ପଥୋତ୍ସବରେ ଯମରାଜ

ଭୁବନେଶ୍ୱର: ମଇଁଷି ଉପରେ ବିରାଜମାନ ହୋଇଥିଲେ ଯମରାଜ। ସାଙ୍ଗରେ ଥିଲେ ଚିତ୍ରଗୁପ୍ତ। ହାତରେ ଧରିଥିଲେ ପଞ୍ଜିକା। କାହାର କେବେ ମୃତ୍ୟୁ ଆସିବ ତାହା ଗଣନା କରୁଥିଲେ ଓ ଯମରାଜଙ୍କୁ ହିସାବ ଦେଉଥିଲେ। ମଦ ପିଇ ଗାଡ଼ି ଚଳାଇଲେ କେତେବେଳେ ଆସିବ ମୃତ୍ୟୁ, ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମୃତ୍ୟୁ ଆଉ କେତେବାଟ, ଗତିରେ ସୀମା ଲଂଘିଲେ କେଉଁଠି ଛୁଇଁବ ମୃତ୍ୟୁ, ଏଭଳି ଗଣନା କରୁଥିଲେ ଚିତ୍ରଗୁପ୍ତ। ମର୍ତ୍ତ୍ୟଲୋକରେ ଏଭଳି ଏକ ଦେବଲୋକର ଚିତ୍ର ଦେଖିବାକୁ ମିଳିଥିଲା ଆଜି ୭୮ ତମ ପଥୋତ୍ସବରେ। ଟ୍ରାଫିକ୍‌ ସଚେତନତା ପାଇଁ ସମର୍ପିତ ହୋଇଥିଲା ଆଜିର ପଥୋତ୍ସବ।

ଦାନରେ ଜୀବନ: ଅଭିନେତା କୁନା ତ୍ରିପାଠୀ ଆଇନ ଭଙ୍ଗକାରୀଙ୍କ ପାଇଁ ଜରିମାନା ଧାର୍ଯ୍ୟ କରୁଥିଲେ। କଥା ଛଳରେ ଯୁବପିଢ଼ିଙ୍କ ଗାଡ଼ି ଚାଳନାକୁ ନେଇ ଏକ ବାସ୍ତବ ଚିତ୍ର ଉପସ୍ଥାପନା କରିବା ସହ ଜୀବନକୁ ଏଭଳି ଦାନରେ ନ ଦେବା ପାଇଁ ଅନୁରୋଧ କରିଥିଲେ। କବିତା ମାଧ୍ୟମରେ ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସଚେତନତା ସହ ସାଙ୍ଗରେ ସ୍ବର୍ଗପୁର ନେଇଯିବା ପାଇଁ ଯମରାଜଙ୍କୁ ସହଜ କରିଦିଅନି ବୋଲି ‌ଆହ୍ବାନ ଦେଇଥିଲେ।

ନୋ ଟୁ ଆଲ୍‌କହଲ, ୟେସ୍‌ ଟୁ ହେଲ୍‌ମେଟ୍‌: ନିୟମ ଭାଙ୍ଗି ଧରାପଡ଼ୁଥିବା ଚାଳକଙ୍କ ମଧ୍ୟରେ ୮୦ ପ୍ରତିଶତ ନିଶାସସ୍ତ ବୋଲି ଜଣାପଡ଼ିଛି। ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ବାର୍ଷିକ ୫୩୦୦ ମୃତ୍ୟୁ ବରଣ କରୁଛନ୍ତି। ଏଣୁ ଗାଡ଼ି ଚାଳକଙ୍କ ପାଇଁ ‘ନୋ ଟୁ ଆଲ୍‌କହଲ, ୟେସ୍‌ ଟୁ ହେଲ୍‌ମେଟ୍‌’ ଆହ୍ବାନ ହେବା ଉଚିତ୍ ବୋଲି କହିଥିଲେ ପରିବହନ ଆୟୁକ୍ତ ସଞ୍ଜୀବ ପଣ୍ଡା। ୨୦୧୭ ତଥ୍ୟ ମୁତାବକ ୧.୫ ମିନିଟ୍‌ରେ ଏକ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ୩.୩ ମିନିଟ୍‌ରେ ଜଣେ ମରୁଛି। ଗୋଟିଏ ଦିନରେ ସାରା ଭାରତରେ ୪୧୦ ଜଣ ମରୁଥିବା ବେଳେ ଆମ ରାଜ୍ୟରେ ଦୈନିକ ୧୨ ଜଣ ମରୁଛନ୍ତି ବୋଲି କହିଛନ୍ତି ଆରଟିଓ-୨ ସଞ୍ଜୟ ବେହେରା।

୭ ଦିନରେ ୭୭୭ କିମି: ସଡ଼କ ନିରାପତ୍ତା‌ରେ ସଚେତନତାକୁ ନେଇ ଦୁଇଜଣ କମ୍ପ୍ୟୁଟର ବିଜ୍ଞାନ ପ୍ରଫେସର ଗୋପାଳକୃଷ୍ଣ ସାହୁ ଓ କୁମାର ଦେବଦତ୍ତ ୭ ଦିନରେ ୭୭୭ କିଲୋମିଟର ସାଇକେଲରେ ଯାଉଛନ୍ତି। ସେମାନେ ମଧ୍ୟ ଆଜିର ପଥୋତ୍ସବରେ ସଚେତନତା ପାଇଁ ପହଞ୍ଚିଥିଲେ। ସେହିଭଳି ଅଷ୍ଟ୍ରେଲିଆର ଜଣେ ପ୍ରସିଦ୍ଧ ଲେଖକ ଗପ କହିଥିଲେ। ବକୁଳ ଫାଉଣ୍ଡେସନ ପକ୍ଷରୁ ସୁଜିତ ମହାପାତ୍ର ଏହାକୁ ସଂଯୋଜନା କରିଥିଲେ।

ରଙ୍ଗୋଲିରେ ସଚେତନତା: ଆଜିର ‌ରଙ୍ଗୋଲି ମଧ୍ୟ ସଡ଼କ ନିରାପତ୍ତା ଉପରେ ପର୍ଯ୍ୟବସିତ ଥିଲା। ତା ସହିତ ପେଣ୍ଟିଂ, ପଥପ୍ରାନ୍ତ ନାଟକ, କୁଇଜ୍‌, ସାଇକେଲିଂ, ଡ୍ରଇଂ ପ୍ରତିଯୋଗିତାରେ ବେଶ୍‌ ଆଗ୍ରହ ଥିବା କହିଛନ୍ତି ନୋଡାଲ ଅଫିସର ଭବାନୀ ଶଙ୍କର ଚୟନି। ସେହିଭଳି ପିକକ୍‌ ପକ୍ଷରୁ କୁନି କୁନି ପିଲାମାନେ ସଡ଼କ ନିରାପତ୍ତା ନେଇ ସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର