ରାଜଧାନୀବାସୀଙ୍କୁ ବର୍ଷା ଭୟ ଡିଜାଇନ୍‌ ବିଭ୍ରାଟ

0 136

ଭୁବନେଶ୍ୱର: ରାଜଧାନୀରେ ଅସରାଏ ବଡ଼ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି। ୧୦୦ ମିମିରୁ ଅଧିକ ବର୍ଷା ହେଲେ ଉଚ୍ଚା ସ୍ଥାନରେ ଘର କରିଥିଲେ ବି ପାଣି ପଶିଯାଉଛି। କେତେକ ସ୍ଥାନରେ ତ ଘଣ୍ଟା ଘଣ୍ଟା ଧରି ପାଣି ସୁଅ ଛୁଟୁଛି। ବିଏମ୍‌ସି କି ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ପମ୍ପ ଲାଗିବା ପରେ ହିଁ ଲୋକ ଜଳବନ୍ଦୀରୁ ମୁକୁଳୁଛନ୍ତି। ରାଜଧାନୀରେ ରାସ୍ତା ଓ ଡ୍ରେନ୍‌ ଏପରି ନିର୍ମାଣ କରାଯାଇଛି ଯେ, ରାସ୍ତାରୁ ପାଣି ଯାଇ ସିଧା ଘରେ ପଶୁଛି। ରାସ୍ତାରୁ ଉଚ୍ଚାରେ ଡ୍ରେନ୍‌, ରାସ୍ତାରୁ ବହୁ ନିଚ୍ଚାରେ ଘର ରହିଥିବାରୁ ଲୋକଙ୍କ ଘରେ ପାଣି ପଶିଯାଉଛି। ଏ ସବୁର ମୁଖ୍ୟ କାର୍ପଟଦାର ସାଜିଛି ପୂର୍ତ୍ତ ବିଭାଗ। କିନ୍ତୁ ପୂର୍ତ୍ତ ବିଭାଗ ଝାଡ଼ିଝୁଡ଼ି ହୋଇ ବସିପଡ଼ିଥିବାବେଳେ ଏବେ ସବୁ ଦୋଷ ବିଏମ୍‌ସି ମୁଣ୍ଡାଉଛି।
ଜାତୀୟ ରାଜପଥରୁ ଆରମ୍ଭ କରି ଜନପଥ, ବିଦ୍ୟୁତମାର୍ଗ, ସଚିବାଳୟ ମାର୍ଗ, ସିଆର୍‌ପିରୁ ଡିଏଭି ସ୍କୁଲ ଛକ, କଟକ ରୋଡ୍‌, ନବୀନ ନିବାସ ରାସ୍ତା। ସବୁଠି ଆଣ୍ଠୁଏ ଉଚ୍ଚରେ ପାଣି ଜମୁଛି। ରାସ୍ତା ଡିଜାଇନ୍‌ରେ ବ୍ୟାପକ ତ୍ରୁଟି ଯୋଗୁ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ହେଁ ଏଥିପ୍ରତି କାହାର ନଜର ନାହିଁ। ରାଜଧାନୀବାସୀ ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଉଛନ୍ତି। ହେଲେ କାହା ଦୋଷରୁ ଏପରି ହେଉଛି ତାହା କେହି ସ୍ୱୀକାର କରୁନାହାନ୍ତି। ରାଜଧାନୀରେ ଡ୍ରେନେଜ୍‌ ବ୍ୟବସ୍ଥାରେ ଉନ୍ନତୀକରଣ, ତୁରନ୍ତ ବର୍ଷା ଜଳ ନିଷ୍କାସନ ଦାୟିତ୍ୱ ବିଏମ୍‌ସିର ହୋଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଦୋଷ ମୁଣ୍ଡାଇବାକୁ ନାରାଜ। ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି ଯେ, ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ରାଜଧାନୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଏନେଇ ଆମେ ଦୁଇ ବିଭାଗକୁ ବାରମ୍ବାର ତାଗିଦ୍‌ କରୁଥିଲେ ହେଁ କେହି ଶୁଣୁନାହାନ୍ତି। ଭୁବନେଶ୍ୱରରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟର ତଦାରଖ ଦାୟିତ୍ୱ ବିଏମ୍‌ସିର। ହେଲେ ବିଏମ୍‌ସିରୁ ଅନୁମତି ବା ପରାମର୍ଶ ନେବାକୁ ଦୁଇ ବିଭାଗ ପୂରା ଅମଙ୍ଗ।

ପୂର୍ତ୍ତ ବିଭାଗ ହିଁ ମୁଖ୍ୟ କାର୍ପଟଦାର
ପୂର୍ତ୍ତ ବିଭାଗ ହିଁ ରାଜଧାନୀକୁ ଜଳବନ୍ଦୀ କରିବାରେ କାର୍ପଟଦାର ସାଜିଛି। ଏହି ବିଭାଗର ଇଞ୍ଜିନିୟରମାନଙ୍କ ଅପାରଗତା ଏବଂ ବେପରୁଆ ମନୋଭାବ ଯୋଗୁଁ ଭୁବନେଶ୍ୱର ସ୍ଥିତି ଦୟନୀୟ ହେବାରେ ଲାଗିଛି। ବିଏମ୍‌ସି ଯେତେ ଡ୍ରେନ୍‌ ସଫା କରୁ କି ନୂଆ ଡ୍ରେନ୍‌ ନିର୍ମାଣ କରୁ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ସହଜ ହେବନି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକ ବର୍ଷକୁ ଅତି କମ୍‌ରେ ଦୁଇ ଥର ମରାମତି ହେଉଛି। ଦଶହରା ପୂର୍ବରୁ ଥରେ, ମାର୍ଚ୍ଚ ମାସରେ ଥରେ। ପିଚୁ ଉପରେ ପିଚୁ ପରସ୍ତ ଚଢ଼ାଇ ଦିଆଯାଉଛି। ଫଳରେ ରାସ୍ତା ବର୍ଷକରେ ପ୍ରାୟ ଅଧ ଫୁଟ ଉଚ୍ଚା ହୋଇଯାଉଛି। ଗତ କିଛି ବର୍ଷ ମଧ୍ୟରେ ବହୁ ସ୍ଥାନରେ ରାସ୍ତାଗୁଡ଼ିକ ୪ରୁ ୫ଫୁଟ ଉଚ୍ଚା ହୋଇଗଲାଣି। ଏପରିକି ରାସ୍ତା କଡ଼ରେ ଡ୍ରେନ୍‌ ଥିଲେ ବି ତାହା ରାସ୍ତାଠାରୁ ଉଚ୍ଚାରେ ରହିଛି ନଚେତ୍‌ ପାଣି ନିଷ୍କାସନ ପାଇଁ ଥିବା ଫାଙ୍କ ସ୍ଥାନଟି ଅଧା ପୋତି ହୋଇଯାଇଛି। ପାଣି ନିଷ୍କାସନ ହୋଇପାରୁ ନଥିବାରୁ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି। ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ କେଉଁ ରାସ୍ତା କିପରି ନିର୍ମାଣ ହେବ ତାହା ଇଞ୍ଜିନିୟର ନୁହେଁ କାମ କରୁଥିବା ଠିକାଦାରଙ୍କ ଇଚ୍ଛାରେ ନିର୍ମାଣ ହେଉଛି। ରାସ୍ତା ନିର୍ମାଣ ଆବଶ୍ୟକ ଥାଉ କି ନଥାଉ ରାସ୍ତା ମରାମତି ହେଉଛି। ଏପରିକି ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିନା ଟେଣ୍ଡର୍‌ରେ ଚିଠାରେ କାମ ଦିଆଯାଉଛି। କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଚାନ୍ଦା ଦିଆନିଆ ହେଉଥିବାରୁ କେହି କାମ ଉପରେ ନଜର ରଖୁନାହାନ୍ତି। ଇଞ୍ଜିନିୟରମାନଙ୍କ ଅପାରଗତାର ଫାଇଦା ନେଇ ଠିକାଦାରମାନେ ମନ ଇଚ୍ଛା ରାସ୍ତା ନିର୍ମାଣ କରୁଛନ୍ତି। ଏପରିକି ରାସ୍ତା ନିର୍ମାଣ କି ମରାମତି ବେଳେ ଯେଉଁ ମାନଦଣ୍ଡକୁ ମାନିବା କଥା ତାହାକୁ ଧ୍ୟାନ ଦିଆଯାଉନି। ପୂର୍ତ୍ତ ବିଭାଗର ରାଜଧାନୀରେ ପ୍ରାୟ ୫୨୦କିମିର ରାସ୍ତା ଥିବାବେଳେ ଏଥିରୁ ଅଧିକାଂଶ ଏପରି ଭାବେ ନିର୍ମାଣ ହୋଇଛି ଯେ, ଘରଗୁଡ଼ିକ ରାସ୍ତା ଠାରୁ ଢେର୍‌ ତଳେ ରହିଛି।

ପୂର୍ତ୍ତ ବିଭାଗ ଆମକୁ ପଚାରୁନି: ବିଏମ୍‌ସି
ଏନେଇ ବିଏମ୍‌ସିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ତ୍ତ ବିଭାଗ କେଉଁ ଅଞ୍ଚଳରେ କେଉଁ ରାସ୍ତା ନିର୍ମାଣ କରୁଛି କି ମରାମତି କରୁଛି ତାହା ଆମକୁ ଜଣାଉନି। ଫଳରେ ଆମେ କାର୍ଯ୍ୟ ତଦାରଖ କରିପାରୁନୁ କି ପରାମର୍ଶ ଦେଇପାରୁନୁ। ପୂର୍ତ୍ତ ବିଭାଗ ନିର୍ମାଣ କରୁଥିବା ରାସ୍ତା କଡ଼ରେ ପୂର୍ତ୍ତ ବିଭାଗ ହିଁ ଡ୍ରେନ୍‌ ନିର୍ମାଣ କରିଥାଏ। ତେଣୁ ସେମାନେ ସର୍ଭେ କରି ବଡ଼ ଡ୍ରେନ୍‌ କରିବା ଦରକାର। ଏହାର ନିୟମିତ ମରାମତି କରିବା ସହ ବର୍ଷା ଦିନ ପୂର୍ବରୁ ଡ୍ରେନ୍‌ ସଫା କରିବା ଦରକାର। ପୂର୍ତ୍ତ ବିଭାଗ ଏହା କରୁନି। ସେମାନେ ନକଲେ ବି ଆମକୁ ଅର୍ଥ ଦେଲେ ଆମେ ଡ୍ରେନ୍‌ ସଫେଇ କରିପାରନ୍ତୁ, ତାହା ବି ହେଉନି। ପୂର୍ତ୍ତ ବିଭାଗର ଅବହେଳାରୁ ବିଏମ୍‌ସି ଦୋଷ ମୁଣ୍ଡାଉଛି। ଯଦି ପୂର୍ତ୍ତ ବିଭାଗ ଓ ବିଏମ୍‌ସି ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟ ହେବ ତେବେ ରାଜଧାନୀରେ ପାଣି ଜମିବନି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ନିୟମ ଅନୁଯାୟୀ ରାସ୍ତା ତିଆରି ହେଉନି
ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀ ରାସ୍ତାରେ ପାଣି ଜମିବା ପାଇଁ ପୂର୍ତ୍ତ ବିଭାଗ ଓ ବିଏମ୍‌ସି ଯନ୍ତ୍ରୀ ଦାୟୀ। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ମରାମତି ହେବ ସେଠାରେ ରାସ୍ତାକୁ ପ୍ରଥମେ ପୂର୍ବରୁ ପଡ଼ିଥିବା ପିଚୁ ଆବରଣକୁ ଛଡ଼ାଯିବ। ଏହାପରେ ଖାଲୁଆ ଅଞ୍ଚଳକୁ ପୋତି ସମାନ କରାଯିବ। ହେଲେ ରାସ୍ତା ମରାମତି ସମୟରେ ପୂର୍ବ ପିଚୁ ଆବରଣ ଉପରେ ଆଉ ଏକ ସ୍ତର ପକାଇ ଦିଆଯାଉଛି। ଖାଲି ଏତିକି ନୁହେଁ ରାସ୍ତା ନିର୍ମାଣ ବେଳେ ଉଠାଣି ଓ ଗଡ଼ାଣିଆକୁ ଧ୍ୟାନ ଦିଆଯାଉନି। ଯେଉଁଥିପାଇଁ ଡ୍ରେନ୍‌ ଗୋଟେ ପଟେ ଥିବାବେଳେ ପାଣି ଆଉ ଗୋଟେ ପଟେ ଜମା ହେଉଛି। ଏହାବ୍ୟତୀତ ପିଚୁ ରାସ୍ତା ନିର୍ମାଣ ସମୟରେ ଏଥିରେ ଏକ ଉପାଦାନ ମିଶାଯାଇଥାଏ। ଯାହାଦ୍ୱାରା ପିଚୁ ରାସ୍ତା ପାଣିକୁ ଜାବୁଡ଼ି ଧରିବନି। ହେଲେ ରାସ୍ତା ନିର୍ମାଣ ବେଳେ ଏହାକୁ ଧ୍ୟାନ ଦିଆଯାଉନି। କେବଳ ଏତିକି ନୁହେଁ ରାସ୍ତା ନିର୍ମାଣ ସମୟରେ ପ୍ରତ୍ୟେକ ରାସ୍ତା କଡ଼ରେ ଡ୍ରେନ୍‌ ରହୁନି। ଯେଉଁଠି ଡ୍ରେନ୍‌ ରହୁଛି ସେଠାରେ କେତେ ପାଣି ବହିପାରିବ ତାହା ସର୍ଭେ ହେଉନି। କେଉଁ ଡ୍ରେନ୍‌ରେ କେତେ ପାଣି ଯିବ ସର୍ଭେ କରିବା ପରେ ଯଦି ଡ୍ରେନ୍‌ ନିର୍ମାଣ ହୁଅନ୍ତା ତେବେ ଡ୍ରେନରେ ପାଣି ଜମନ୍ତାନି।

କ’ଣ ପାଇଁ ରାସ୍ତାରେ ପାଣି ଜମୁଛି
ପୂର୍ତ୍ତ ବିଭାଗ ଓ ବିଏମ୍‌ସି ମଧ୍ୟରେ ସମନ୍ଵୟ ଅଭାବ
ରାସ୍ତାକୁ ଗଡ଼ାଣିଆ ନ କରିବା
ଦୁଇପଟୁ ରାସ୍ତା ଉଚ୍ଚା କରି ମଝିରେ ଖାଲ ରଖିବା
ରାସ୍ତାଗୁଡ଼ିକ ଡ୍ରେନ ପାର୍ଶ୍ୱରେ ଉଚ୍ଚା ରହିବା
ପିଚୁ ରାସ୍ତାର ପୂର୍ବ ଆବରଣକୁ ନ ଖୋଳି ନୂଆ ଆବରଣ ପକାଇବା
କେଉଁ ଡ୍ରେନ୍‌ରେ କେତେ ପାଣି ନିଷ୍କାସିତ ହେବ ସର୍ଭେ ନ କରି ଡ୍ରେନ୍‌ ନିର୍ମାଣ କରିବା
ପୂର୍ତ୍ତ ବିଭାଗ ଡ୍ରେନ୍‌ଗୁଡ଼ିକ ବର୍ଷ ବର୍ଷ ଧରି ସଫା ନହେବା

ସମ୍ବନ୍ଧିତ ଖବର

Leave A Reply

Your email address will not be published.