ରାଜଧାନୀରେ ହେବ ‘ୱାଲ୍‌ ଅଫ୍‌ କାଇଣ୍ଡନେସ୍’

ଯେ କେହିବି କିଛି ବି ଦାନ କରିପାରିବେ, ୫ରୁ ୬ଟି ସ୍ଥାନରେ ଖୋଲିବାକୁ ଯୋଜନା

ଭୁବନେଶ୍ବର: ଦେଶର ଅନ୍ୟ ବଡ଼ ସହରଗୁଡ଼ିକ ଭଳି ଭୁବନେଶ୍ବରରେ ବି ୱାଲ୍‌ ଅଫ୍ କାଇଣ୍ଡନେସ୍ ଖୋଲିବ। ଏହାକୁ ବିଏମ୍‌ସି ଖୋଲିବାକୁ ଯୋଜନା କରୁଛି। ରାଜଧାନୀର ୫ରୁ ୬ଟି ସ୍ଥାନରେ ୱାଲ୍‌ ଅଫ୍‌ କାଇଣ୍ଡନେସ୍ ଖୋଲିବାକୁ ଥିବାବେଳେ ଏଥିପାଇଁ ଏବେ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏନେଇ ବିଏମ୍‌ସି ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ରଙ୍କୁ ଦାୟିତ୍ବ ଦେଇଛନ୍ତି। ୱାଲ୍‌ ଅଫ୍ କାଇଣ୍ଡନେସ୍ ଏମିତି ଏକ ଯୋଜନା ଏଠାରେ ଯେ‌ କେ‌ହିବି କିଛି ବି ଦାନ କରିପାରିବେ। ଅନ୍ୟ ସହରଗୁଡ଼ିକରେ ମୁଖ୍ୟତଃ ଏଠାରେ ଲୋକମାନେ ବିଭିନ୍ନ ପ୍ରକାରର ପୋଷାକ, ବହି, ଜୋତା, ବ୍ୟାଗ୍, ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦାନ କରିଥାନ୍ତି। ଆଉ ଏହାକୁ ଚଳାଉଥିବା ସଂସ୍ଥା ଏହି ସବୁ ସାମଗ୍ରୀ ହ୍ୟାଙ୍ଗରରେ ଏବଂ ଥାକରେ ସଜାଇ ରଖିଥାଏ। ଯେଉଁମାନଙ୍କର ଯାହା ଦରକାର ଥାଏ ସେମାନେ ଏଠାରୁ ନିଅନ୍ତି। ଭୁବନେଶ୍ବରରେ ବି ଏହିଭଳି ‌କରିବାକୁ ଯୋଜନା ହେଉଛି। କୌଣସି ସ୍ଥାନରେ କାନ୍ଥକୁ ରଙ୍ଗ ବେରଙ୍ଗର ଚିତ୍ରରେ ଆଙ୍କି ସେଠାରେ ସ୍ବତନ୍ତ୍ର ଥାକ କରି ବିଭିନ୍ନ ସାମଗ୍ରୀ ରଖାଯିବ। ଏହାକୁ କାର୍ଯ୍ୟକାରୀ କଲେ ଯେପରି ଲୋକଙ୍କର କୌଣସି ପ୍ରକାରର ସମସ୍ୟା ହେବନି, ଅଯଥା ଟ୍ରାଫିକ ଭିଡ଼ ହେବନି, ସହଜରେ ଲୋକ ଆସିପାରୁଥିବେ ସେହିଭଳି ସ୍ଥାନ ବିଏମ୍‌ସି ଏବେ ଖୋଜୁଛି ବୋଲି ସିଟି ଇଞ୍ଜିନିୟର ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରାରମ୍ଭିକ ଆଲୋଚନା ଅନୁଯାୟୀ, ରାଜଧାନୀରେ ଥିବା ବିଭିନ୍ନ ଓଭରବ୍ରିଜ୍ ତଳେ, କଳିଙ୍ଗ ଷ୍ଟାଡିୟମ ନିକଟରେ, ରାଜମହଲ ଛକରେ ଏହାକୁ ଖୋଲିବାକୁ ଯୋଜନା ଅଛି। ଏହାର ଠିକ୍ ପରିଚାଳନା ପାଇଁ ଲୋକ ସପ୍ତାହକୁ ୭ଦିନ ସାମଗ୍ରୀ ଦାନ କରିପାରିବେ କିନ୍ତୁ ଗୋଟିଏ କିମ୍ବା ଦୁଇ ଦିନ ନେଇପାରିବାର ବ୍ୟବସ୍ଥା କରିବାକୁ ଯୋଜନା ହେଉଛି। ଏହାଦ୍ବାରା ବିଏମ୍‌ସି କର୍ମଚାରୀମାନେ ଜଗିପାରିବେ ଏବଂ ଭିଡ଼ ନିୟନ୍ତ୍ରଣ ହୋଇପାରିବ। ଅନ୍ୟ ସହରଗୁଡ଼ିକରେ ଖାଦ୍ୟ ଦାନ କରିବା ଭଳି ବ୍ୟବସ୍ଥା ନାହିଁ। କିନ୍ତୁ ଆମେ ଏଠାରେ ଖାଦ୍ୟ ଦାନ କରିବାକୁ ବ୍ୟବସ୍ଥା କରିବୁ। ସାଧାରଣତଃ ରବିବାର ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହୁଥିବାରୁ ଏହାଦ୍ବାରା ବହୁତ ଲୋକ ଉପକୃତ ହୋଇପାରିବେ। ଯେଉଁମାନେ କିଛି ସାମଗ୍ରୀ ଅଧିକ ଆକାରରେ ଦାନ କରିବେ ବା ଖାଦ୍ୟ ଦାନ କରିବେ ସେମାନଙ୍କୁ ଆଗୁଆ ବିଏମ୍‌ସିକୁ ସୂଚନା ଦେବାକୁ ହେବ। ଏହାଦ୍ବାରା ଏହାର ବଣ୍ଟନ ଠିକ୍ ଭାବେ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର