତ୍ରତାକୁ କ୍ଷୁଣ୍ଣ କରୁଛି। ପୁଣି ଗ୍ରାମ୍ୟ କଳାକାରଙ୍କ ଅଶିକ୍ଷା ଓ ତାଲିମ୍‌ ଅଭାବରୁ ଚିରାଚରିତ ଧାରାରେ ଏହି କଳା ପରିବେଷିତ ହେବା ଦ୍ୱାରା ବହୁ ଭୁଲ୍‌ ମଧ୍ୟ ପରିଲକ୍ଷିତ ହେଉଛି। ଏଣୁ ପ୍ରତ୍ୟେକ ଅଞ୍ଚଳରେ ଏନେଇ ତାଲିମ୍‌ କେନ୍ଦ୍ରମାନ ଖୋଲି ଆମ ଏହି ଲୋକକଳା ଓ ନୃତ୍ୟରେ ସଂଶୋଧନ ଆଣିବା ଉଚିତ୍‌ ବୋଲି ସେ କହିଛନ୍ତି। ଇନ୍‌ଫୋସିସ୍‌ ଓ ଭାରତୀୟ ବିଦ୍ୟାଭବନ ମିଳିତ ସହଯୋଗରେ ବର୍ତମାନ ସୁଦ୍ଧା ୬୪ଟି ଲୋକକଳା ଓ ନୃତ୍ୟ ଡକ୍ୟୁମେଣ୍ଟେସନ୍‌ ହୋଇପାରିଛି ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ଏନେଇ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ କହନ୍ତି, ବର୍ତମାନ ଓଡ଼ିଶାରେ ୪୭୧ଟି ଲୋକକଳାକୁ ସଂରକ୍ଷିତ କରାଯାଇଛି। ସମୁଦାୟ ୬୨ଟି ଜନଜାତିର ବିଭିନ୍ନ ନୃତ୍ୟ ଓ କଳା ଏଥିରେ ସାମିଲ୍‌ କରାଯାଇଛି। ସଂସ୍କୃତି ବିଭାଗ ତଥ୍ୟ ଅନୁସାରେ ରାଜ୍ୟରେ ୭୪୮୨ଟି ଲୋକକଳା ଦଳ ଓ ପ୍ରାୟ ୧ ଲକ୍ଷରୁ ଊର୍ଧ୍ୱ କଳାକାର ଅଛନ୍ତି। ତେବେ କେବଳ କିଛି ଉତ୍ସବରେ ଏହି ଲୋକନୃତ୍ୟ ସୀମିତ ରହି ଯାଉଥିବାରୁ ଏହାର ଭବିଷ୍ୟତ ଏବେ ବି ସନ୍ଦିହାନ ବୋଲି କିଛି ଗବେଷକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର