ତୁମେ ଘରେ ଲକ୍‌ ତ ମୁଁ ବାହାରେ ଲକ୍‌….

ଭୁବନେଶ୍ବର: ମୁଁ କରୋନା। ତୁମ ଦ୍ବାର ସମ୍ମୁଖରେ ଅପେକ୍ଷା କରିଛି। ତୁମର ତାଲାବନ୍ଦ ତ ମୁଁ ବି ବନ୍ଦ ତାଲାରେ ବନ୍ଦୀ। ସ୍ଥାପତ୍ୟରେ ଏପରି ବାର୍ତା ଦେଇଛନ୍ତି ଶିଳ୍ପୀ ପ୍ରିୟରଂଜନ ବରାଳ। ସେ ପ୍ଲାଷ୍ଟର ଅଫ ପ୍ୟାରିସରେ ନିଜ କଳାର ଯାଦୁକରୀ ଛିଟାରେ ପ୍ରସ୍ତୁତ କରିଛନ୍ତି ଏକ ନିଆରା ସ୍ଥାପତ୍ୟ। ଯେଉଁଥିରେ କରୋନା ଭୂତାଣୁକୁ ଲକ୍‌ଡାଉନ କରାଯାଇଥିବା ଦର୍ଶାଯାଇଛି।

ସଂପ୍ରତି କରୋନା ମହାମାରୀ ଲୋକଙ୍କୁ ତାଲାବନ୍ଦ କରି ରହିବାକୁ ଚେତାବନୀ ଦେଇଥିବା ବେଳେ ସେ ସ୍ଥାପତ୍ୟରେ ଦର୍ଶାଇଛନ୍ତି, ଲୋକେ ଘରେ ଲକ୍‌ ତ କରୋନା ଭୂତାଣୁ ବାହାରେ ଲକ୍‌..। ପ୍ରିୟରଂଜନ କହିଛନ୍ତି, ପ୍ଲାଷ୍ଟର ଅଫ ପ୍ୟାରି‌ସରେ ମୁଁ ଏହାକୁ ଗୋଟେ ଦିନ‌ରେ ପ୍ରସ୍ତୁତ କରିଛି। ନାଲି ବିପଦ ସୂଚକ ରଙ୍ଗ ହୋଇଥିବାରୁ କରୋନା ଭୂତାଣୁ ସଦୃଶ ସ୍ଥାପତ୍ୟକୁ ସେ ନାଲି ରଙ୍ଗ ଦେଇଛନ୍ତି। ଧଳା ରଙ୍ଗର ଶିକୁଳିରେ କରୋନାକୁ ସେ ଲକ୍‌ଡାଉନ କରିଛନ୍ତି। ଧଳା ରଙ୍ଗ ଦ୍ବାରା ସେ ସୂଚାଇଛନ୍ତି ଯେ ତାଲା ବନ୍ଦ ଦ୍ବାରା ହିଁ ଶାନ୍ତି ଓ ଉପଶମ ମିଳିପାରିବ। ଏହାକୁ ସର୍ବସାଧାରଣ ସ୍ଥାନରେ ରଖିବା ପାଇଁ ସେ ବିଏମସି କମିସନରଙ୍କ ସହ ଯୋଗାଯୋଗ ମଧ୍ୟ କରିଛନ୍ତି। ଏନେଇ ତାଙ୍କୁ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ବୋଲି ଶ୍ରୀ ବରାଳ କହିଛନ୍ତି।

କରୋନା ସତର୍କତା ପାଇଁ ଅନେକ ନିଜନିଜ ସ୍ତରରେ ପ୍ରୟାସ କରୁଥିବା ବେଳେ ମୁଁ ବି ଜଣେ ସ୍ଥାପତ୍ୟ ଶିଳ୍ପୀ ହିସାବରେ ଏପରି କିଛି ସଚେତନତା ସୃଷ୍ଟି ପାଇଁ ଚିନ୍ତା କରି ଏହାକୁ ତିଆରି କରିଛି ବୋଲି ସେ କହିଛନ୍ତି। ଏହାର ପ୍ରସ୍ତୁତିରେ ଶିଳ୍ପୀ ଶ୍ରୀକୃଷ୍ଣ ବେହେରା ତାଙ୍କୁ ସହଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର