ପୂର୍ବତନ ମନ୍ତ୍ରୀ ବେଣୁଧର ବଳିଆର ସିଂହଙ୍କ ସ୍ମୃତିସଭା

ନିରାକାରପୁର: ପୂର୍ବତନ ମନ୍ତ୍ରୀ ବେଣୁଧର ବଳିଆରସିଂହଙ୍କ ଏକାଦଶାହ ଅବସରରେ ନରଣଗଡ଼ସ୍ଥିତ ତାଙ୍କ ବାସଭବନରେ ମଙ୍ଗଳବାର ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବଳିଆରସିଂହଙ୍କ ବଡ଼ ଝିଅ ଶକୁନ୍ତଳା ବଳିଆରସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଧା ବ୍ଲକ କଂଗ୍ରେସ ସଭାପତି ପଦ୍ମଚରଣ ରାୟ ସଭାପତିତ୍ୱ କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସ୍ୱର୍ଗତ ବଳିଆରସିଂହ ଏକାଧାରରେ ଜଣେ ଡାକ୍ତର, ସାମଜସେବୀ, ରାଜନୀତିଜ୍ଞ ଓ ଦୃଢ଼ ସଂଗଠକ ଥିଲେ। ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ, ସ୍ୱର୍ଗତ ବଳିଆରସିଂହ ତାଙ୍କ ମନ୍ତ୍ରିତ୍ୱ ସମୟରେ ଜିଲ୍ଲା ପାଇଁ ବହୁ ଉନ୍ନୟନମୂଳକ କାର୍ଯ୍ୟ କରି ଯାଇଛନ୍ତି। ଏଥିପାଇଁ ସେ ସର୍ବଦା ଅବିଭକ୍ତ ପୁରୀ ଜିଲ୍ଲାବାସୀଙ୍କ ପାଇଁ ସ୍ମରଣୀୟ ହୋଇରହିବେ। ସେହିପରି ସେ କୌଣସି ଭଲ କାର୍ଯ୍ୟ କରିବାକୁ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ ବୋଲି ଶ୍ରୀ ରାଉତ କହିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀ, ବୈଷ୍ଣବ ଚରଣ ପରିଡ଼ା, ଛାତ୍ର କଂଗ୍ରେସର ସଭାନେତ୍ରୀ ସ୍ୱାଗତିକା ପଟ୍ଟନାୟକ, ଖୋର୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବଳିଆରସିଂହଙ୍କ ସ୍ମୃତିଚାରଣ କରିଥିଲେ।

ପୂର୍ବତନ ବିଧାୟକ ଡ. ଦିଲୀପ କୁମାର ଶ୍ରୀଚନ୍ଦନ ଅତିଥି ପରିଚୟ ଦେଇଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ବଳିଆରସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବେଣୁଧର ସ୍ମୃତି କମିଟି ପକ୍ଷରୁ ପ୍ରକାଶିତ ‘ଶ୍ରଦ୍ଧାଞ୍ଜଳି’ ପୁସ୍ତକକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସଭ୍ୟ ବନବିହାରୀ ନାୟକ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ଦ୍ୱାରା ଶୋକବାର୍ତା ଲିଖିତ ଏକ ମାନପତ୍ରକୁ ସ୍ୱର୍ଗତ ବଳିଆରସିଂହଙ୍କ ବଡ଼ଝିଅ ଶକୁନ୍ତଳାଙ୍କୁ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଇଂ ଦାଶରଥି ରାଉତରାୟ, ଡାକ୍ତର ଯୁଧିଷ୍ଠିର ଜେନା, ରମାକାନ୍ତ ମହାପାତ୍ର, ସମାଜସେବୀ ବିଶ୍ୱଭୂଷଣ ଛୋଟରାୟ, ଜଙ୍କିଆ ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ (କନିଷ୍ଠ), ଶିକ୍ଷାବିତ୍‌ ବଂଶୀଧର ଜଗଦ୍ଦେବ, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ସମାଜସେବୀ ସଂଜୟ ପଟ୍ଟନାୟକ, କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରମୁଖଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର