ଭାରତରେ ବର୍ଷକୁ ୧୩ ଲକ୍ଷ ହୃଦ୍‌ଘାତ ଜନିତ ମୃତ୍ୟୁ

ବିଶ୍ୱ ବନ୍ଦ ହୃଦ୍‌କ୍ରିୟା ପୁନଃ ସଞ୍ଚାଳନ ଦିବସ

ଭୁବନେଶ୍ବର : ସେଣ୍ଟଜନ୍‌ ଆମ୍ବୁଲାନ୍ସ ଏବଂ ଏଜି ଓଡ଼ିଶା ଆନୁକୂଲ୍ୟରେ ଆଜି ବିଶ୍ବ ବନ୍ଦ ହୃଦ୍‌କ୍ରିୟା ପୁନଃ ସଞ୍ଚାଳନ ଦିବସ ଏଜି ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କର ହୃଦ୍‌କ୍ରିୟା ଜନିତ ମୃତ୍ୟୁ ଘଟୁଛି। ଯାହାକି ସମୁଦାୟ ମୃତ୍ୟୁର ୧୫ ପ୍ରତିଶତ। ୯୦ ଭାଗ ଲୋକ ଘରେ, କର୍ମସ୍ଥଳୀ ଓ ସାଧାରଣ ସ୍ଥାନରେ ହୃଦ୍‌ଯନ୍ତ୍ର ବନ୍ଦ ହେବା ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବାର ୩ରୁ ୫ ମିନିଟ୍‌ ମଧ୍ୟରେ ସିପିଆର ଦିଆଯାଇପାରିଲେ। ମୃତ୍ୟୁହାରକୁ ବହୁ ପରିମାଣରେ ରୋକାଯାଇ ପାରିବ ବୋଲି ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଡାକ୍ତର ଓ ଗବେଷକମାନେ ମତ ପ୍ରକାଶ କରିଥିଲେ।

ପ୍ରଧାନ ମହାଲେଖାକାର ମଧୁମିତା ବସୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ହରପ୍ରସାଦ ପଟ୍ଟନାୟକ, ପ୍ରଧାନ ମହାଲେଖାକାର ଯଶୋଧାରା ରାୟ ଚୌଧୁରୀ, କେୟାର ହସ୍ପିଟାଲର ହୃଦରୋଗ ନିଶ୍ଚେତକ ବିଭାଗର ଡାକ୍ତର ଧର୍ମଜୀବନ ସାମନ୍ତରାୟ, ରାଜ୍ୟ ସ୍ବାସ୍ଥ୍ୟ ସେବା ଯୁଗ୍ମ ନିଦେର୍ଶକ ତଥା ସେଣ୍ଟଜନ୍‌ ଆମ୍ବୁଲାନ୍ସର ସଚିବ ଡାକ୍ତର ପରେଶ ଚନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଉପ ମହାଲେଖାକାର ଦିନମଣି ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ। ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଗ୍ରାମାଞ୍ଚଳରେ ଜନ ସଚେତନତା ଅଭାବରୁ ହୃଦ୍‌କ୍ରିୟା ବନ୍ଦ ଜନିତ ମୃତ୍ୟୁ ଉଦ୍‌ବେଗ ଜନକ ବୋଲି ଦର୍ଶାଇବା ସହ ହୃଦ୍‌କ୍ରିୟା ବନ୍ଦ ହେବାର ୩ରୁ ୫ ମିନିଟ ମଧ୍ୟରେ ସିପିଆର ଦିଆଯାଇ ପାରିଲେ ଜୀବନର ଆଶା ୦.୧ ଭାଗରୁ ୨ କିମ୍ବା ୩ ଗୁଣକୁ ବୃଦ୍ଧି ପାଇବ ବୋଲି କହିଥିଲେ। ଭାରତର ୦.୧% ଲୋକଙ୍କ ଜୀବନ ଏହି ମାଧ୍ୟମରେ ବଞ୍ଚାଯାଇ ପାରୁଥିବା ବେଳେ ଆମେରିକାରେ ଏହା ୪୬%। ସେଠାରେ ୭୮% ଲୋକ ସିପିଆର ତାଲିମପ୍ରାପ୍ତ ହୋଇଥିବା ବେଳେ ଭାରତରେ ୯୮% ଲୋକ ଏ ବିଷୟରେ ଅଜ୍ଞ ବୋଲି ସେ କହିଥିଲେ। କେୟାର ହସ୍ପିଟାଲର ଡାକ୍ତର ଶ୍ରୀ ସାମନ୍ତରାୟ ସିପିଆର ଓ ତା’ର ଉପଯୋଗ ବିଷୟରେ ଆଲୋକପାତ କରିଥିଲେ। ଭାରତର ପ୍ରତ୍ୟେକ ଘରେ ଜଣେ ସିପିଆର ତାଲିମପ୍ରାପ୍ତ ସଦସ୍ୟ ରହିବା ଦରକାର ବୋଲି ପ୍ରଧାନ ମହାଲେଖାକାର ଶ୍ରୀମତୀ ବସୁ କହିଥିଲେ। ସେଣ୍ଟଜନ୍‌ ଆମ୍ବୁଲାନ୍ସ ଓଡ଼ିଶାର ଜନସାଧାରଣଙ୍କୁ ମାଗଣାରେ ସିପିଆର ତାଲିମ ପ୍ରଦାନ କରୁଛି। ଗତମାସରେ ଏଜି ଡିଭିଜନ ୩ଟି ଜିଲ୍ଲାର ପ୍ରାୟ ୫ହଜାର ଲୋକଙ୍କୁ ସିପିଆର ପ୍ରଶିକ୍ଷଣ ଦେଇଥିବାରୁ ସେଣ୍ଟଜନ ଆମ୍ବୁଲାନ୍ସର ସଚିବ ଶ୍ରୀ ମିଶ୍ର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ। କଲ୍ୟାଣ ଅଧିକାରୀ ମାନସ ସିଂହ ଧନ୍ୟବାଦ ଦେଇଥିଲେ। ଶେଷରେ ଏଜି କର୍ମଚାରୀଙ୍କୁ ସେଣ୍ଟଜନ୍‌ର ସହକାରୀ କମିସନର ପୁରୁଷୋତ୍ତମ ବଳ, ସୁଶାନ୍ତ କୁମାର ପଟ୍ଟନାୟକ ସିପିଆର ତାଲିମ ପ୍ରଦାନ କରିଥିଲେ। ଆଲୋଚନାଚକ୍ରକୁ କମଲ କିରଣ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର