ମଦ ପିଇବାକୁ ଟଙ୍କା ଦେଲାନି ବୋଲି ସାଙ୍ଗର ବେକ କାଟି ଦେଲା

ବାଲିଅନ୍ତା : ମଦ ନିଶାରେ ଚୁର୍‌ ଜଣେ ନିଶାସକ୍ତ ଯୁବକ ହିତାହିତ ଜ୍ଞାନ ଭୁଲି ତାଙ୍କ ସାଙ୍ଗର ବେକକୁ ବ୍ଲେଡ୍‌ରେ କାଟି ଦେଇଛି। ମଦ ପିଇବାକୁ ଟଙ୍କା ନଦେବାରୁ ସେ ଏପରି କରିଥିବା ଜଣାପଡ଼ିଛି। ଆହତ ଯୁବକ ହେଲେ କଟକ ସଦର ଥାନା ଅନ୍ତର୍ଗତ ଈଶ୍ବରପୁର ଗ୍ରାମର ସୁନୀଲ ଭୋଇ (୨୬)। ସୁନୀଲଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ସଂପୃକ୍ତ ଯୁବକ କାଳିଆ ଭୋଇ (୨୮)କୁ କାବୁ କରି ବାଲିଅନ୍ତା ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ। ସୁନୀଲ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ଏକ ମାମଲା ରୁଜୁ କରି ଆଜି କାଳିଆକୁ କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ କାଳିଆକୁ ଝାରପଡ଼ା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁଯାୟୀ ଉଭୟ କାଳିଆ ଓ ସୁନୀଲ ବ୍ରାହ୍ମଣଷଡ଼ଙ୍ଗୀ ସ୍ଥିତ ସରକାରୀ ମଦ ଦୋକନରୁ ମଦ କିଣି ପିଇଥିଲେ। ମଦ ସରିଯିବାରୁ ନିଶ‌ାରେ ଚୁର ହୋଇ କାଳିଆ ପୁଣି ମଦ ଆଣିବା ପାଇଁ ସୁନୀଲକୁ ଟଙ୍କା ମାଗିଥିଲା। ହେଲେ ସୁନୀଲ ଟଙ୍କା ଦେବାକୁ ମନା କରିଦେବାରୁ କାଳିଆ ପକେଟରେ ରଖିଥିବା ବ୍ଲେଡ୍‌ରେ ସୁନୀଲର ବେକକୁ କାଟି ଦେଇଥିଲା।

ସମ୍ବନ୍ଧିତ ଖବର