ଅନିଶ୍ଚିତତାରେ ବିଶ୍ୱସ୍ତରୀୟ ହସ୍ପିଟାଲ

ଏମ୍‌ଓୟୁ ପରେ ବି କାମ ଆରମ୍ଭ ହେଉନି

ବ୍ୟାଙ୍କରୁ ଋଣ ମିଳୁ ନଥିବାରୁ ସଂସ୍ଥା କାମ କରୁନି: ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଡ଼କଣରେ ପିପିପି ମୋଡ୍‌ରେ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ କରିବାକୁ ବିଏମ୍‌ସି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍‌ସ) ସହ ଚୁକ୍ତି କରିଛି। ଚୁକ୍ତି ଅନୁଯାୟୀ ଦୁଇ ବର୍ଷରେ ହସ୍ପିଟାଲ ନିର୍ମାଣ ହେବାକୁ ଥିବାବେଳେ ଚୁକ୍ତି ସ୍ୱାକ୍ଷରର ୬ମାସ ପରେ ବି ଇଟା ଖଣ୍ଡେ ପଡ଼ିଲାନି। ସ୍ଥିତି ଏପରି ଉପୁଜିଛି ଯେ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସ୍ୱପ୍ନ ଦେଖାଇଥିବା ବିଏମ୍‌ସି ଏବେ ଏହି ହସ୍ପିଟାଲର ଭବିଷ୍ୟତ ନେଇ ଦ୍ୱନ୍ଦ୍ୱରେ।

କିମ୍‌ସ କର୍ତ୍ତୃପକ୍ଷ କେବେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ କହୁ ନଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ବି ଚୁପ୍‌ ହୋଇ ବସିଯାଇଛନ୍ତି। ବର୍ତମାନ ସୁଦ୍ଧା ହସ୍ପିଟାଲ କାର୍ଯ୍ୟ ଆରମ୍ଭ ନହେବା ନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ହସ୍ପିଟାଲ୍‌ରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ୟାଙ୍କ ଋଣ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ବ୍ୟାଙ୍କ ଋଣ ମିଳୁନି। ତେଣୁ କିମ୍‌ସ କର୍ତ୍ତୃପକ୍ଷ କହୁଛନ୍ତି ଯେ, ବ୍ୟାଙ୍କ ଋଣ ମିଳିଲେ ଆମେ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବୁ। ଏହାବାଦ୍‌ ପୂର୍ବରୁ ଦୁଇ ଦୁଇ ଥର ଚୁକ୍ତି କରି ବିଫଳ ହୋଇଥିବାରୁ ଆମେ କିମ୍‌ସକୁ ଅଧିକ କିଛି ସମୟ ଦେବାକୁ ଚିନ୍ତା କରିଛୁ। ଆମର ଆଶା ସେମାନଙ୍କ ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ହୋଇଯିବ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, ବିଏମ୍‌ସି କର୍ତ୍ତୃପକ୍ଷ ଚୁକ୍ତି ସମୟରେ କଡ଼ାକଡ଼ି ନିୟମ କରୁ ନଥିବାରୁ ଦୁଇ ଦୁଇ ଥର ଯୋଜନା ଫେଲ୍‌ ମାରିଲାଣି। ଗାଡ଼କଣରେ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମେ ଯେତେବେଳେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ସେତେବେଳେ ଗୁଜୁରାଟର ଅହମ୍ମଦାବାଦରେ ବି ହସ୍ପିଟାଲ ନିର୍ମାଣ ପାଇଁ ସ୍ଥାନୀୟ ମହାନଗର ନିଗମ କର୍ତ୍ତୃପକ୍ଷ ଏହିଭଳି ଚୁକ୍ତି କରିଥିଲେ। ଏବେ ସେଠାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବାବେଳେ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରୁନି।

ଗାଡ଼କଣରେ ଅତ୍ୟାଧୁନିକ ହସ୍ପିଟାଲ କରିବାକୁ କୋଲକାତାର କେପିସି ଗ୍ରୁପ୍‌ ଅଫ୍‌ ହସ୍ପିଟାଲ ଚୁକ୍ତି କରିଥିଲେ ହେଁ ଦୁଇ ବର୍ଷ ତଳେ ଏଥିରୁ ଓହରି ଯାଇଥିଲା। ଆଉ ହସ୍ପିଟାଲ ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। ସେହିପରି ପାଞ୍ଚଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିକାଶ ପାଇଁ ମଧ୍ୟ ତିନି ବର୍ଷ ତଳେ ଯୋଜନା ହୋଇଥିଲେ ବି ତାହା ସଫଳ ହୋଇପାରି ନ ଥିଲା। ଗତବର୍ଷ ଦେଶର ବିଭିନ୍ନ ସହରରେ ବିଏମ୍‌ସି କର୍ତ୍ତୃପକ୍ଷ ରୋଡ୍‌ ସୋ’ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଥିବା ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଥିଲେ। ଏଥିରେ କେୟାର ହସ୍ପିଟାଲ ଗ୍ରୁପ୍‌, ଆପୋଲୋ, ନାରାୟଣ ହୃଦୟାଳୟ, କାର୍ବେରି, ସନସାଇନ୍‌ ଏବଂ କିମ୍‌ସ (କ୍ରିଷ୍ଣା ଗ୍ରୁପ୍‌) ସହ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସିର ପ୍ରସ୍ତାବରେ କ୍ରିଷ୍ଣା ଗ୍ରୁପ୍‌ ରାଜି ହୋଇଥିବାବେଳେ ହସ୍ପିଟାଲର ବିଭିନ୍ନ ସର୍ତ୍ତରେ ବିଏମ୍‌ସି କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଆଉ ପିପିପି ମୋଡ୍‌ରେ ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ଏହା କେବଳ ଚୁକ୍ତିରେ ରହିଯାଇଛି।

ବିଏମ୍‌ସିର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ହସ୍ପିଟାଲ ପାଇଁ ଯୋଜନା ବି ଲମ୍ବା ଚଉଡ଼ା ହୋଇଛି। ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପାଇଁ ଗାଡ଼କଣରେ ୫ଏକର ଜମି ଚିହ୍ନଟ କରାଯାଇଛି। ଏହାସହିତ କପିଳପ୍ରସାଦ, ବ୍ରହ୍ମେଶ୍ୱର ପାଟଣା, ଗାଡ଼କଣ, ଜିଜିପି କଲୋନି ଓ ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ହେବ। ଏହିପରି ୬ଟି ଯାକ ହସ୍ପିଟାଲରେ ମୋଟ୍‌ ୮୦୦ଟି ଶଯ୍ୟା ରହିବାକୁ ଥିବାବେଳେ ଏଥିରୁ ୪୫ପ୍ରତିଶତ ଅର୍ଥାତ୍‌ ୩୫୯ଟି ଶଯ୍ୟା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ରହିବ।

ପିପିପି ମୋଡ୍‌ରେ ଗାଡ଼କଣରେ ନିର୍ମାଣ ହେବାକୁ ଥିବା ମଲ୍‌ଟି ସ୍ପେସାଲିଟି ହସ୍ପିଟାଲରେ ୫୫୦ଶଯ୍ୟା ରହିବ। ଏଠାରେ ସମସ୍ତ ପ୍ରକାରର ବିଶ୍ୱସ୍ତରୀୟ ସୁବିଧା ମିଳିବ। ଏପରିକି ଏଠାରେ ରୋଗୀଙ୍କୁ କମ୍‌ ଦାମରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ପରୀକ୍ଷା ରିହାତି ଦରରେ କରିବାର ସୁବିଧା ମିଳିବ। ରାଜଧାନୀରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ଫି’ ତୁଳନାରେ ଏଠାରେ କମ୍‌ ଫି’ ରହିବ। ଏହି ହସ୍ପିଟାଲ ଯେପରି ରାଜଧାନୀ ଓ ଆଖପାଖ ଅଞ୍ଚଳର ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇ ହେବ ସେହିଭଳି ବ୍ୟବସ୍ଥା କରାଯିବ।

ଏହାବାଦ୍‌ କପିଳପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୦ଶଯ୍ୟା ବିଶିଷ୍ଟ ବ୍ରହ୍ମେଶ୍ୱର ପାଟଣା, ଗାଡ଼କଣ, ଜିଜିପି କଲୋନି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୦ ଶଯ୍ୟା ବିଶିଷ୍ଟ, ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ। ଏଠାରେ ବିପିଏଲ୍‌ ରୋଗୀମାନଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ୫୦ପ୍ରତିଶତ ରିହାତିରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ଡାକ୍ତରଙ୍କ ପରାମର୍ଶଠାରୁ ଆରମ୍ଭ କରି ବିଭିନ୍ନ ରୋଗର ପରୀକ୍ଷା, ବିଭିନ୍ନ ପ୍ରକାରର ଫି’ରେ ରିହାତି ମିଳିବ। ଏହାସହିତ ଏହି ହସ୍ପିଟାଲଗୁଡ଼ିକ ଯେପରି ନ୍ୟାସନାଲ ଆକ୍ରେଡେସନ୍‌ ବୋର୍ଡ ଫର୍‌ ହସ୍ପିଟାଲ୍‌ସ ଆଣ୍ଡ ହେଲ୍ଥ କେୟାର ପ୍ରୋଭାଇଡର୍ସଙ୍କ ପାଇଁ ଥିବା ନିୟମାବଳୀ ମାନିବେ ତାହା ତଦାରଖ କରାଯିବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର