ଆଜି ବିଶ୍ୱ ଐତିହ୍ୟ ଦିବସ: ଆଧୁନିକତା ଭିତରେ ହଜିବନି ଐତିହ୍ୟର ପରିଚୟ

‘ହେରିଟେଜ୍‌ ହବ୍‌’ ପାଇଁ ବିଡିଏର ପ୍ରସ୍ତୁତି

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଅତ୍ୟାଧୁନିକ ରୂପରେଖ ଭିତରେ ମନ୍ଦିରମାଳିନୀ ସହରର ପରିଚୟ ବି ହଜିବନି। ଏଥିପାଇଁ ବିଡିଏ ପକ୍ଷରୁ ପ୍ରକ୍ରିିୟା ଆରମ୍ଭ ହୋଇଛି। ସହରର ଐତିହ୍ୟସ୍ଥଳଗୁଡ଼ିକୁ ନୂଆ ରୂପ ଦେଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ତଥା ସହରକୁ ଏକ ହେରିଟେଜ୍‌ ହବ୍‌ ଭାବେ ସଜାଇବା ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଥିବା ମୋଟ ୩୬୦ଟି କୀର୍ତ୍ତିରାଜିକୁ ଖୋଜି ବାହାର କରିଛି ବିଡିଏର ହେରିଟେଜ୍‌ ସେଲ୍‌। ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଏହି ଐତିହ୍ୟ ସ୍ମାରକୀକୁ ବୁଲି ଦେଖିବେ, ଏହାର ଇତିହାସ ସମ୍ପର୍କରେ ଜାଣିବେ, ସେଥିପାଇଁ ସବୁ ଐତିହ୍ୟ ସ୍ମାରକୀଗୁଡ଼ିକୁ ନୂଆ ରୂପ ଦିଆଯିବାର କସରତ ଚାଲିଛି।

ହକି ଓ୍ଵାର୍ଲ୍ଡ କପ୍‌ ପୂର୍ବରୁ କାମ ସରିବ

ଏବେ ରାଜଧାନୀରେ ଥିବା ଅଧିକାଂଶ ଐତିହ୍ୟ ଅବହେଳିତ ଅବସ୍ଥାରେ। ଏଏସ୍‌ଆଇ ୨୯ଟି ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ୨୭ଟି କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ କରୁଛି। କିନ୍ତୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପାରିପାର୍ଶ୍ୱିକ ବିକାଶ ତଥା ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି। ଏହାକୁ ନଜରରେ ବିଡିଏ ପକ୍ଷରୁ ‘ଐତିହ୍ୟ ଉନ୍ନୟନ ଯୋଜନା’ (ହେରିଟେଜ୍‌ ଡେଭଲପମେଣ୍ଟ ପ୍ଲାନ୍‌) ହୋଇଛି।

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଆସିଷ୍ଟାଣ୍ଟ୍‌ ଟାଉନ୍‌ ପ୍ଲାନର୍‌ ସୁପର୍ଣ୍ଣା ଏସ୍‌ ଦାସ କହିଛନ୍ତି, ଏହି ଯୋଜନାରେ ରାଜଧାନୀର ସମସ୍ତ ଐତିହ୍ୟ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯିବ। ଯୋଜନା ଅନୁଯାୟୀ ଚିହ୍ନଟ ହୋଇଥିବା ୩୬୦ଟି ଯାକ କୀର୍ତ୍ତିରାଜିକୁ ପୁନରୁଦ୍ଧାର କରାଯିବ। ଏ ସମ୍ବନ୍ଧରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଜଣାଇବା ପାଇଁ ବହୁ ଯୋଜନା ହୋଇଛି। ଏଥିପାଇଁ ବିଭିନ୍ନ ଛକରେ ତୀର ଚିହ୍ନ ମାଧ୍ୟମରେ ବାଟ ବତାଇ ଦିଆଯିବ। ସ୍ମାରକୀଗୁଡ଼ିକର ସଫାସୁତୁରା ନେଇ ଦୃଷ୍ଟି ଦିଆଯିବ। ଆସନ୍ତା ନଭେମ୍ବରରେ ହେବାକୁ ଥିବା ‘ହକି ଓ୍ଵାର୍ଲ୍ଡ କପ୍‌’ ପୂର୍ବରୁ ଏହି ସବୁ କାମ ସାରିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇ ପାରିବ।

‘ଭୁବନେଶ୍ୱର ଓ୍ଵାନ୍‌ େଓ୍ଵବ୍‌ସାଇଟ୍‌’ରେ ମିଳିବ ସବୁ ତଥ୍ୟ

‘ଭୁବନେଶ୍ୱର ଓ୍ଵାନ୍‌ େଓ୍ଵବ୍‌ସାଇଟ୍‌’ରେ ବର୍ତ୍ତମାନ ଏହି ସମସ୍ତ କୀର୍ତ୍ତିରାଜିର ଜିଆଇଏସ୍‌ ମ୍ୟାପିଂ ହୋଇସାରିଛି। ବିଶ୍ୱର ଯେକୌଣସି ସ୍ଥାନରେ ବସିଲେ ମଧ୍ୟ ଏହି ସବୁ କୀର୍ତ୍ତିରାଜି ବିଷୟରେ ସୂଚନା ମିଳିବା ସହ ଏହାର ଅବସ୍ଥିତି ଓ ଠିକଣା ଜାଣି ହେବ। ପୁଣି ଏହି େଓ୍ଵବ୍‌ସାଇଟ୍‌ର ‘ହେରିଟେଜ୍‌ ଷ୍ଟୋରି ବୋର୍ଡ’ରେ ସହରର ୯୯ଟି କୀର୍ତ୍ତିରାଜି ବିଷୟରେ ସବିଶେଷ ବିବରଣୀ ରହିଛି। ଆଗକୁ ଆହୁରି ଅଧିକ କୀର୍ତ୍ତିରାଜି ବିଷୟରେ ଏଥିରେ ଉଲ୍ଲେଖ କରାଯିବ।

ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ରୁଟ୍‌ 

ଭୁବନେଶ୍ୱରର ମଧ୍ୟ ଓ ଉପକଣ୍ଠକୁ ଯୋଡ଼ି ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରାଯିବ। ଏକାମ୍ର କ୍ଷେତ୍ର-ଖଣ୍ଡଗିରି ଓ ଉଦୟଗିରି-ଧଉଳି ଆଦିକୁ ସଂଯୋଗ କରି ଏକ ସ୍ୱତନ୍ତ୍ର ରୁଟ୍‌ ତିଆରି ହେବ। ଏହି ରୁଟ୍‌ ଦେଇ ଟୁରିଷ୍ଟ୍‍ ଗାଡ଼ି ଚଳାଚଳ ଆରମ୍ଭ ହେବ। ଏହି ରୁଟ୍‌କୁ ସୁନ୍ଦର ଭାବେ ବିକାଶ କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବ।

ରାଜାରାଣୀ ମନ୍ଦିର ଓ ଧଉଳିରେ ମଧ୍ୟ ଆରମ୍ଭ ହେବ ଐତିହ୍ୟ ପଦଯାତ୍ରା

ବିଦେଶୀ ପର୍ଯ୍ୟଟକ ତଥା ଜନସାଧାରଣଙ୍କ ମଧ୍ୟରେ ସହରର ଐତିହ୍ୟ କୀର୍ତ୍ତିରାଜି ବିଷୟରେ ସଚେତନତା ପାଇଁ ଆରମ୍ଭ ‘ଐତିହ୍ୟ ପଦଯାତ୍ରା’ ପ୍ରତି ରବିବାର ଏକାମ୍ର କ୍ଷେତ୍ରରେ ଆୟୋଜିତ ହେଉଥିବା ବେଳେ ବର୍ତ୍ତମାନ ପ୍ରତି ଶନିବାର ମଧ୍ୟ ଖଣ୍ଡଗିରି ଓ ଉଦୟଗିରି ଅଞ୍ଚଳରେ ଆୟୋଜିତ ହେଉଛି। ଏନେଇ ସ୍କୁୁଲ୍‌ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କର ଭଲ ପ୍ରତିକ୍ରିୟା ରହିଛି ବୋଲି ବିଡିଏ ଅଧିକାରୀ ସୁପର୍ଣ୍ଣା ଏସ୍‌ ଦାସ କହିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ‘ବିଶ୍ୱ ଐତିହ୍ୟ ଦିବସ’ ଅବସରରେ ସେମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି। ପୁଣି ତୃତୀୟ ପର୍ଯ୍ୟାୟରେ ରାଜାରାଣୀ ମନ୍ଦିର ପାର୍ଶ୍ୱ ଅଞ୍ଚଳ ଓ ପରେ ଧଉଳି ଅଞ୍ଚଳରେ ଏହି ପଦଯାତ୍ରା ଆରମ୍ଭ ହେବ।

ସମ୍ବନ୍ଧିତ ଖବର