ଯୁବକଙ୍କୁ ମାରି ଟାଙ୍ଗିଦେଲେ! : ମଦ ଦୋକାନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ମାମଲା ରୁଜୁ କଲା ପୁଲିସ

ଭୁବନେଶ୍ବର : ସହିଦନଗର ଥାନା ପୁଲିସ ଆଚାର୍ଯ୍ୟବିହାର ଛକ ନିକଟ କାଚପାଣି ମଦ ଦୋକାନରୁ ଆଜି ଅଞ୍ଜନ ମଲ୍ଲିକ(୨୦) ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ଅଞ୍ଜନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ପାଖାପାଖି ୩ ମାସ ହେଲା ସେ ଏହି ମଦ ଦୋକାନରେ କିଚେନ୍‌-ବୟ ଭାବେ କାମ କରୁଥିଲେ। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବ‌େ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କର୍ମଚାରୀମାନେ ଶୋଇବା ପାଇଁ ଯାଇଥିବା ବେଳେ ଅଞ୍ଜନ ପାଖରେ ଥିବା ଅନ୍ୟ ଏକ ଘରେ ଏକା ଶୋଇଥିଲେ। ଗୁରୁବାର ସକାଳ ପ୍ରାୟ ୧୦ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ କର୍ମଚାରୀମାନେ ତାଙ୍କୁ ଡ଼ାକିଥିଲେ। କିନ୍ତୁ ସେ କୌଣସି ଜବାବ ନ ଦେବାରୁ କର୍ମଚାରୀମାନେ ଉକ୍ତ ଘରକୁ ବାଟ ଥିବା ଅନ୍ୟ ଏକ କବାଟର ବାହାରପଟୁ ତାଲା ଖୋଲିଥିଲେ। ତେବେ ଅଞ୍ଜନ ଫ୍ୟାନ୍‌ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ପରିବାରଲୋକଙ୍କୁ ଖବର ଦେଇଥିଲା। ଅପରପକ୍ଷେ ଅଞ୍ଜନଙ୍କ ମୃତ୍ୟୁକୁ ସହ‌ଜରେ ପରିବାରଲୋକେ ଗ୍ରହଣ କରିପାରି ନାହାନ୍ତି। ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିବା ବଡ଼ ଭାଇ ଶୁଭକାନ୍ତ ମଲ୍ଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଯଦି ଅଞ୍ଜନ ଆତ୍ମହତ୍ୟା କରିଥିଲା, ତେବେ ପୁଲିସ ଆସିବା ପୂର୍ବରୁ କର୍ମଚାରୀମାନେ କାହିଁକି କବାଟ ଖୋଲିଥିଲେ ବୋଲି ଶୁଭକାନ୍ତ ପ୍ରଶ୍ନ କରିଛନ୍ତି। ଶୁଭକାନ୍ତଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ମଦ ଦୋକାନ ମାଲିକ ବବୁଲ ପ୍ରସାଦ କହିଛନ୍ତି ଯେ ସେ ଦିଲ୍ଲୀରେ ଥିବା ବେଳେ ଏଭଳି ଅଘଟଣ ଘଟିଛି। ହେଲେ ତାଙ୍କୁ ହତ୍ୟା କରାଯାଇନାହିଁ। ପରିବାରଲୋକ ସନ୍ଦେହ କରିବା ସ୍ୱାଭାବିକ।

ସମ୍ବନ୍ଧିତ ଖବର