ଭୋଟରଙ୍କୁ ସଚେତନ କରିବ ‘ଏସ୍‌ ଉଇ କ୍ୟାନ୍‌’

ଭୁବନେଶ୍ୱର: ଶତପ୍ରତିଶତ ଭୋଟର୍‌ ମତଦାନ ପ୍ରକ୍ରିୟାରେ ସାମିଲ ହେଲେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ସମ୍ଭବ। ଏହି ଆହ୍ବାନକୁ ସାକାର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ‘ଏସ୍‌ ଉଇ କ୍ୟାନ୍‌’। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ଲକ୍ଷ ଭୋଟର୍‌ଙ୍କୁ ସଚେତନ କରାଇବା ପାଇଁ ମାର୍ଚ୍ଚ ୨୯ ତାରିଖଠାରୁ ବଲାଙ୍ଗୀରରୁ ସଂଗଠନ ଯାତ୍ରା ଆରମ୍ଭ କରିବ। ୧୫୦ରୁ ଊର୍ଦ୍ଧ୍ବ ସାମାଜିକ ସଂଗଠନ, ଶହେରୁ ଊର୍ଦ୍ଧ୍ବ ପରିବର୍ତ୍ତନକାରୀ ଓ ୭୦ ମହାବିଦ୍ୟାଳୟର ୨ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ମତଦାନ ଦିବସ ପର୍ଯ୍ୟନ୍ତ ‘ମୋ ଭୋଟ ମୋ ଅଧିକାର’ ସଚେତନତା ବାର୍ତ୍ତା ନେଇ ଭୋଟର୍‌ଙ୍କ ପାଖରେ ପହଞ୍ଚିବାକୁ ସଂଗଠନ ଉଦ୍ୟମ କରିବ। ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୧୦ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି। ୨୯ ମାର୍ଚ୍ଚରେ ବଲାଙ୍ଗୀରରେ ଥିବା ବେଳେ ୩୧ରେ ବ୍ରହ୍ମପୁର, ଏପ୍ରିଲ ୧ରେ କୋରାପୁଟ, ୯ରେ ରାଉରକେଲା, ୧୧ରେ ସମ୍ବଲପୁର, ୧୫ରେ କେନ୍ଦୁଝର, ୧୬ରେ କଟକ, ୧୭ରେ ଭୁବନେଶ୍ବର, ୨୧ରେ ବାରିପଦା ଓ ୨୨ରେ ବାଲେଶ୍ବରରେ ଅଭିଯାନ ଆରମ୍ଭ ଉତ୍ସବ କରାଯିବ। ଏଥିରେ ସଚେତନ ନାଗରିକ, ଯୁବଗୋଷ୍ଠୀ ଓ ଛାତ୍ର ସମାଜ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଏ ନେଇ ଗତ ୨୩ ତାରିଖରେ ଭୁବନେଶ୍ବରରେ ଗ୍ରାମଥାନର ମୁଖ୍ୟ ଗୋବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଆଇଡିଏର ମୁଖ୍ୟ ସେବତୀ ସିଂହଙ୍କୁ ଏହି କ୍ୟାମ୍ପେନ୍‌ର ରାଜ୍ୟ ସଂଯୋଜିକା ଭାବରେ ମନୋନୀତ କରାଯାଇଛି। ଇଲେକ୍ସନ ୱାଚ୍‌ର ରାଜ୍ୟ ଆବାହକ ରଞ୍ଜନ ମହାନ୍ତିଙ୍କ ଦ୍ବାରା ୱେବ୍‌ ପୋର୍ଟାଲ(http://myvotemyright.in) ସହ ଫେସ୍‌ବୁକ୍‌ ପେଜ୍‌ ମଧ୍ୟ ଖୋଲାଯାଇଛି। ବୈଠକରେ ୪୫ ସଂଗଠନର ୩୦ରୁ ଊର୍ଦ୍ଧ୍ବ ସଂଗଠନ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର