ବିଶ୍ବ ଛାତ୍ର ଓ ଯୁବ ସଂଗଠନର ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ଉଦ୍‌ଯାପିତ

ଖଣ୍ତଗିରି: ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ପରିସରରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ବିଶ୍ବ ଛାତ୍ର ଓ ଯୁବ ସଂଗଠନ ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଯାଇଛି। ସମଗ୍ର ବିଶ୍ବରେ ନାରୀମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବୈଷମ୍ୟତା ଦୂର କରିବା ପାଇଁ ଜରୁରୀ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ଥିଲା ଅନ୍ତିମ ଦିବସର ପ୍ରମୁଖ ପ୍ରସଙ୍ଗ। ‘ଏକ ବିଂଶ ଶତାବ୍ଦୀର ମହିଳା’ ଶୀର୍ଷକ ପ୍ରସଙ୍ଗ ଉପରେ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ସ୍ବିଡେନ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବନଶ୍ରୀ ବୋଷ ହାରିସନ୍ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମଗ୍ର ବିଶ୍ବରେ ନାରୀମାନଙ୍କୁ ପୁରୁଷଙ୍କ ସହ ସମକକ୍ଷ କରିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। ମହିଳାମାନଙ୍କ ଉତ୍ଥାନ ପାଇଁ ପୁରୁଷମାନଙ୍କ ଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପର୍ଯ୍ୟାପ୍ତ ନୁହେଁ ବୋଲି ଶ୍ରୀମତୀ ହାରିସନ୍ କହିଥିଲେ। ସମାନ କାମ କରୁଥିଲେ ବି ବହୁ କ୍ଷେତ୍ରରେ ମହିଳାମାନଙ୍କୁ କମ୍ ପାରିଶ୍ରମିକ ମିଳୁଥିବା ଉପରେ ସେ କ୍ଷୋଭ ପ୍ରକାଶ କରିଥିଲେ। ସେହିଭଳି ଗ୍ରାମାଞ୍ଚଳ ନାରୀମାନଙ୍କୁ ନେତୃତ୍ବ ଦିଆଯାଉଥିଲେ ବି ପ୍ରକୃତ କ୍ଷମତା ପୁରୁଷମାନଙ୍କ ହାତରେ ଥିବାରୁ ଏହା ନାରୀ ଶକ୍ତିର ଅସଲ ପ୍ରଗତି ନୁହେଁ ବୋଲି ସେ କହିଥିଲେ। ଏହି ଅବସରରେ ଏବିଭିପିର ଜାତୀୟ ସଂଗଠକ ସମ୍ପାଦକ କେଏନ୍ ରଘୁନନ୍ଦନ ଓ ଆୟୋଜକ ସଂଗଠନର ଅଧ୍ୟକ୍ଷା ଡ. ରଶ୍ମି ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମହିଳାମାନଙ୍କ ଉନ୍ନତି ପାଇଁ ଖାଲି ପଦକ୍ଷେପ ଗ୍ରହଣ କଲେ ହେବ ନାହିଁ ସେମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଗ୍ରାଧିକାର ଦିଆଯିବା ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏଥିପାଇଁ ଶିକ୍ଷା ଓ ସଚେତନତା ଭଳି ଭିତ୍ତିଭୂମି ସଦୃଢ଼ ହେବା ଉଚିତ୍ ବୋଲି ସେମାନେ କହିଥିଲେ। ମହାସଚିବ ସଂଜୀବ ନିଙ୍ଗୋମ୍‌ବାମ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର