ଜାମୁକୋଳିରେ ହେବ ଯୋଗ ଓ ନେଚରପ୍ୟାଥି ହସ୍ପିଟାଲ, ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜାଗା ସାଜିଥିଲା ସମସ୍ୟା

ଭୁବନେଶ୍ବର: ଦୀର୍ଘ ୯ ବର୍ଷ ତଳେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଯୋଗ ଓ ନେଚରପାଥି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଜଧାନୀ ଉପକଣ୍ଠରେ ଥିବା ବିନ୍ଧ୍ୟଗିରିଠାରେ ଏହି ପ୍ରସ୍ତାବିତ ହସ୍ପିଟାଲକୁ ନିର୍ମାଣ କରିବା ପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ଏହି ପ୍ରସ୍ତାବିତ ହସ୍ପିଟାଲ‌ କେବଳ ପ୍ରସ୍ତାବରେ ହିଁ ସୀମିତ ରହିଯାଇଥିଲା। ତେବେ ବିନ୍ଧ୍ୟଗିରିଠାରେ ଏହାକୁ ନିର୍ମାଣ କରିବା ଏକପ୍ରକାର ଅସମ୍ଭବ ଥିବାରୁ ଏହାକୁ ‌ଏବେ ଜାମୁକୋଳି-ପଧାନସାହିଠାରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ୨୫ ଏକର ଜାଗା ଚିହ୍ନଟ କରାଯିବା ସହ ମାପଚୁପ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ୨୦୧୧ ମସିହାରେ କେନ୍ଦ୍ର ସରକାର ପକ୍ଷରୁ ପୂର୍ବାଞ୍ଚଳ ଜୋନ୍‌ର ସବୁଠାରୁ ବଡ଼ ଯୋଗ ଓ ନେଚରପାଥି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା। ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଲୋକମାନେ ଯୋଗ ଓ ପ୍ରାକୃତିକ ଚିକିତ୍ସା ପାଇବେ। ତହିଁରେ ୫୦ଟି ସାଧାରଣ ଶଯ୍ୟା ଓ ୨୫ଟି ଲେଖାଏଁ ସ୍ପୋଶାଲ ଓ ଡିଲକ୍ସ ଶଯ୍ୟା ରହିବ। ଏହାସହ ଷ୍ଟେଟ୍‌ ଅଫ ଦି ଆର୍ଟ ଯୋଗ ହଲ ଓ ଦୀର୍ଘ ଦିନ ଧରି ଲାଗି ରହୁଥିବା ରୋଗର ଗବେଷଣା କରାଯିବ। ପୁନେସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନେଚରପାଥି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରସ୍ତାବିତ ହସ୍ପିଟାଲ ପାଇଁ ୨୫କୋଟି ଟଙ୍କା ଖର୍ଚ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଚେରି ଓ ଅନ୍ୟ କାର୍ଯ୍ୟ ପାଇଁ ୧କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିଲା। ତେବେ ଆରମ୍ଭରୁ ହସ୍ପିଟାଲ ପାଇଁ ଜାଗା ସମସ୍ୟା ଦେଖା ଦେଇଥିଲା। ହସ୍ପିଟାଲର ନିର୍ମାଣ ପାଇଁ ଆବଶ୍ୟକ ୨୦ ଏକର ଜମି ରାଜଧାନୀ ଉପକଣ୍ଠରେ ଥିବା ବିନ୍ଧ୍ୟଗିରିଠାରେ ଜାଗା ଚିହ୍ନଟ ହୋଇଥିଲା।

ତେବେ ଚିହ୍ନଟ ଜମି ଗ୍ରାମ୍ୟ ଜଙ୍ଗଲ କିସମ ହୋଇଥିବାରୁ ଜମି ଅଧିଗ୍ରହଣକୁ ନେଇ ବିବାଦ ଉପୁଜିଥିଲା। ଗ୍ରାମ୍ୟ ଜଙ୍ଗଲର ଉଚ୍ଛେଦକୁ ନେଇ ସ୍ଥାନୀୟ ଅଧିବାସୀମାନେ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ ପ୍ରସ୍ତାବିତ ହସ୍ପିଟାଲ କାର୍ଯ୍ୟ ଧିମେଇ ଯାଇଥିଲା। ଏପରିକି ଓଡ଼ିଶାରେ ଆୟୁଷର ଏକ ଉଚ୍ଚସ୍ତରୀୟ ହସ୍ପିଟାଲ ନିର୍ମାଣ ହେବା ସଂପର୍କରେ ସମସ୍ତେ ଏକପ୍ରକାର ଭୁଲି ଯାଇଥିଲେ। ଅପରପକ୍ଷରେ ଓଡ଼ିଶା ସହିତ ରାଜସ୍ଥାନ, କେରଳ ଓ ହିମାଚଳପ୍ରଦେଶରେ ଏହି ହସ୍ପିଟାଲ ପାଇଁ ଘୋଷଣା ହୋଇଥିବା ବେଳେ ସେସବୁ ସ୍ଥାନରେ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବା ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜାଗାକୁ ନେଇ ବର୍ଷ ବର୍ଷ ଧରି ହସ୍ପିଟାଲ କାର୍ଯ୍ୟ ଧିମେଇ ଯିବା ପରେ ଆୟୁଷ ନିର୍ଦେଶାଳୟର ଚେତା ଫେରିଥିଲା। ଗତବର୍ଷ ଜାମୁକୋଳି-ପଧାନସାହିରେ ପ୍ରାୟ ୨୫ଏକର ଜାଗା ଚିହ୍ନଟ ହୋଇଛି। ଏପରିକି ଜାଗା ମାପଚୁପ ମଧ୍ୟ ଶେଷ ହୋଇସାରିଛି। ତେବେ ଆୟୁଷ ନିର୍ଦେଶାଳୟରେ ନିର୍ଦେଶକ ପଦବି ଖାଲି ପଡ଼ିବା ପରେ ହସ୍ପିଟାଲ ନିର୍ମାଣରେ ଅଗ୍ରଗତି ଧିମେଇ ଯାଇଛି। ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭି. ଜୟକୁମାରଙ୍କୁ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମାତ୍ର ସେ ମଧ୍ୟ ଏ ପର୍ଯ୍ୟନ୍ତ ଦାୟିତ୍ବ ଗ୍ରହଣ କରି ନାହାନ୍ତି। ଫଳରେ ପ୍ରସ୍ତାବିତ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କେବଳ ଜାଗା ଚିହ୍ନଟରେ ସୀମିତ ରହିଛି।

ସମ୍ବନ୍ଧିତ ଖବର