ପଦଯାତ୍ରା, ଆଲୋଚନାଚକ୍ର ଓ ନାଟ୍ୟ ପରିବେଷଣ ସାଜିଲା ଆକର୍ଷଣ

ବିଶ୍ବ ନାଟ୍ୟ ଦିବସ ପାଳିତ

ଭୁବନେଶ୍ବର : ମଞ୍ଚରେ ନଥିଲା ଆଲୋକ ସାଜସଜ୍ଜା କିମ୍ବା ଶବ୍ଦର ସଂଯୋଜନା କି ନାଟକୀୟ ଆସବାବପତ୍ର। କେବଳ ଥିଲା, କଳାକାର ଓ ସେମାନଙ୍କ ଅଭିନୟର ଯାଦୁରେ ସୃଷ୍ଟ ନାଟକୀୟ ପରି‌ବେଶ। ନାଟକକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ମଞ୍ଚ ସାଜସଜ୍ଜା ବା ଆସବାବପତ୍ରର ଆବଶ୍ୟକତା ନଥାଏ, କଳାକାରଙ୍କ ଅଭିନୟର ପ୍ରତିଭା ନାଟକକୁ ଜୀବିତ କରିଥାଏ ବୋଲି ନାଟ୍ୟ କଳାକାରମାନେ ପ୍ରମାଣ କରୁଥିଲେ। ‘ଓଡ଼ିଶା ନାଟ୍ୟସଂଘ’ ପକ୍ଷରୁ ଆଜି ବିଶ୍ବ ନାଟ୍ୟ ଦିବସ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଗୋଟିଏ ମଞ୍ଚରେ ଅଳ୍ପ ସମୟ ମଧ୍ୟରେ ବଛାବଛା ନାଟକର କିଛି ଶ୍ରେଷ୍ଠ ଦୃଶ୍ୟ ପରିବେଷିତ ହୋଇଥିଲା। ଏହା ପୂର୍ବରୁ ୮୦ରୁ ଊର୍ଧ୍ବ ନାଟ୍ୟ କର୍ମୀଙ୍କୁ ନେଇ ହାଉସିଂବୋର୍ଡ ଛକଠାରୁ ରବୀନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହା ପରେ ବରିଷ୍ଠ ନାଟ୍ୟକାର ଅଜିତ ଦାସ, ଶଶିଧର ଆଚାର୍ଯ୍ୟ, ଧୀର ମଲ୍ଲିକ, ଓଡ଼ିଶା ନାଟ୍ୟ ସଂଘର ସମ୍ପାଦକ ଲାଲା ବୀରେନ୍‌ ରାୟ ଓ ସଭାପତି ହରେନ ସାହୁ ପ୍ରମୁଖଙ୍କୁ ନେଇ ଏକ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଦୀପ ବିଶ୍ବାଳ, ଶୁଭକାନ୍ତ ପଟ୍ଟନାୟକ, ନିରଞ୍ଜନ ସାହୁ, ପ୍ରଶାନ୍ତ ମହାପାତ୍ର, ପ୍ରକାଶ ମହାରଣା, ଶିବଶଙ୍କର ତ୍ରିପାଠୀ, ଶତ୍ରୁଘ୍ନ ସାମଲ, ଗୌରାଙ୍ଗ ରାଉତ, ଦର୍ପ ନାରାୟଣ ସେଠୀ ଓ ଅଭିନ୍ନ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର