ଆଜି ବିଶ୍ୱ ଆୟୋଡିନ୍‌ ଦିବସ : ୯୩ ପ୍ରତିଶତ ଘରେ ଆୟୋଡିନ୍‌ ଲୁଣ

 

ଭୁବନେଶ୍ୱର : ଆୟୋଡିନ୍‌ ଅଭାବ ଜନିତ ରୋଗ ଏକ ମୁଖ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର ଅଭାବରୁ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ। ଏହାସହ ଗର୍ଭପାତ, ମୃତ ଶିଶୁଜାତ ହେବା, ମସ୍ତିଷ୍କ ବିକୃତ ଶିଶୁ ଜନ୍ମ ଓ ଗଳଗଣ୍ଡି ଆଦି ସମସ୍ୟା ଦେଖା ଦେଇଥାଏ। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ସର୍ବେକ୍ଷଣ ଅନୁଯାୟୀ ରାଜ୍ୟରେ ୯୩ପ୍ରତିଶତ ଘରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ହେଉଛି। ଏହାକୁ ଶତ ପ୍ରତିଶତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।

ଏଥିପାଇଁ ଲୁଣର ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶା, ଶିକ୍ଷକ/ଶିକ୍ଷୟିତ୍ରୀ, ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସାମାଜିକ କର୍ମୀଙ୍କୁ କେବଳ ଆୟୋଡିନଯୁକ୍ତ ଲୁଣର ବ୍ୟବହାର ସଂପର୍କରେ ସଚେତନ କରାଯିବ। ବିଶ୍ୱ ଆୟୋଡିନ ଦିବସ ଆଜି ସ୍ୱାସ୍ଥ୍ୟସେବା ନିର୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ଯୋଗଦେଇ ଆୟୋଡିନ୍‌ ଲୁଣର ଅଭାବ ଜନିତ ସମସ୍ୟା ସଂପର୍କରେ ଜନସାଧାରଣ ସଚେତନ ହେବା ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବ୍ରଜ କିଶୋର ବ୍ରହ୍ମା, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ, ନର୍ସିଂ ନିର୍ଦେଶକ ଡା.ବସନ୍ତ ପଣ୍ଡା, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ସାମାଜିକ ଚିକିତ୍ସା ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡା.ରାମଚନ୍ଦ୍ର ଗିରି, ଏମ୍‌କେସିଜିର ପ୍ରଫେସର ଡା.ରାଧାମାଧବ ତ୍ରିପାଠୀ, ଭିମସାର ପ୍ରଫେସର ଡା.ଦୁର୍ଗାମାଧବ ଶତପଥୀ, ଜନସ୍ୱାସ୍ଥ୍ୟ ଯୁଗ୍ମ ନିର୍ଦେଶକ ଡା.ବିକାଶ ପଟ୍ଟନାୟକ ଓ ୟୁନିସେଫ୍‌ର ପୁଷ୍ଟି ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଆରମ୍ଭରେ ଉପ-ନିର୍ଦେଶକ ଡା.ଅର୍ଘ୍ୟ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର